କନକ ବ୍ୟୁରୋ: ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତି ଯଥାର୍ଥ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଅଗଷ୍ଟ ୩୦ ବିଳମ୍ବିତ ରାତିରେ ଆଫଗାନ ମାଟିରୁ ଆମେରିକାର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ପରେ ଦେଶବାସୀଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ ।
ଦୀର୍ଘ ୨୦ବର୍ଷର ଯୁଦ୍ଧ ଅନ୍ତ କରି ଆମେରୀକିୟ ସୈନିକ ନିଜ ଦେଶକୁ ଫେରିଛନ୍ତି । ଆଉ ନିର୍ଦ୍ଧାରିତ ସମୟ ଭିତରେ କାହିଁକି ଆମେରିକା, ଆଫଗାନିସ୍ତାନ ଛାଡ଼ିବା ଜରୁରୀ ଥିଲା ସେ ନେଇ ସଫେଇ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଜଟିଳ ପରିସ୍ଥିତି ଭିତରେ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ସବୁଠୁ ବଡ଼ ଆହ୍ୱାନ ଥିଲା ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ । ଦେଶକୁ ସମ୍ବୋଧନ କରି ଜୋ ବାଇଡେନ ଆମେରୀକିୟ ସେନାର ପ୍ରଶଂସା କରିବା ସହ ହଜାର ହଜାର ସୈନିକ ଓ ୧ଲକ୍ଷ ୨୦ହଜାର ଅମେରିକୀୟ ଓ ସହଯୋଗୀଙ୍କୁ ଉଦ୍ଧାର କରି ୨୦ବର୍ଷ ଲମ୍ବା ଯୁଦ୍ଧ ଶେଷ କରିବାକୁ ଅଭୁତପୂର୍ବ ସଫଳତା ବୋଲି କହିଛନ୍ତି ବାଇଡେନ୍ ।
କାବୁଲରୁ ଆମେରିକା ସେନାର ଶେଷ ବିମାନ ଉଡାଣ ଭରିବାର ୨୪ଘଂଟା ପରେ ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନ କରି ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତି ଜରୁରୀ ଥିଲା ବୋଲି ସଫେଇ ରଖିଛନ୍ତି । ସେ କହିଛନ୍ତି - ମୁଁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲି ଆଫଗାନ ମାଟି ଆମେରିକାର ଯୁଦ୍ଧ ଶେଷ ହେବ । ଆଉ ମୁଁ ମୋ ପ୍ରତିଶ୍ରୁତିକୁ ପୂରଣ କରିଛି । ଏବେ ଆଉ କେଉଁ ଦେଶରେ ଆମେରିକା ଆର୍ମିର ବେସ୍ କ୍ୟାମ୍ପ ହେବ ନାହିଁ ବୋଲି ବାଇଡେନ୍ କହିଛନ୍ତି ।
ସୋମବାର ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଆମେରିକା ସେନାଙ୍କୁ ନେଇ ଉଡିଥିଲା ଆମେରିକୀୟ ବିମାନ । ୧୯ ବର୍ଷ ୧୦ ମାସ ୧୦ ଦିନ ପରେ ଆଫଗାନିସ୍ତାନ ମାଟିରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିନେଇଛି ଆମେରିକା । ଏହାକୁ ନେଇ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ୨୦ ବର୍ଷର ରକ୍ତାକ୍ତ ଏବଂ ଦାମୀ ଯୁଦ୍ଧ ଶେଷ ହୋଇଛି ।