ରାତି ପାହିଲେ ସାବିତ୍ରୀ ବ୍ରତ… ସତ୍ୟବାନକୁ ବଞ୍ଚାଇବାକୁ ସଙ୍ଘର୍ଷ କରୁଛି ଆଉ ଜଣେ ସାବିତ୍ରୀ । ସିନ୍ଦୂରର ସୁରକ୍ଷା ପାଇଁ ହାତଯୋଡି ସାହାଯ୍ୟ ମାଗୁଛି ସ୍ତ୍ରୀ…

793

କନକ ବ୍ୟୁରୋ: ଯଦି ଆଜି କରୋନା ନଥାନ୍ତା, ଯଦି ଆଜି ସ୍ୱାମୀଙ୍କ ଦେହ ଭଲଥାନ୍ତା, ଯଦି ଅଭିଷେକ ଆଜି ଅସୁସ୍ଥ ହୋଇ ନଥାନ୍ତେ କି ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁନଥାନ୍ତେ… ହୁଏତ ଆଜି ବେଶ ଧୂମଧାମରେ ସାବିତ୍ରୀ ବ୍ରତ ପାଳିଥାନ୍ତେ ଏ ନବବିବାହିତା ମହିଳା । ବିବାହର ପ୍ରଥମ ମାସରେ ହିଁ ପ୍ରଥମ ସାବିତ୍ରୀ ପଡୁଥିବାରୁ ବେଶ ଖୁସିରେ ସ୍ୱାମୀଙ୍କୁ ପୂଜିଥାନ୍ତେ ମୌସୁମୀ । ଅଭିଷେକଙ୍କ ପାଇଁ ଓଷା କରିଥାନ୍ତେ, ଉପବାସ ରହିଥାନ୍ତେ … ସ୍ୱାମୀଙ୍କ ଦୀର୍ଘ ଜୀବନ, ଦୀର୍ଘ ଆୟୁଷ ପାଇଁ ମଙ୍ଗଳ ମନାସୀ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତେ । ସ୍ୱାମୀଙ୍କୁ ଘଣ୍ଟ ଘୋଡାଇ ରଖିବାକୁ ଦେବାଦେବୀଙ୍କୁ ମାନସିକ କରିଥାନ୍ତେ…

ହେଲେ ନିଷ୍ଠୁର ସମୟ ସୁଖରେ ସାବିତ୍ରୀ ବ୍ରତ ପାଳିବାର ସେ ସୁଯୋଗଟିଏ ଦେଲାନି । ବିବାହର ପ୍ରଥମ ସାବିତ୍ରୀରେ ସ୍ୱାମୀଙ୍କୁ ମୁଣ୍ଡିଆ ମାରିବାକୁ ବି ମୌକା ଦେଲାନି । ବାହାଘରର ମାସେ ଭିତରେ ହିଁ ହୃଦୟର ମଣିଷକୁ ହସ୍ପିଟାଲ ବେଡରେ ପକାଇଦେଲା । ଆଉ କରୋନା ହେବା ପରେ ଏବେ ଜୀବନ ପାଇଁ ମୃତ୍ୟୁ ସହ ମୁକାବିଲା କରୁଛନ୍ତି ମୌସୁମୀଙ୍କ ମଣିଷ… ଓଃ ଏ ନିଷ୍ଠୁର କାହାଣୀ ଯେତିକି କରୁଣ ସେତିକି ହୃଦୟ ବିଦାରକ । ଅଭିଷେକ- ମୌସୁମୀଙ୍କ ଏ କାହାଣୀ ସତରେ ସାବିତ୍ରୀ ବ୍ରତ ପୂର୍ବରୁ ସମସ୍ତଙ୍କ ଆଖିରୁ ଲୁହ ନିଗାଡି ଦେଉଛି ।

ସେଦିନ ସିନା ଯମ ପାଖରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ । ନିଜ ନିଷ୍ଠା, ନିଜ ପତିବ୍ରତା ବଳରେ ପଶୁପତିଙ୍କ ପାଖରୁ ନିଜ ସ୍ୱାମୀର ଜୀବନ ଫେରାଇ ପାରିଥିଲେ ଦେବୀ ସାବିତ୍ରୀ । ହେଲେ ଆଜି ଯମ ନୁହେଁ ସ୍ୱାମୀର ଜୀବନ ପାଇଁ ଲୋକଙ୍କ ପାଖରେ ଭିକ୍ଷା ମାଗୁଛି ଆଉ ଜଣେ ସାବିତ୍ରୀ । ହସ୍ପିଟାଲ ବେଡରେ ମୃତ୍ୟୁ ସହ ଲଢୁଥିବା ସିନ୍ଦୂର କୁ ସୁରକ୍ଷିତ ଫେରାଇ ଆଣିବାକୁ ଗୁହାରୀ କରୁଛି ଏ ଯୁଗର ସାବିତ୍ରୀ । ହୁଏତ ତା ନେହୁରା ଶୁଣି କେହି ତାଙ୍କୁ ସହଯୋଗ କରିବେ, ଆଉ ତାଙ୍କ ଜୀବନ ବଞ୍ଚିଯିବ । ଏଇ ଆଶାରେ ଅସହାୟତାର ଏ ସହର ଛାତିରେ ଛିଡା ହୋଇ ହାତେଯାଜି ଭିକ ମାଗିଛି ଜଣେ ପତିବ୍ରତା ପତ୍ନୀ…

ଗତ ମେ ୫ ତାରିଖରେ ମୌସୁମୀ ମହାନ୍ତିଙ୍କୁ ବିବାହ କରିଥିଲେ ଭଦ୍ରକର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହ ପରେ କରୋନା ଆକ୍ରାନ୍ତା ହୋଇଥିଲେ ଅଭିଷେକ । ଆଉ ଅବସ୍ଥା ସଙ୍କଟାପନ୍ନ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଇସିଏମଓ ଚିକିତ୍ସାର ଆବଶ୍ୟକତା ଥିବାରୁ ତାଙ୍କୁ କୋଲକାତା ନେବାକୁ ଟଙ୍କାର ଆବଶ୍ୟକତା ପଡିଥିଲା । ପରିବାର ପାଖରେ ଏତେ ଟଙ୍କା ନଥିବାକୁ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ ଗୁହାରୀ କରିଥିଲେ ପରିବାର । ଆଉ ସାହାଯ୍ୟ ପାଇଁ ଅସହାୟ ପରିବାରର ଭିକ୍ଷା ପରେ ଅଭିଷେକଙ୍କ ପାଖକୁ ଛୁଟିଛି ସାହାଯ୍ୟର ସୁଅ । ଲୋକଙ୍କ ଦାନ ପରେ ଆଜି ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି ।

ରାତି ପାହିଲେ ସାବିତ୍ରୀ ବ୍ରତ । ସବୁ ବିବାହିତ ସ୍ତ୍ରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିବେ । ହେଲେ ଏ ସାବିତ୍ରୀ ଜଣଙ୍କ ସିନ୍ଦୂର ପାଇଁ ସହାୟତା ମାଗୁଛନ୍ତି । ଆସନ୍ତୁ ତାଙ୍କୁ ସାହାଯ୍ୟ କରିବା, ତାଙ୍କ ସିନ୍ଦୂରକୁ ସୁରକ୍ଷା ଦେବା । ତେବେ ଆପଣ ଯଦି ଅଭିଷେକଙ୍କୁ ସାହାଯ୍ୟ କରିବାରିବାକୁ ଚାହୁଁଛନ୍ତି ତାହାଲେ ଏହି ନମ୍ବରରେ ପଠାଇ ପାରିବେ ।