ଏ ଯୁଗର ସାବିତ୍ରୀ, ସ୍ତ୍ରୀ ହେବ ତ ଏମିତି… କିଡନୀ ଦେଇ ସ୍ୱାମୀଙ୍କ ଜୀବନ ବଞ୍ଚାଇଲା ସ୍ତ୍ରୀ ।

319

କନକ ବ୍ୟୁରୋ: ନାରୀ ଓ ପୁରୁଷ ହେଉଛନ୍ତି ଉଭୟେ ପରିପୁରକ । ସ୍ୱାମୀ ବିନା ସ୍ତ୍ରୀ ଅଧୁରା ଓ ସ୍ତ୍ରୀ ବିନା ମଧ୍ୟ ସ୍ୱାମୀ ଅଧୁରା ଅଟନ୍ତି । ସ୍ୱାମୀ ହେଉଛି ସ୍ତ୍ରୀ ପାଇଁ ଇହକାଳ ପରକାଳର ଦେବତା ବୋଲି କୁହାଯାଏ । ଗୋଟିଏ ନାରୀ ପାଇଁ ତାର ଶଙ୍ଖା ସିନ୍ଦୂର ହିଁ ତା ପାଇଁ ସବୁକିଛି । ନାରୀଟିଏ ଶଙ୍ଖା, ସିନ୍ଦୂର ସୁରକ୍ଷା ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦିଅନ୍ତି । ସତ୍ୟ ଯୁଗରେ ସ୍ୱାମୀର ମୃତ୍ୟୁ ହେଲେ ସ୍ତ୍ରୀ ମଧ୍ୟ ସ୍ୱାମୀ ଜୁଇରେ ଝାସ ଦେଉଥିବା କଥା ଆମେ ଶୁଣିଛୁ । ପୁରାଣ ଯୁଗରେ ଆମେ ଶୁଣିଥିଲୁ, ମହାସତୀ ସାବିତ୍ରୀ ମଧ୍ୟ ଯମରାଜଙ୍କ ଠାରୁ ସ୍ୱାମୀର ଜୀବନ ଫେରାଇ ଆଣିଥିଲେ ।

ହେଲେ ବର୍ତ୍ତମାନ ମଧ୍ୟ ଏହି ଧାରା ଜାରି ରହିଛି ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ରେ ।

ପ୍ରମିଳା ରାଉତ । ଏମିତି ଏକ ମହତ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ । ମୃତ୍ୟୁମୁଖରେ ପଡ଼ିଥିବା ସ୍ୱାମୀଙ୍କୁ ନୂଆ ଜୀବନ ଦେଇ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରମିଳା । ସ୍ୱାମୀଙ୍କ ଦୁଇଟି କିଡନୀ ଖରାପ ଥିବା ଜାଣି ନିଜର ଗୋଟିଏ କିଡନୀ ଦେବାକୁ ଆଗେଇ ଆସିଥିଲେ ପ୍ରମିଳା । ଆଉ କିଡନୀ ଦେଇ ନିଜ ସ୍ୱାମୀଙ୍କ ଜୀବନ ବଞ୍ଚାଇଛନ୍ତି ।

୨୦୨୧, ମାର୍ଚ୍ଚ ୩ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ମକୁନ୍ଦ କୁମାର ରାଉତଙ୍କୁ ବିବାହ କରିଥିଲେ ପ୍ରମିଳା । ବିବାହର ଦୁଇବର୍ଷ ପରେ ଅର୍ଥାତ୍ ଗତବର୍ଷ ହଠାତ୍ ମକୁନ୍ଦଙ୍କ ଗୋଡ଼ହାତ ଫୁଲିବାରେ ଲାଗିଲା । ପରୀକ୍ଷା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି । ଏପରି ସ୍ଥିତିରେ ବଞ୍ଚିବାର ଏକମାତ୍ର ସାହାରା ଥିଲା କିଡନୀ ପ୍ରତ୍ୟାରୋପଣ । ଆଉ ତୁରନ୍ତ ନିଜ କିଡନୀ ଦାନ କରିବାକୁ ରାଜି ହୋଇଥିଲେ ପ୍ରମିଳା । ପରିବାର ଲୋକେ ଯଦିଓ ମନା କରିଥିଲେ, କିନ୍ତୁ ପ୍ରମିଳା ମନସ୍ଥ କରିସାରିଥିଲେ ଯେ ଯାହାକୁ ସାତ ଜନମର ସାଥୀ କରିଛନ୍ତି, ତାଙ୍କୁ କୌଣସି ପରିସ୍ଥିତିରେ ବଂଚାଇବି । ଗତ ଫେବୃଆରୀ ୭ ତାରିଖରେ ରାୟପୁର ଏକ ଘରୋଇ ଡାକ୍ତରଖାନାରେ ପ୍ରମିଳା କିଡନୀ ଦାନ କରିଛନ୍ତି । ଆଉ ତାଙ୍କ ସ୍ୱାମୀ ନୂଆ ଜୀବନ ପାଇଛନ୍ତି । ପ୍ରମିଳାଙ୍କ ଏଭଳି ମହତ କାମକୁ ଭୁରିଭୁରି ପ୍ରଶଂସା କରାଯାଇଛି । ବର୍ତ୍ତମାନ ମକୁନ୍ଦ ଓ ପ୍ରମିଳା ରାୟପୁରରେ ଚିକିତ୍ସିତ ଅଛନ୍ତି । ଉଭୟେ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି ।