କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ? ଗୁଜୁରାଟ ପାଇଁ କଣ ଯୋଜନା କରୁଛି ବିଜେପି?

402

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ନିଜର ଦ୍ୱିତୀୟ ପାଳିର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ । ତେବେ ହଠାତ୍ ବିଜୟ ରୂପାଣୀଙ୍କ ଇସ୍ତଫା ରାଜନୀତି କରିଡରରେ ଚର୍ଚ୍ଚା ସୃଷ୍ଟି କରିଛି । ଖାସକରି ଏଭଳି ଅପ୍ରତ୍ୟାଶିତ ଭାବେ ବିଜୟ ଇସ୍ତଫା ଦେବା ପଛରେ ବିଜେପିର ବଡ ଧରଣର ଋଣନୀତି ଥାଇପାରେ ବୋଲି କୁହାଯାଉଛି । କାରଣ ଏହାପୂର୍ବରୁ କର୍ଣ୍ଣାଟକ, ଉତ୍ତରାଖଣ୍ଡରେ ମଧ୍ୟ ନେତୃତ୍ୱ ପରିବର୍ତ୍ତନ କରିଛି ବିଜେପି । ଆଉ ଇସ୍ତଫା ଦେବା ପରେ ବିଜୟ ଯେଉଁ ସଂକେତ ଦେଇଛନ୍ତି ତାହା ଅନେକ କିଛି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କାରଣ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିଜୟ କହିଛନ୍ତି, ନୂଆ ନେତୃତ୍ୱକୁ ସୁଯୋଗ ମିଳିବା ଉଚିତ । ଆଉ ଆସନ୍ତାବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଏଭଳି ସ୍ଥିତିରେ ବିଜୟଙ୍କ ବିନା ବିଜେପି ପୁଣିଥରେ ଗୁଜୁରାଟରେ ବିଜୟ ବାନା ଉଡାଇବାକୁ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି ।

୨୦୨୨ର ଶେଷ ଆଡକୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ । ତେଣୁ ବିଜୟଙ୍କ ପରେ ଏବେ କିଏ ଗୁଜୁରାଟରେ ବିଜେପିର ମଙ୍ଗ ଧରିବ ତାହା ସବୁଠୁ ବଡ ଚର୍ଚ୍ଚାର ବିଷୟ । କାରଣ ଦଳ ଯାହାକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବ ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନକୁ ଓହ୍ଲାଇବ । ତେଣୁ କାହାକୁ ଏହି ଆସନରେ ଦଳ ବସାଇବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଛି ।

ଗତ ବିଧାନସଭା ନିର୍ବାଚନରେ ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ କଂଗ୍ରେସ କଡା ଟକ୍କର ଦେଇଥିଲା । ଆଉ ଏହା ଭିତରେ ଗୁଜୁରାଟରେ ବିରୋଧୀ କଂଗ୍ରେସ ଅଧିକ ସକ୍ରିୟ ହେବା ସହ ସରକାରଙ୍କୁ ଘେରିବାକୁ ଆଦୌ ସୁଯୋଗ ହାତଛଡା କରୁନାହିଁ । ଏଭଳି ସ୍ଥିତିରେ ନୂଆ ଚେହେରାକୁ ନେଇ ଦଳ ଆଗାମୀ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଥିବା କୁହାଯାଉଛି ।

ଗୁଜୁରାଟରେ ଦୀର୍ଘ ବର୍ଷ ହେବ ବିଜେପି ସରକାର ରହିଛି । ଏବେ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଦୀର୍ଘ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗୁଜୁରାଟରେ ଆନନ୍ଦିବେନ ପଟେଲ, ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ଦଳ । କିନ୍ତୁ ମୋଦୀଙ୍କ ଭଳି କୌଣସି ନେତା ଏଯାଏଁ ସେତେଟା ଲୋକପ୍ରିୟ ହୋଇପାରିନାହାନ୍ତି । ଆଉ ଏସବୁ ଭିତରେ ଆସନ୍ତା ନିର୍ବାଚନରେ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଏଭଳିସ୍ଥଳେ ରୂପାନୀ ସରକାର ବିରୋଧରେ ଜନ ଅସନ୍ତୋଷ ଦଳ ପାଇଁ ବୁମେରାଂ ହୋଇପାରେ । ତେଣୁ ରୂପାନୀଙ୍କ ବଦଳରେ ନୂଆ ମୁହଁ ନେଇ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଦଳ । ତେଣୁ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନୂଆ ମୁହଁକୁ ସୁଯୋଗ ଦେବାକୁ ଚାହୁଁଥାଇପାରେ ଦଳ । ଯାହାଦ୍ୱାରା ଶାସନ କ୍ଷମତା ବଜାୟ ରହିପାରିବ ।