କାହିଁକି ଅଫିସରଙ୍କ ଉପରେ ରାଗିଥିଲେ କେନ୍ଦ୍ରମନ୍ତ୍ରୀ? ପଢନ୍ତୁ, କ’ଣ କହିଲେ ବିଶ୍ୱେଶ୍ୱର ଟୁଡୁ…

352

କନକ ବ୍ୟୁରୋ: ଅଫିସରଙ୍କୁ  ଟାର୍ଗେଟ କରି ବିବାଦରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବେ ମୁହଁ ଖୋଲିଛନ୍ତି । କାହିଁକି ଅଫିସରଙ୍କ ଉପରେ ସେ ରାଗିଥିଲେ, ସେନେଇ ନିଜେ କହିଛନ୍ତି ମନ୍ତ୍ରୀ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବା ସତ୍ତ୍ୱେ ଅଫିସର ଓ ଜିଲ୍ଲା ପ୍ରଶାସନ ପ୍ରୋଟକଲ ମାନୁନାହାଁନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଆଉ ତା ସହିତ ଜିଲ୍ଲପାଳ ଓ ଅନ୍ୟ ଅଧିକାରୀ ବିଜେଡିର କର୍ମୀଭାବେ କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏସବୁ ଭିତରେ ବାରିପଦା ସର୍କିଟ ହାଉସର ଏକ ଘଟଣା, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କ୍ରୋଧର ପ୍ରମୁଖ କାରଣ ବୋଲି କୁହାଯାଉଛି । ଏକଥା ନିଜେ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଠାରେ ମନ୍ତ୍ରୀଙ୍କ ରହିବା ନେଇ ଦିଲ୍ଲୀରୁ ସୂଚନା ଦିଆଯାଇଥିଲା କିନ୍ତୁ ଅଫିସରମାନେ ମନ୍ତ୍ରୀଙ୍କ ପାଇଁ କେବଳ ଗୋଟିଏ ସାଧାରଣ ରୁମ୍ ରଖିଥିଲେ । ପରେ ତାଗିଦ କରିବାରୁ ତିନିଟି ରୁମ ରଖାଗଲା ।  ତେବେ ମନ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କ ପାଇଁ ଭିଆଇପି ରୁମଟି ରଖାଗଲା ନାହିଁ । ଏହି ରୁମ ରାଜ୍ୟ ଏସସିଏସଟି ନିର୍ଦ୍ଦେଶିକା ପୁନମ ଗୁହାଙ୍କ ପାଇଁ ରଖାଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଆସିବା ନେଇ ପୂର୍ବରୁ ସୂଚନା ଥିବା ସତ୍ତ୍ୱେ କାହିଁକି ଏଭଳି କରାହେଲା, ତାହା ବୁଝାପଡ଼ୁନାହିଁ ।

ତେବେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟର ଦାୟିତ୍ୱରେ ଥିବା ବିଶ୍ୱେଶ୍ୱରଙ୍କୁ ଜିଲ୍ଲାର ସରକାରୀ ବାବୁମାନେ କାହିଁକି ଅଣଦେଖା କଲେ, ତାର କାରଣ ମଧ୍ୟ ନିଜେ ମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ଏଭଳି ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ବାରିପଦା ସର୍କିଟ ହାଉସର ଏହି ଘଟଣାକୁ ନେଇ ସର୍କିଟ ହାଉସ ଦାୟିତ୍ୱରେ ଥିବା ମୟୁରଭଞ୍ଜ ଏଡିଏମ ରୁଦ୍ରନାରାୟଣ ମହାନ୍ତିଙ୍କ ସହ ଏନେଇ କଥା ହୋଇଥଲେ କନକ ନ୍ୟୁଜର ପ୍ରତିନିଧି । ସେ କହିଥିଲେ, ମନ୍ତ୍ରୀଙ୍କ ରୁମ ରିଜରଭେସନ୍ ପାଇଁ ନିର୍ଦ୍ଦିଷ୍ଟ ରୁମ ନମ୍ବର ଉଲ୍ଲେଖ ହୋଇ ନ ଥିଲା । ତେଣୁ ପ୍ରଶ୍ନ ଉଠୁଛି, ଏଡିଏମଙ୍କ ଯୁକ୍ତି କେତେ ଗ୍ରହଣଯୋଗ୍ୟ ।

କେନ୍ଦ୍ରମନ୍ତ୍ରୀଙ୍କୁ ଅଫିସରମାନେ କିଭଳି ଅଣଦେଖା କରନ୍ତି, ସେହି ଚିତ୍ର ଦେଖିବାକୁ ମିଳିଥିଲା ଚମ୍ପୁଆ ଓ କୁଚିଣ୍ଡାରେ । କେନ୍ଦ୍ରମନ୍ତ୍ରୀ ସମୀକ୍ଷା ପାଇଁ ଆସିଥିଲେ, ହେଲେ ଜିଲ୍ଲାପାଳ କିମ୍ବା ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହି ନ ଥିଲେ । ତଳସ୍ତରର ଅଫିସରମାନେ ଯୋଗ ଦେଇଥିଲେ ।  ତେଣୁ ଆଶ୍ଚର୍ଯ୍ୟ ଲାଗୁଛି, ମୋଦୀଙ୍କ ମନ୍ତ୍ରୀ କ’ଣ ଏତେ ଅସହାୟ? ଜିଲ୍ଲାର ସାଧାରଣ ସରକାରୀ ବାବୁମାନେ ବି ତାଙ୍କୁ ଏଭଳି ଅଣଦେଖା କରିବାକୁ ସାହସ କରୁଛନ୍ତି କିପରି…