କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । ଆସନ୍ତା ମେ ୧୦ ତାରିଖରେ ଏଠାରେ ଭୋଟ୍ ପଡିବାକୁ ଥିବାବେଳେ, ମେ ୧୩ ତାରିଖରେ ଆସିବ ରେଜଲ୍ଟ । ତେବେ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ସହିତ ପ୍ରମୁଖ ଦଳ ଗୁଡିକ ଏବେ ସତ୍ତା ହାତେଇବାକୁ ଲାଗି ପଡିଛନ୍ତି । ବିଜେପି ଏଠାରେ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିବାକୁ ଅଙ୍କ କଷୁଥିବାବେଳେ, କଂଗ୍ରେସ ପୁଣିଥରେ ଶାସନକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଖାଲି ସେତିକି ନୁହେଁ, ଅନ୍ୟ ଗୋଟିଏ ପଟେ ଜେଡିଏସ୍ ମଧ୍ୟ କର୍ଣ୍ଣାଟକରେ କିଙ୍ଗ୍ ମେକର ହେବାକୁ କସରତ କରୁଛି । ହେଲେ ଏସବୁ ଭିତରେ ବିଜେପି ପାଇଁ କର୍ଣ୍ଣାଟକ ଇଲେକ୍ସନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି କୁହାଯାଉଛି । ଯାହାକି ୨୦୨୪ ଇଲେକ୍ସନ ପାଇଁ ଜନତାଙ୍କ ମୁଡ୍ ପରଖିବା ସହିତ ବିଜେପି ଲୋକଙ୍କ ପାଖରେ କେତେ ପହଞ୍ଚିପାରିଛି , ତାହାର ଏକ ପ୍ରମାଣ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିବା ଆରମ୍ଭ କଲେଣି ।

Advertisment

କର୍ଣ୍ଣାଟକ ନିର୍ବାଚନକୁ ନିଜ ପକ୍ଷରେ ନେବା ପାଇଁ ବିଜେପି ବି ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି...

ବଡ ମିଶନରେ ୟେଦୁରପ୍ପା

ଗତ ତିନି ମାସ ହେଲା ବିଜେପି ନିଜର ସବୁଠୁ ପ୍ରଭାବଶାଳୀ ନେତା ବିଏସ୍ ୟେଦୁରପ୍ପାଙ୍କୁ କର୍ଣ୍ଣାଟକ ବିଜୟ ମିଶନରେ ଲଗାଇ ଦେଇଛି । ୟେଦୁରପ୍ପା ରାଜ୍ୟର ଚାରିଆଡେ ବୁଲିବା ସହିତ ବିଜେପି ପାଇଁ ବଳ ଗୋଟାଉଛନ୍ତି । କର୍ଣ୍ଣାଟକ ବିଧାନସଭାର ସିଟ୍ ସଂଖ୍ୟା ୨୨୪ ଥିବାବେଳେ, ଏହା ଭିତରୁ ଏଥର ୧୫୦କୁ କବଜା କରିବାର କଷ୍ଟସାଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେପି । ଆଉ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ୟେଦୁରପ୍ପା ସବୁ ବଳ ଲଗାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କର୍ଣ୍ଣାଟକ ବିଧାନସଭାରେ ବିଜେପିର ୧୧୯ ବିଧାୟକ ଥିବାବେଳେ, କଂଗ୍ରେସର ୭୫ ଓ ଜେଡିଏସର ୨୮ ବିଧାୟକ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

କର୍ଣ୍ଣାଟକ ନିର୍ବାଚନରେ ସବୁବେଳେ ଜାତିର ପ୍ରଭାବ ଦେଖିବାକୁ ମିଳିଥାଏ । ତେଣୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ୟେଦୁରପ୍ପାଙ୍କ ଭିତରେ ଯେଭଳି କୌଣସି ପ୍ରକାରର ଖରାପ ସମ୍ପର୍କ ସୃଷ୍ଟି ନହେବ ସେଥିପାଇଁ ବଡ ଧ୍ୟାନ ରଖିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଏପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିବାବେଳେ, ଏହି ଦୁଇ ନେତାଙ୍କ ଭିତରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ତାହା ଏବେ ବି ଆଶଙ୍କାରେ । ବିଧାନସଭା ନିର୍ବାଚନ ପାଇ ଗଠନ ହୋଇଥିବା ଅଭିଯାନ ସମିିତିର ଅଧ୍ୟକ୍ଷ ବାସବରାଜ ବୋମାଇ ହୋଇଥିଲେ ବି, ତାଙ୍କୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇନି । ଯାହା କର୍ଣ୍ଣାଟକ ବିଜୟ ପାଇଁ ବିଜେପିର ଏକ ବଡ ଗେମ୍ ପ୍ଲାନ୍ ବୋଲି କୁହାଯାଉଛି ।

ୟେଦୁରପ୍ପାଙ୍କ ପୁଅକୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସିଟ୍

ନିର୍ବାଚନ ତାରିଖ ଘୋଷଣା ହେବାର ଗୋଟିଏ ସପ୍ତାହ ପୂର୍ବରୁ ଅମିତ ଶାହା ୟେଦୁରପ୍ପାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ସେ ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ପ୍ରତି ଖୋଲାଖୋଲି ନିଜର ସମର୍ଥନ ଦେଖାଇଥିବାବେଳେ, ବିଜୟେନ୍ଦ୍ରଙ୍କୁ ଏଥର ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ସିଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ, ବିଜେପି ଗଠନ କରିଥିବା ୨୫ ସଦସ୍ୟ ବିଶିଷ୍ଟ ଅଭିଯାନ ସମିତିରେ ୟେଦୁରପ୍ପାଙ୍କ ସହିତ ତାଙ୍କ ପୁଅକୁ ମଧ୍ୟ ସ୍ଥାନ ମିଳିଛି । ତେଣୁ କୁହାଯାଉଛି, ୟେଦୁରପ୍ପାଙ୍କ ପରେ ତାଙ୍କ ପୁଅ କର୍ଣ୍ଣାଟକ ରାଜନୀତିରେ ବିଜେପି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ।

୨୦୨୪ ନିର୍ବାଚନ ପାଇଁ କର୍ଣ୍ଣାଟକ ଗୁରୁତ୍ୱପୂର୍ଣ୍ଣ

କର୍ଣ୍ଣାଟକ ବିଜୟ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ୍ ବିଜେପି ପାଇଁ ଏସିଡ୍ ଟେଷ୍ଟ ହେବ । ଲୋକସଭାକୁ ଏହି ରାଜ୍ୟରୁ ୨୮ ସାଂସଦ ଯାଉଥିବାବେଳେ, ୨୦୧୯ ରେ ବିଜେପିର ୨୫ ଜଣ ପ୍ରାର୍ଥୀ ନିର୍ବାଚନ ଜିତି ଲୋକସଭା ଯାଇଥିଲେ । ତେଣୁ ୨୦୨୪ରେ କେନ୍ଦ୍ରରେ ପୁଣିଥରେ ମୋଦୀ ସରକାର ଗଠନ ପାଇଁ କର୍ଣ୍ଣାଟକରେ ଲୋକଙ୍କ ଆସ୍ଥା ଜିତିବା ବିଜେପି ପାଇଁ ଏକାନ୍ତ ଆବଶ୍ୟକ ।

ଦକ୍ଷିଣ ଭାରତରେ କର୍ଣ୍ଣାଟକ ହେଉଛି ଏମିତି ଏକ ରାଜ୍ୟ, ଯେଉଁଠି ବିଜେପିର ସରକାର ଅଛି । ବର୍ତ୍ତମାନ ସମୟରେ କର୍ଣ୍ଣାଟକକୁ ବିଜେପିର ଏକ ଗଡ ବୋଲି ବି କୁହାଯାଉଛି । ଯଦି ଏହି ଗଡରେ ବିଜେପି ନିଜ ଆସନ ସୁରକ୍ଷିତ କରିପାରିବନି, ତେବେ ଏହାର ପ୍ରଭାବ ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିପାରେ ।