ଖାକିରେ ଲାଗିଲା କଳଙ୍କ ! ପୋଲିସ ସ୍ୱାମୀଙ୍କ ନାଁରେ ସ୍ତ୍ରୀ ଆଣିଲେ ଅଭିଯୋଗ

63

କନକ ବ୍ୟୁରୋ : ଖାକିରେ ଲାଗିଲା କଳଙ୍କ । ସବୁବେଳେ ଅନ୍ୟ ଲୋକଙ୍କର ଅଭିଯୋଗ ଶୁଣୁଥିବା ପୋଲିସ ଏବେ ନିଜେ ଅଭିଯୋଗ ଫର୍ଦ୍ଦ ଭିତରେ ରୁନ୍ଧି ହୋଇ ଯାଇଛନ୍ତି । ଆଉ ପୋଲିସ ବାବୁଙ୍କ ନାଁରେ ଏଇ ଅଭିଯୋଗ ଅନ୍ୟ କେହି ନୁହେଁ ବରଂ ନିଜ ସ୍ତ୍ରୀ ଆଣିଛନ୍ତି । ପୋଲିସ ସ୍ୱାମୀଙ୍କ ନାଁରେ ସ୍ତ୍ରୀ ଆଣିଲେ ନିର୍ଯ୍ୟାତନାର ଅଭିଯୋଗ । ଓଏସଏପି ଫୋର୍ଥ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ପୋଲିସ ବାବୁଙ୍କ ନାମରେ ଏଭଳି ଅଭିଯୋଗ ଆସିଛି ।

ପୋଲିସ ବାବୁଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଅଭିଯୋଗ ଆଣିବା ସହ ଚାଉଳିଆଗଂଜ ଥାନାରେ ଏତଲା ଦାଏର କରିଛନ୍ତି । ଅଭିଯୋଗ ମୁତାବକ ଆଜି ସକାଳେ ହାବିଲଦାର ଜଣକ ତାଙ୍କ ଝିଅକୁ ମାଡ ମାରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ । ଆଉ ଏଭଳି ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ଖାଲି ସ୍ତ୍ରୀ ନୁହେଁ ଦୁଇ ଝିଅ ମଧ୍ୟ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ହେଉଛି ।

ଏନେଇ ପୂର୍ବରୁ ମହିଳା ଜଣଙ୍କ ସ୍ୱାମୀଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଥିଲେ କିନ୍ତୁ ତାଙ୍କ ଏତଲା ଗ୍ରହଣ କରା ଯାଇନଥିଲା । ଏପରିକି ଘରେ ଏସବୁର ସମାଧାନ କରିବାକୁ କହିଥିଲେ । କିନ୍ତୁ ଏହାପରେ ପୁଣିଥରେ ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ ସ୍ୱାମୀ । ଏପରିକି ତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଏଭଳି ନିର୍ଯ୍ୟାତନା ଦେବା ପଛରେ ଅନ୍ୟ ଏକ କାରଣ ହେଲା ସମ୍ପତ୍ତି । ପୋଲିସ ବାବୁଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ତାଙ୍କ ନାଁରେ ଥିବା ଜମିକୁ ବିକ୍ରି କରିବାକୁ ବାରମ୍ବାର ବାଧ୍ୟ କରୁଥିଲେ ସ୍ୱାମୀ । କିନ୍ତୁ ସେ ଏସବୁରେ ରାଜି ନ ହେବାରୁ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ତାଙ୍କ ସ୍ୱାମୀ । ତେଣୁ ସେ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ।