କାହିଁକି କଟିଲା ୪ ସାଂସଦଙ୍କ ଟିକେଟ୍? କାହିଁକି ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେନି ବିଶ୍ୱେଶ୍ୱର ଟୁଡୁ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଆଉ ନୀତିଶ ଗଙ୍ଗଦେବ ?

5,848

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଓଡିଶାରେ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି, ସେଥିରେ କିଛି ବଡ଼ ନେତାଙ୍କ ନା ବାଦ୍ ପଡିବା ସଭିଁଙ୍କୁ ଚକିତ କରିଛି । ବିଶ୍ୱେଶ୍ୱର ଟୁଡୁ, ସୁରେଶ ପୁଜାରୀ ଓ ବସନ୍ତ ପଣ୍ଡାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏଥର ବାଦ୍ ଦେଇଛନ୍ତି ଶୀର୍ଷ ନେତୃତ୍ୱ । ତେବେ ରାଜ୍ୟ ବିଜେପିର ଏହି ତୁଙ୍ଗ ନେତାଙ୍କ ଟିକେଟ କଟିବା ପଛର କାରଣ କ’ଣ, ଏ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ରାଜ୍ୟର ୧୮ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କିଛି ବଡ଼ ନେତାଙ୍କ ନାଁ ନଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠୁ ବଡ଼ କଥା ହେଉଛି, କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪ ଜଣ ସାଂସଦଙ୍କ ଟିକେଟ କଟିଯାଇଛି ।

  • ୪ ସାଂସଦଙ୍କ କଟିଲା ଟିକେଟ୍
  • କେମିତି ଥଇଥାନ କରିବ ବିଜେପି?

ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ରାଜ୍ୟ ରାଜନୀତିରେ ଏହି ତିନି ନେତାଙ୍କର ବିଶେଷ ଅଭିଜ୍ଞତା ରହିଛି । କେନ୍ଦ୍ରମନ୍ତ୍ରୀ ପଦରୁ ପ୍ରତାପ ଷଡଙ୍ଗୀଙ୍କୁ ହଟାଇବା ପରେ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଥିଲା ମନ୍ତ୍ରୀପଦ । ହେଲେ ତାଙ୍କ ସ୍ଥାନରେ ଏଥର ମୟୂରଭଞ୍ଜ ଆସନରୁ ଲଢ଼ିବେ ନବଚରଣ ମାଝୀ । ସେହିପରି ବିଜେପି ଶିବିରରେ ବେଶ ପ୍ରଭାବଶାଳୀ ହେଉଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ହେଲେ ଏଥର ତାଙ୍କ ସ୍ଥାନରେ ମିଳିଛି ପ୍ରଦୀପ ପୁରୋହିତଙ୍କୁ ଦଳୀୟ ଟିକେଟ୍ । ଅନ୍ୟପଟେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ବଦଳରେ ଲଢ଼ିବେ ମାଳବିକା କେଶରୀ ଦେଓ । ରାଜ୍ୟ ବିଜେପିର ଏହି ତୁଙ୍ଗ ନେତାଙ୍କ ଟିକେଟ କଟିବା ପଛର କାରଣ କ’ଣ, ଏ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

କାହିଁକି କଟିଲା ଟିକେଟ୍?

  • କିଛି ସାଂସଦଙ୍କୁ ବିଧାନସଭା ଟିକେଟ ଦିଆଯିବ
  • ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ସଫଳତା ଦୋହରାଇବା ପାଇଁ ଚାହୁଁଛି ବିଜେପି
  • ବିଧାନସଭା ପାଇଁ ବଡ଼ ଚେହେରା ଖୋଜୁଛି ଦଳ
  • ଯେଉଁ ନେତାଙ୍କ ସଂପର୍କରେ ନକରାତ୍ମକ ରିପୋର୍ଟ ଥିଲା, ସେମାନଙ୍କୁ ମିଳିନାହିଁ ଟିକେଟ

ଏପଟେ ବିଜେପି ନେତାଙ୍କ କହିବା କଥା, ବିଜେପି ଏକ ଶୃଙ୍ଖଳିତ ଦଳ । କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ଯେଉଁ ନିଷ୍ପତି ନେବେ, ସେହି ଅନୁସାରେ ସମସ୍ତେ କାର୍ଯ୍ୟ କରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳୀୟ ଟିକେଟ ମିଳିବା ପରେ ସାଂସଦ ନୀତେଶ ଗଙ୍ଗଦେବଙ୍କୁ କିପରି ଥଇଥାନ କରାଯିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।