ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲେନି ପତ୍ନୀ: ସୋମବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ତ୍ରୀ ଅନିନ୍ଦିତା

1,510

କନକ ବ୍ୟୁରୋ: ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଅକାଳରେ ସ୍ୱାମୀଙ୍କ ମୃତ୍ୟୁ, ସହି ନପାରି ସ୍ତ୍ରୀ କଲେ ଆତ୍ମହତ୍ୟା । ଆଉ ବାପା-ମାଆ ଚାଲିଯିବା ପରେ ଅନାଥ ହୋଇ ଯାଇଛନ୍ତି ଦୁଇ ପିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବେଣାଗାଡିଆ ଗାଁରୁ । ଗୋକୁଳ କୁମାର ସାହୁ ଜଣେ ବ୍ୟବସାୟୀ ହୋଇଥିବାବେଳେ ରାଜସୁନାଖଳା ଗାଁରେ ଥିଲା ତାଙ୍କର ଏକ ଇଲେକ୍ଟ୍ରୋନିକ୍ସ ଦୋକାନ । ଦୀପାବଳି ଦିନ ନିଜ ଦୋକାନକୁ ଯାଉଥିବାବେଳେ ଅଜଣା ଗାଡି ଧକ୍କାର ଶିକାର ହୋଇଥିଲେ ଗୋକୁଳ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଗୋକୁଳଙ୍କ କ୍ରିୟାକର୍ମ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଗୋକୁଳଙ୍କ ପତ୍ନୀ ଅନିନ୍ଦିତା ତାଙ୍କ ମୃତ୍ୟୁକୁ ସହି ପାରି ନଥିଲେ । ମାନସିକ ଭାରସାମ୍ୟ ହରାଇ ଚରମ ନିଷ୍ପତି ନେଇଥିଲେ ଅନିନ୍ଦିତା । ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କଲେ । ବାପା-ମାଆଙ୍କ ମୃତ୍ୟୁ ପରେ ଦୁଇ ଝିଅ ଆକାଂକ୍ଷା ଓ ଅନ୍ୱେସା ଏବେ ଅନାଥ ହୋଇ ଯାଇଛନ୍ତି । ଏହି ଘଟଣା ଏବେ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ଝିଅଙ୍କ ଭବିଷ୍ୟତ କଣ ହେବ ସେନେଇ ଚିନ୍ତାରେ ପରିବାର ଲୋକେ ।