କନକ ବ୍ୟୁରୋ: ବଡ଼ଦିନକୁ ଭିଜାଇପାରେ ବର୍ଷା। ଭୂମଧ୍ୟ ସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ ଏବେ ପୂର୍ବାଞ୍ଚଳମୁହାଁ ହୋଇଥିବାରୁ ଏହା ପ୍ରଭାବରେ ଉତ୍ତର ଓ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ବର୍ଷା ଏବଂ ତୁଷାରପାତ ହେବ। ଏହା ପ୍ରଭାବରେ ଡିସେମ୍ବର ୨୪ରୁ ୨୭ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।

Advertisment

publive-image

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ବଡ଼ଦିନରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ୨୫ ଓ ୨୬ ଦୁଇଦିନ ଧରି ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଏହି ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଏବଂ କଟକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ୨୫ ଓ ୨୬ରେ ଉପରୋକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୨୬ ଓ ୨୭ରେ ଦକ୍ଷିଣ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ୨୫ରୁ ୨୭ତାରିଖ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି।

publive-image

ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୨୫ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଅଛି।କିନ୍ତୁ ଏବେ ରାଜ୍ୟରେ ଜୋରରେ ଶୀତ ଅନୁଭୂତ ହେବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମିବ। ରାଜ୍ୟର ବାକି ସ୍ଥାନରେ ପାରଦ ୧ରୁ ୨ଡିଗ୍ରି କମିବ। ଏହାପରେ ରାଜ୍ୟରେ ବର୍ଷା ହେଲେ ରାତିର ତାପମାତ୍ରା ବଢ଼ିବ। ଏପରିକି ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ।