ଆଖି ଖୋଲିଦେବ ଗ୍ରାଉଣ୍ଡ ଜିରୋ ରିପୋର୍ଟ । କେମିତି ଓଡ଼ିଶା ଗାଁରେ ପଡିଛି ପୋଲାଭରମ ପ୍ରକଳ୍ପର ପ୍ରଭାବ, ପଛୁଆ ପାଣି ଉସାଇ ଦେଉଛି ଲୋକଙ୍କ ଭବିଷ୍ୟତ । ବର୍ଷା ଛାଡିଗଲା ପରେ ବି ନିଷ୍କାସିତ ହୋଇପାରୁନି ବନ୍ୟାଜଳ ।

189

କନକ ବ୍ୟୁରୋ: ସ୍ୱର ବଦଳାଇଲେ ମାଲକାନଗିରି ମୋଟୁ ବାସିନ୍ଦା । ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଆସୁଥିବା ମୋଟୁ ବାସିନ୍ଦାଙ୍କ ଏବେ କାର ଦାବି ହେଲା, ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉ । ପୋଲାଭରମ ପ୍ରକଳ୍ପକୁ ୪ଟି ରାଜ୍ୟର ବିରୋଧ ସତ୍ୱେ ପ୍ରକଳ୍ପ କାମ ଆଗେଇ ଚାଲିଛି । ଆଉ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦିଆଯାଇ ଥିବାରୁ କାମ ବନ୍ଦ ହେବାର ସମ୍ଭାବନା ମଧ୍ୟ ନାହିଁ । ତେଣୁ ମୋଟୁ ଅଂଚଳବାସୀ ସେମାନଙ୍କ ଆଭିମୁଖ୍ୟରେ ପରିବର୍ତନ କରିଛନ୍ତି ।

ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳ ବାସିନ୍ଦାଙ୍କ ପାଇଁ ଅଭିଶାପ ବନିଯାଇଛି । କାରଣ ପୋଲାଭରମ ବନ୍ଧର ପଛୁଆ ପାଣି ସିଲେରୁ ଓ ସାବେରୀ ନଦୀରେ ବନ୍ୟା ଆଣୁଛି ଓ ଏହି ମୋଟୁ ଅଂଚଳ ଜଳବନ୍ଦୀ ହୋଇଯାଉଛି । ଏଥର ବର୍ଷା ଟିକେ ଅଧିକ ହୋଇଯିବାରୁ, ମାଲକାନଗିରିରୁ ପ୍ରାୟ ୧୦୦ କିଲୋମିଟର ଦୂର ଏବଂ ଆନ୍ଧ୍ର ସୀମାନ୍ତରେ ଥିବା ଏହି ଅଂଚଳରେ ପୋଲାଭରମ ବନ୍ଧର ପ୍ରଭାବ ସ୍ପଷ୍ଟ ଭାବେ ବାରି ହୋଇଛି ।

ଏ ପ୍ରକାର ପରିସ୍ଥିତି ପରେ ଏମାନେ ବରଂ ବିସ୍ଥାପିତ ହୋଇଯିବାକୁ ଅଧିକ ଭଲ ମନେକରିଛନ୍ତି । ଆଉ ଜମି ବଦଳରେ ଜମି, ଘର ବଦଳରେ ଘର ଓ ଆର୍ଥିକ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ମୋଟୁ ବାସିନ୍ଦା । ତେଣୁ ଏବେ ପ୍ରକଳ୍ପ ବନ୍ଦ ଦାବିରୁ ଓହରି ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ଲାଗି ଦାବି ରଖିଛନ୍ତି । ପ୍ରଭାବିତ ଅଂଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି କହିଛନ୍ତି ।

ଆପଣ ଯଦି ସିମାନ୍ତ ମାଲକାନଗିରି ଜିଲ୍ଲାର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କରିବେ, ତାହେଲେ ବନ୍ୟା ସ୍ଥିତିର ପ୍ରକୃତ କାରଣ ବୁଝିବାରେ ଅସୁବିଧା ରହିବ ନାହିଁ । ସାବେରୀ ନଦୀ ଏବଂ ସିଲେରୁ ନଦୀ ଇଂରାଜୀର ଅକ୍ଷର-ଭି ଆକୃତି ହୋଇ ମାଲକାନଗିରିର ମୁଗି ପଏଂଟରେ ମିଶିଛି । ଆଉ ମୁଗି ପଏଂଟରୁ ଇଂରାଜୀ ଅକ୍ଷର-ୱାଇ ର ଆକୃତି ନେଇ ଚୀନା ଗୋଦାବରୀ ନଦୀ ଆଗକୁ ବଢ଼ିଛି । ଯାହା ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ମିଶିଛି । ଆଉ ଯେତେବେଳେ ଗୋଦାବରୀ ନଦୀର ଜଳ ସ୍ଥଳ ବଢୁଛି । ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ଚୀନା ଗୋଦାବରୀର ଜଳସ୍ଥର ସ୍ଥିର ହୋଇଯାଉଛି । ଯାହାର ସିଧାସଳଖ ପ୍ରଭାବ ସାବେରୀ ନଦୀ ଏବଂ ସିଲେରୁ ନଦୀ ଉପରେ ପଡ଼ୁଛି ।