ବିଧବା ପ୍ରଥା ସମାପ୍ତ କରିବ ମହାରାଷ୍ଟ୍ର ସରକାର, ମହିଳାଙ୍କୁ ଭାଙ୍ଗିବାକୁ ପଡିବନି ଚୁଡି କି ସିନ୍ଦୂର ପୋଛି ପିନ୍ଧିବାକୁ ପଡିବନି ଧଳା ଶାଢୀ

1,983

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ଏକ ସୂଧାରାତ୍ମକ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କ୍ରମରେ ଶହ ଶହ ବର୍ଷ ଧରି ଚାଲିଥିବା ବିଧବା ପ୍ରଥାକୁ ଉଚ୍ଛେଦ କରିବା ନେଇ ଆଇନ ଆଣିପାରନ୍ତି ମହାରାଷ୍ଟ୍ର ସରକାର । ଏଥିରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ହାତରୁ ଚୁଡି ଭାଙ୍ଗିବା, ମଥାରୁ ସିନ୍ଦୂର ପୋଛିବା ଓ ମଙ୍ଗଳସୂତ୍ର ପିନ୍ଧିବା ଉପରେ କେହି ବି ଜଣେ ବିଧାବା ମହିଳାଙ୍କୁ ବାଧ୍ୟ କରିପାରିବେ ନାହିଁ । ରାଜ୍ୟ ସରକାର ହେରବାଡ ପଞ୍ଚାୟତର ନିଷ୍ପତ୍ତିକୁ ଗ୍ରହଣ କରି ଏହାକୁ ସାରା ରାଜ୍ୟରେ ପ୍ରଚଳନ କରିବାକୁ ଆଦେଶ ଦେଇଛନ୍ତି ।

ଏହି ସରକାରୀ ନିର୍ଦ୍ଦେଶକୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ପ୍ରତି ପଞ୍ଚାୟତକୁ ପଠାଯାଇଛି । ଏହାକୁ ପାଳନ କରିବାର ଦାୟିତ୍ୱ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କୁ ଦିଆଯାଇଛି । ହେଲେ ଏବେ ଏହି ନିୟମ ଉଲଙ୍ଘନ କଲେ କୌଣସି ଦଣ୍ଡ ବିଧାନର ପ୍ରାବଧାନ ଅଣାଯାଇ ନାହିଁ । ହେଲେ ଜିଲ୍ଲାପରିଷଦ ମୁଖୃ କାର୍ଯ୍ୟକାରୀ ଅଧିକାରୀଙ୍କୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କହିରଖୁ କି, ଚଳିତମାସ ୪ ତାରିଖରେ ହେରବାଡ ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତରେ ଏଭଳି ଏକ ଅମାନବୀୟ ପ୍ରଥାକୁ ବନ୍ଦ କରିବା ନେଇ ଏକ ପ୍ରସ୍ତାବ ପାରିତ କରିଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ମହାରାଷ୍ଟ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ହସନ ମୁସ୍ରିଫ ସବୁ ଗ୍ରାମପଞ୍ଚାୟତକୁ ଏକ ନିର୍ଦ୍ଦେଶ ଜାରି କରି ହେରବାଡ ଗ୍ରାମପଞ୍ଚାୟତକୁ ଅନୁକରଣ କରିବାକୁ କୁହାଯାଇଥିଲା ।