ଆଦିବାସୀ ମହିଳାଙ୍କୁ ମଶାଣୀ ମନା, ତଥାପି ମହାମାରୀ ବେଳେ ଶ୍ମଶାନ ଗଲା ସ୍ତ୍ରୀ । ସଂକ୍ରମଣ ସନ୍ଦେହରେ ସାହିଭାଇ ନଛୁଇଁବା ପରେ ଏକାଏକା ସ୍ୱାମୀର ଶବ କାନେ୍ଧଇଲେ, ମୁଖାଗ୍ନୀ ଦେଲେ ମହିଳା । ମାଥିଲି ମଥାରେ ଲେଖା ହେଲା କରୋନାର କରୁଣ କାହାଣୀ…

545

କନକ ବ୍ୟୁରୋ: କାନ୍ଧରେ କୋକେଇ, କୋକେଇରେ ସ୍ୱାମୀ । ସ୍ୱାମୀଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶେଷ ବିଦାୟ ଦେଉଛି ସ୍ତ୍ରୀ । ଆକାଶରୁ ବର୍ଷା ଝରୁଛି, ଆଖିରୁ ଲୁହ ଝରୁଛି । ଲଗାଣ ବର୍ଷା ପରି ବନ୍ଧବାଡ ମାନୁନି ଅମାନିଆ ଲୁହ । ପିପିଇ କିଟ୍ ଭେଦି ସିନା କରୋନା ଭିତରକୁ ପଶି ପାରିବନି ହେଲେ କାନ୍ଦକୁ କିଏ କଣ ଅଟକାଇ ପାରିବ ? ଲୁହ କୋହ ଯେବେ ଛାତି ଫଠାଇ ବାହାରେ ସେବେ ମାସ୍କ ଭିଜିଯାଏ, ଏକାକାର ହୋଇଯାଏ ବର୍ଷା ଓ ଲୁହ । ଆଉ ରାମ ନାମ ସତ୍ୟ ହେ କହି, ମଥାର ସିନ୍ଦୂର ପୋଛି ସ୍ତ୍ରୀ ଦିଏ ସ୍ୱାମୀ ମୁହଁରେ ମୁଖାଗ୍ନୀ…

ପ୍ରତିଦିନ କରୋନାକୁ ନେଇ ନୂଆ ନୂଆ କାହାଣୀ ଆସୁଥିବା ବେଳେ ଗତକାଲି ମାଲକାନଗିରିରୁ ଆସିଥିଲା ହୃଦୟବିଦାରକ ଚିତ୍ର । ଯେଉଁଠି ଜଣେ ସ୍ତ୍ରୀ ସ୍ୱାମୀ ମୁହଁରେ ମୁଖାଗ୍ନୀ ଦେବାକୁ ବାଧ୍ୟ ହୋଇଥିଲା । କୋରାପୁଟ ଲମତାପୁଟ ବ୍ଲକ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ବିଶାଖାପାଟଣାକୁ ପଠାଯାଇଥିଲା ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ପରେ ଆନ୍ଧ୍ରରୁ ନିଜ ଗାଁ ମାଥିଲି ମନ୍ଦାପାଲି ଗାଁକୁ ଶବ ଅଣାଯାଇଥିଲା ।

ହେଲେ ଗାଁରେ ଶବ ପହଞ୍ଚିବାପରେ ପାଖ ମାଡିନଥିଲେ ପଡୋଶୀ । ସଂକ୍ରମଣ ସନ୍ଦେହରେ ନା ସମ୍ପର୍କୀୟ ଆସିଥିଲେ ନା ସାହିଭାଇ ଛୁଇଁଥିଲେ । ମଶାଣୀକୁ ନେବାକୁ ୪ କାନ୍ଧ ଲୋଡା ଥିବାରୁ ନିଜ ଦୁଇ ଭାଇ ଆଉ ଦିଅରଙ୍କ ସହାୟତା ଲୋଡିଥିଲେ ହେଁ ଦରକାର ହେଉଥିଲା ଆଉ ଏକ କାନ୍ଧ । ଆଦିବାସୀ ପରମ୍ପରାରେ ମହିଳାଙ୍କ ମଶାଣୀ ମନା ଥିବାବେଳେ କେହି ନଆସିବା ପରେ ବାଧ୍ୟ ହୋଇ ସ୍ୱାମୀଙ୍କୁ କାନ୍ଧ ଦେଇ ମଶାଣୀ ମୁହାଁ ହୋଇଥିଲେ ଆଉ ମୁଖାଗ୍ନୀ ଦେଇଥିଲେ ପତ୍ନୀ ।

ସେପଟେ ବାପାଙ୍କ ମୃତ୍ୟୁ ପରେ ଶେଷ ଦର୍ଶନ କରିପାରିଲେନି ଚାରି ଚାରିଟି ଝିଅ । ନିଷ୍ଠୁର କରୋନା ଛୁଆଙ୍କୁ ବାପଛେଉଣ୍ଡ କରିଦେଲା ସିନା ହେଲେ ଶେଷ ଥର ପାଇଁ ବାପାଙ୍କ ମୁହଁ ଦେଖିବାକୁ ବି ସୁଯୋଗ ଦେଲାନି । ତେଣୁ ଘରେ ରହି ଲୁହ ଗଡାଇ ବାପାଙ୍କୁ ଶେଷ ବିଦାୟ ଦେଇଛନ୍ତି ୪ ଝିଅ । ଆଉ ମଶାଣୀରେ ବାପାଙ୍କ ବିଦାୟର ମୂକସାକ୍ଷୀ ସାଜିଥିବା ମାଆ ଭିତରେ ବାପାଙ୍କୁ ଖୋଜୁଛନ୍ତି…