କନକ ବ୍ୟୁରୋ: ଆସନ୍ତା ଜୁଲାଇ ମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଆସନ୍ତା ଜୁନ୍ ୨୭ ତାରିଖରେ ଏଥିପାଇଁ ଦଳ ଘୋଷଣା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଏହି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ହୋଇପାରେ କିଛିଟା ବଡ ପରିବର୍ତ୍ତନ । ରିପୋର୍ଟ ମୁତାବକ, ୱେଷ୍ଟଇଣ୍ଡିଜ୍ ଗସ୍ତରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇ ଆଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳର ଅଧିନାୟକ କରାଯାଇପାରେ । ସେହିପରି ଦିନିକିଆ ଏବଂ ଟି-୨୦ରେ ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ ବୋଲି ସୂଚନା ମିଳିଛି ।

Advertisment

ଆଇପିଏଲ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପରେ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ବିଶ୍ରାମ ନେଇପାରନ୍ତି । ତାଙ୍କ ସ୍ଥାନରେ ରାହାଣେ ଅଧିନାୟକ ଭାର ସମ୍ଭାଳି ପାରନ୍ତି । ଖାଲି ସେତିକି ନୁହେଁ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ଆଇପିଏଲରେ ଧମାଲ ମଚାଇଥିବା ରିଙ୍କୁ ସିଂ, ଯଶ୍ୱସ୍ୱୀ ଜୟସୱାଲ, ମୁକେଶ କୁମାରଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିପାରେ ବୋଲି ସୂଚନା ମିଳୁଛି । ଏହାବାଦ୍ ସଞ୍ଜୁ ସାମସନ୍, ଉମରାନ୍ ମଲ୍ଲିକ ଏବଂ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଦିନିକିଆ ଏବଂ ଟେଷ୍ଟ ଦଳରେ ସୁଯୋଗ ମିଳିପାରେ ।

ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯିବ । ଆଗକୁ ବିଶ୍ୱକପ୍ ଥିବାରୁ ବୋଲରମାନଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ତାଙ୍କ ସ୍ଥାନରେ କିଛି ନୂଆ ବୋଲରଙ୍କୁ ସୁଯୋଗ ଦିଆଯିବ ବୋଲି ସୂଚନା ମିଳୁଛି ।