କନକ ବ୍ୟୁରୋ: ୧୯୯୯ ମସିହା ଡିସେମ୍ବର ମାସରେ କାନ୍ଦହାର ବିମାନବନ୍ଦରରେ ଅପହୃତ ଭାରତୀୟ ବିମାନ, ଯାହାକୁ ଅପହରଣ କରି ନେଇଥିଲା ପାକିସ୍ତାନର ଆତଙ୍କୀ ସଂଗଠନ । ଆଉ ତକ୍ରାଳୀନ ଆଫଗାନିସ୍ତାନର ତାଲିବାନୀ ସରକାର ଯେଉଁଭଳି ଭାବେ ଡବଲ୍ ଗେମ୍ ଖେଳିଥିଲେ, ତାହା ଏପର୍ଯ୍ୟନ୍ତ ଭୁଲିପାରିନାହିଁ ଭାରତ । ଏବେ ପୁଣିଥରେ ଆଫଗାନିସ୍ତାନକୁ ତାଲିବାନୀ ଦଖଲ କରିନେବା ପରେ କାବୁଲ ସହ କିପରି ନୂଆଦିଲ୍ଲୀର ସଂପର୍କ ରହିବ, ଏହା ସବୁଠୁ ବଡ଼ ପ୍ରଶ୍ନ ।

Advertisment

ତାଲିବାନୀଙ୍କ କାବୁଲ ଦଖଲ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହିଁ ଭାରତ । ଯଦିଓ ତାଲିବାନ ସହ ଭାରତର କେବେ ବି ଭଲ ସଂପର୍କ ରହିନାହିଁ । ତେବେ କାହିଁକି ଭାରତ ଚୁପ ରହିଛି, କାହିଁକି ବିଶ୍ୱ ଜନମତ ସୃଷ୍ଟି କରିବା ପାଇଁ ପ୍ରୟାସ କରିନାହିଁ, ଏ ନେଇ ପ୍ରଶ୍ନ ଉଠିଛି ।

ପୁଣିଥରେ ତାଲିବାନ ହାତକୁ ଆଫଗାନିସ୍ତାନ ଚାଲିଯିବା ପରେ ସବୁଠୁ ଅଧିକ ଫାଇଦା ହୋଇଛି ପାକିସ୍ତାନର । କୁହାଯାଉଛି, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତାଲିବାନ ସହ ହାତ ମିଳାଇ ଲଢ଼େଇରେ ସାମିଲ ହୋଇଥିଲା । ଏବଂ ପାକିସ୍ତାନ ସେନା, ତାଲିବାନୀ କମାଣ୍ଡରଙ୍କୁ ତାଲିମ ଦେବା ସହ ଅନ୍ୟ ସମର୍ଥନ ଯୋଗାଇ ଦେଇଥିଲା । ଏପଟେ ଚୀନ ମଧ୍ୟ ତାଲିବାନ ସମର୍ଥନରେ ରହିଛି ବୋଲି ସୂଚନା ରହିଛି । ଯଦି ଏହିସବୁ ତଥ୍ୟ ସତ ହୋଇଥାଏ, ତେବେ ଚୀନ, ପାକିସ୍ତାନ ଓ ଆଫଗାନିସ୍ତାନର ମେଂଟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି । ଆଉ ସବୁଠୁ ବଡ଼ ଆଶଙ୍କା ହେଉଛି କାଶ୍ମୀର ପ୍ରତି ନୂଆ ବିପଦ ଆଣିପାରେ ଏହି ମେଂଟ ।

ଆଶା ଆଶଙ୍କା ଭିତରେ ଭାରତ କାବୁଲରେ ଥିବା ତାର ଦୂତାବାସକୁ ସଂପୂର୍ଣ୍ଣ ବନ୍ଦ କରିନଥିଲା । ହୁଏତ ଏତେ ଶୀଘ୍ର କାବୁଲ, ତାଲିବାନ ହାତକୁ ଚାଲିଯିବ, ଏହାକୁ ବିଶ୍ୱାସ କରିପାରିନଥିଲେ ଭାରତର କୁଟନୀତିଜ୍ଞ । ପରିବର୍ତିତ ସ୍ଥିତିକୁ କିପରି ସାମ୍ନା କରିବ, ଏହା ହିଁ ଭାରତ ପାଇଁ ଆହ୍ୱାନ ।

ଦୂତାବାସର କିଛି କର୍ମଚାରୀ ଓ ଭାରତୀୟଙ୍କୁ ଧରି ହମିଦ କରଜାଇ ବିମାନ ବନ୍ଦରରେ ଅଟକି ରହିଛି ଏୟାର ଇଣ୍ଡିଆର ଶେଷ ଫ୍ଲାଇଟ୍ । ଏୟାର ଟ୍ରାଫିକ୍ କଂଟ୍ରୋଲ ସହ କଥାବର୍ତା ଜାରି ରଖିଛନ୍ତି ଫାଇଲଟ । ହେଲେ ଏପର୍ଯ୍ୟନ୍ତ ଉଡ଼ାଣ ପାଇଁ ସିଗ୍ନାଲ ମିଳିନାହିଁ । ଫଳରେ କିପରି ଏହି ବିମାନ ଭାରତ ଫେରିବ, ଏହି ଚିନ୍ତା ବଢ଼ିବାରେ ଲାଗିଛି ।