କନକ ବ୍ୟୁରୋ : ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଆପୋଲୋରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଆଣିବା ପରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ଦେବାଶିଷ ନାୟକ । ନବ ଦାସଙ୍କୁ ଗୋଟିଏ ଗୁଳି ବାଜିଥିଲା । ବାମପଟ ଛାତିରେ ଗୁଳି ଫୁଟି ପିଠିପଟେ ବାହାରି ଯାଇଥିଲା । ଫଳରେ ହାର୍ଟ ଓ ବାମପଟ ଫୁସଫୁସରେ କ୍ଷତ ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଅସ୍ତ୍ରୋପଚାର କରି ଡାକ୍ତର ଦେବାଶିଷ ସେହି କ୍ଷତକୁ ବନ୍ଦ କରିଦେଇଥିଲେ ।

Advertisment

ଡାକ୍ତରୀ ଦଳର ସବୁ ଉଦ୍ୟମ ସତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହାର୍ଟ କାମ କରିନଥିବା ଆପୋଲୋ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସ୍ପିଟାଲ ପହଞ୍ଚିଥିଲେ । ସେଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ କରିଛନ୍ତି ନବୀନ ପଟ୍ଟନାୟକ । ସେପଟେ ନବଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଦଳର ନେତା ।

ସେପଟେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଗୁଳିମାଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖିଛନ୍ତି । କ୍ରାଇମବ୍ରାଞ୍ଚର ଏକ ଟିମ ମଧ୍ୟ ଯାଇଛି । କାହିଁକି ନବଦାସଙ୍କୁ ଗୁଳିମାଡ ହେଲା । ଗୁଳିମାଡ ପଛର ରହସ୍ୟ କଣ ତାର କାରଣ ଖୋଜିବ କ୍ରାଇମବ୍ରାଞ୍ଚ ।

ନବ ଦାସଙ୍କୁ ଗୁଳିମାଡ଼ କାହିଁକି ?

- ପୂର୍ବରୁ ନବ ଦାସଙ୍କ ପିଏସ୍ଓ ଥିବା ଗୋପାଳ ଦାସ କାହିଁକି ମାରିଲେ ଗୁଳି
- ସର୍ବ ସମ୍ମୁଖରେ ହତ୍ୟା ପଛରେ କ’ଣ ରହିଛି କାରଣ ?
- ସ୍ଥାନୀୟ ପୋଲିସ ଓ ମନ୍ତ୍ରୀଙ୍କ ପରିବାର ଲୋକ ଚୁପ୍ କାହିଁକି ?
- ଗୁଳିମାଡ଼ ସମୟରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ କରୁଥିଲେ କ’ଣ ?
- ମନ୍ତ୍ରୀଙ୍କ ପିଏସ୍ଓ ଆବଶ୍ୟକ ଟ୍ରେନିଂପ୍ରାପ୍ତ ଥିଲେ କି ନାହିଁ ?
- କ’ଣ କରୁଥିଲେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ ?
- କୁଆଡେ ଯାଇଥିଲେ ବ୍ରଜରାଜନଗର ଥାନା ଅଧିକାରୀ ?
- ନବ ଦାସଙ୍କୁ ହିଁ କାହିଁକି ଟାର୍ଗେଟ୍ କରିଥିଲେ ଗୋପାଳ ?
- ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଦାୟିତ୍ୱରୁ କାହିଁକି ହଟାଯାଇଥିଲା ?
- କାହା ସୁପାରିଶରେ ବ୍ରଜରାଜନଗର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ?
- ନବ ଦାସଙ୍କ ସହ ଗୋପାଳଙ୍କ କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ?
- ହତ୍ୟା ପଛରେ ସେଭଳି କୌଣସି ରାଜନୈତିକ କାରଣ ନାହିଁ ତ ?
- ହତ୍ୟା ପଛରେ ବ୍ୟବସାୟିକ ଭାଗିଦାରୀ ଥିବା ବ୍ୟକ୍ତିଙ୍କ ସଂପୃକ୍ତି ନାହିଁ ତ ?