କନକ ବ୍ୟୁରୋ: ନିର୍ବାଚନ ପାଇଁ ବିଜେପି ୨ଟି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଥିବା ବେଳେ ତୃତୀୟ ତାଲିକା ଉପରେ ରହିଛି ସାରା ଦେଶର ନଜର । ଏପରି ସମୟରେ ବୁଧବାର ବସିବାକୁ ଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକକୁ ଶୁକ୍ରବାର ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ତେବେ କାହିଁକି ଘୁଂଚିଲା ସିଇସି ବୈଠକ, ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ । ଅଙ୍କ ଛିଣ୍ଡୁନଥିବା ଚର୍ଚ୍ଚା ହେଉଛି ।

Advertisment

ବିଜେପିର ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା ଉପରେ ସାରା ଦେଶର ନଜର ଅଟକି ରହିଥିବା ବେଳେ ଅଚାନକ୍୍ ଘୁଂଚିଗଲା ବୈଠକ । ବିଜେପିର କେନ୍ଦ୍ରୀୟ ନିର୍ବଚନ କମିଟିର ବୈଠକର ତାରିଖ ଘୁଂଚିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି-

ବୁଧବାର ବସିବାକୁ ଥିବା ବିଜେପିର କେନ୍ଦ୍ରୀୟ ନିର୍ବଚନ କମିଟି ବୈଠକ ଆସନ୍ତା ଶୁକ୍ରବାର ଯାଏଁ ଘୁଂଚାଇ ଦିଆଯାଇଛି । କୁହାଯାଉଛି-ଏକାଧିକ କାରଣ ଯୋଗୁଁ ବିଜେପି ଏଭଳି ନିଷ୍ପତି ନେଇଛି । ଅନୁମାନ ଓ ଆକଳନ ଏହି କାରଣ ଭିତରେ ମୁଖ୍ୟତଃ
୧- ମେଂଟ ଚର୍ଚ୍ଚା
୨- ବଡ଼ ଚେହେରା
୩- ଆସନ ଭାଗବଂଟା
କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି । ଏନଡିଏ’ର ଲକ୍ଷ୍ୟ ରହିଛି ମିଶନ୍ ୪ଶହ ପାର୍ । ଏହି ଲକ୍ଷ୍ୟ ହାସଲ ପାଇଁ ନୂଆ ନୂଆ ସାଥୀ ସନ୍ଧାନରେ ରହିଛି ବିଜେପି । ସେହିପରି କିଛି ପୁରୁଣା ସାଥୀଙ୍କୁ ପୁଣି ଥରେ ଏକାଠି ଆଣିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ସିଇସି ବୈଠକର ତାରିଖ ଘୁଂଚିଥିବା ଆକଳନ କରାଯାଉଛି ।

ସମ୍ଭାବ୍ୟ କାରଣ ନମ୍ବର: ୧
ମେଂଟ ଚର୍ଚ୍ଚା
ଓଡ଼ିଶାରେ ବିଜେଡି ସହ ମେଂଟ ଚର୍ଚ୍ଚା ଜୋରଧରିଥିଲେ ବି ଚୁଡ଼ାନ୍ତ ନିଷ୍ପତିକୁ ଅପେକ୍ଷା କରାଯାଇଛି । ସେହିପରି ପଂଜାବରେ ଅକାଳୀ ଦଳ ସହ ମେଂଟ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଆଉ ମହାରାଷ୍ଟ୍ରରେ ଏମଏନ୍ଏସ୍ ସହ ମେଂଟ ପ୍ରସଙ୍ଗରେ ରାଜ୍ ଠାକ୍ରେ ଏବଂ ଅମିତ ଶାହାଙ୍କ ଚର୍ଚ୍ଚା- ଆଲୋଚନାର ଚିତ୍ର ସାରା ଦେଶ ଦେଖିଛି । ହୁଏତ ଏହି କାରଣରୁ ତାରିଖ ଘୁଂଚିଥିବା କୁହାଯାଉଛି ।

ସମ୍ଭାବ୍ୟ କାରଣ ନମ୍ବର: ୨
ବଡ଼ ଚେହେରା
ଯଦିଓ ଦୁଇଟି ପର୍ଯ୍ୟାୟରେ ବିଜେପି ୨୬୭ ଆସନ ପାଇଁ ଟିକେଟ୍ ଘୋଷଣା କରି ସାରିଛି । ତଥାପି ତୃତୀୟ ପର୍ଯ୍ୟାୟ ତାଲିକାରେ ବରୁଣ ଗାନ୍ଧୀ,ମାନେକା ଗାନ୍ଧୀ, ଭି.କେ ସିଂହଙ୍କ ଭଳି ବଡ଼ ବଡ଼ ଚେହେରାଙ୍କ ନାଁ ଓ ତାଙ୍କ ଆସନ ଘୋଷଣା କରିବାର ସମ୍ଭାବନା ରହିଛି । ସେଥିପାଇଁ ଭାବିଚିନ୍ତା ନେତା ଓ ଆସନର ନାଁ ଘୋଷଣା ପାଇଁ ଦଳ ସମୟ ନେବାକୁ ତାରିଖ ଘୁଂଚାଇଥିବା ସମ୍ଭାବନା ରହିଛି ।

ସମ୍ଭାବ୍ୟ କାରଣ ନମ୍ବର: ୩
ଆସନ ଭାଗବଂଟା
ଦକ୍ଷିଣ ଭାରତରେ ଏକାଧିକ ଦଳ ସହ ମେଂଟ କରିଛି ବିଜେପି । ମେଂଟ ସିନା ସରିଛି ହେଲେ କିିଛି ଦଳ ସହ ଏବେ ବି ଆସନ ଭାଗବଂଟା ଛିଣ୍ଡି ନାହିଁ । ସହଯୋଗୀ ଦଳକୁ ସନ୍ତୁଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଥାଇପାରେ ବିଜେପି । ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖକୁ ଘୁଂଚାଇଥିବା ଆକଳନ କରାଯାଉଛି ।

କାରଣ କିଛି ବି ହୋଇପାରେ । ତେଣୁ ତୃତୀୟ ତାଲିକା ପାଇଁ ଆଉ କିଛି ଘଂଟା ଅପେକ୍ଷା କରିବାକୁ ପଡ଼ିବ । କୁହାଯାଉଛି- ବିଜେପିର ସିଇସି ବୈଠକ ପରେ ତୃତୀୟ ତାଲିକା ଆସିପାରେ । ଆଉ ଏଥିରେ ଓଡ଼ିଶାର କିଛି ଆସନ ରହିବାର ସମ୍ଭାବନା ରହିଛି ।