କନକ ବ୍ୟୁରୋ: କାହିଁକି ବାଚସ୍ପତି ପଦ ପାଇଁ ନିର୍ବାଚନ ହେଲା? ପରମ୍ପରା ଅନୁଯାୟୀ ସବୁବେଳେ ବାଚସ୍ପତି ପଦ ଶାସକ ଦଳ ଓ ଉପ-ବାଚସ୍ପତି ପଦ ବିରୋଧୀ ଦଳକୁ ଯାଏ । ମାତ୍ର ଉପ-ବାଚସ୍ପତି ପଦ ବିରୋଧୀ ଇଣ୍ଡି ମେଣ୍ଟକୁ ଦେବାକୁ ଶାସକ ଦଳ ବିଜେପି କୌଣସି ପ୍ରତିଶ୍ରୁତି ଦେଇନଥିଲା । ଯାହାଫଳରେ ବାଚସ୍ପତି ପଦ ପଦବୀ ପାଇଁ ନିର୍ବାଚନ ହେବାକୁ ପଡିଲା ।

Advertisment

ସମ୍ବିଧାନର ଧାରା ୯ ଅନୁଯାୟୀ ଲୋକସଭା ଆରମ୍ଭ ହେବା ପରେ ଯେତେଶୀଘ୍ର ସମ୍ଭବ ନିଜ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି ଓ ଅନ୍ୟ ଜଣଙ୍କୁ ଉପବାଚସ୍ପତି ପଦବୀ ପାଇଁ ମନୋନୀତ କରିଥାଏ । ସେହିଭଳି ଉପ-ବାଚସ୍ପତି ପଦବୀ ପାଇଁ ଆବଶ୍ୟକ ପଡିଲେ ନିର୍ବାଚନ ହେବାର ମଧ୍ୟ ବିଧି ରହିଛି । ଲୋକସଭା ବିଧି ନିୟାମକ ଧାରା-୮ ଅନୁଯାୟୀ ଉପ-ବାଚସ୍ପତି ନିର୍ବାଚନ ପାଇଁ ତାରିଖ ବାଚସ୍ପତି ହିଁ ଠିକ୍ କରିବେ । କେବଳ ଏହି ଧାରାକୁ ଆଧାର କରି ଗତ ଲୋକସଭାର ପୂରା କାର୍ଯ୍ୟକାଳ ମଧ୍ୟରେ ତକ୍ରାଳୀନ ବାଚସ୍ପତି ଓମ୍ ବିର୍ଲା ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନ ପାଇଁ ତାରିଖ ଘୋଷଣା କରିନଥିଲେ । ଯାହା ଫଳରେ ପୂରା ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ମଧ୍ୟରେ ଉପ-ବାଚସ୍ପତି ପଦ ଖାଲି ରହିଥିଲା ।

ବିରୋଧୀ ଦଳକୁ ଏହି ପଦବୀ ନଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିଲେ । ଏହାସହିତ ବର୍ତମାନ କାର୍ଯ୍ୟକାରୀ ବାଚସ୍ପତି ପଦ ତୁଲାଇଥିବା ତକ୍ରାଳୀନ ବିଜେଡି ସଭ୍ୟ ଭର୍ତ୍ତୃହରି ମହତାବଙ୍କୁ ଉପବାଚସ୍ପତି ପଦବୀ ଦେବାକୁ ପ୍ରଧାନମନ୍ତ୍ରୀ ଚାହୁଁଥିଲେ । ମାତ୍ର ବିଜେଡି ନେତୃତ୍ୱଙ୍କ ସମ୍ମତି ମିଳିନଥିବାରୁ ଭର୍ତ୍ତୃହରିଙ୍କୁ ଏହି ପଦବୀ ମିଳିନଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳ ୨୦୧୪-୨୦୧୯ରେ ମଧ୍ୟ ବିଜେପିର ମେଣ୍ଟର ସହଯୋଗୀ ଏଆଇଏଡିଏମକେର ଏମ. ଥାମ୍ବି ଦୁରାଇଙ୍କୁ ଉପବାଚସ୍ପତି ପଦବୀ ମିଳିଥିଲା । ଚଳିତ ଲୋକସଭା ନିର୍ବାଚନରେ ଆଶାତୀତ ସଫଳତା ପାଇଛି ବିରୋଧୀ ଇଣ୍ଡି ମେଣ୍ଟ । ବିଜେପି ଏକକ ସଂଖ୍ୟାଗରିଷ୍ଠତା ପାଇନଥିଲେ ମଧ୍ୟ ଅନ୍ୟ ମେଣ୍ଟ ସହଯୋଗୀ ମୁଖ୍ୟତଃ ତେଲଗୁ ଦେଶମ ପାର୍ଟି ଓ ଜେଡିୟୁ ସହଯୋଗରେ ସରକାର କରିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବିରୋଧୀ ଇଣ୍ଡି ମେଣ୍ଟକୁ ଉପବାଚସ୍ପତି ପଦବି ଦେବେ ନା ସହଯୋଗୀ ବିଜେପି କିମ୍ବା ଜେଡିୟୁରୁ କାହାକୁ ଏହି ପଦବୀ ପାଇଁ ମନୋନୀତ କରିବେ ଦେଖିବାକୁ ବାକି ।