କନକ ବ୍ୟୁରୋ : ମହାମାରୀ ବିରୋଧରେ ଟିକା ସହିତ ରୋଗପ୍ରତିରୋଧକ ଔଷଧ ପ୍ରସ୍ତୁତ କରୁଥିବା ପ୍ରମୁଖ ଭାରତୀୟ କମ୍ପାପୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଏବେ ଆଇନ ଜାଲରେ ଛନ୍ଦି ହେବାକୁ ଯାଉଛି । କହିରଖୁ କି ବ୍ରିଟିସ୍ ଓ ସ୍ୱିଡେସ୍ ବହୁରାଷ୍ଟ୍ରୀୟ ଔଷଧ ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନିକା ସିରମକୁ ଏକ ଆଇନଗତ ନୋଟିସ ପଠାଇଛି । ଏହି ନୋଟିସ କରୋନା ଟିକା ଯୋଗାଣରେ ବିଳମ୍ବ ହୋଇଥିବା ହେତୁ ପଠାଯାଇଥିବା କୁହାଯାଇଛି ।

Advertisment

ଅନ୍ୟପଟେ କୋଭିସିଲ୍ଡ ଟିକା ଉତ୍ପାଦନକୁ ଦ୍ୱିଗୁଣିତ କରିବାକୁ ଏସଆଇଆଇ ଭାରତ ସରକାରଙ୍କ ଠାରୁ ମଞ୍ଜୁରୀ ଆବେଦନ କରିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକାକୁ ଏସଆଇଆଇ ଭାରତରେ କୋଭିସିଲ୍ଡ ନାମରେ ବିକ୍ରି କରୁଛି । ଏସଆଇଆଇ ର ସିଇଓ ଅଦାର ପୁନାୱାଲା ମଙ୍ଗଳବାର ଦିନ କହିଛନ୍ତି କି କରୋନା ଭ୍ୟାକସିନର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ହେଲେ ପାଖା ପାଖି ୩ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି ।

ପୁନାୱାଲା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ‘ଭାରତରେ ବଢୁଥିବା ଟିକାର ଆବଶ୍ୟକତା ଭିତରେ କୋଭିସିଲ୍ଡ ଉତ୍ପାଦନ କ୍ଷମତା ଚାପରେ ରହିଛି । ଅଧିକ ମାତ୍ରାରେ କୋଭିସିଲ୍ଡ ଉତ୍ପାଦନ କରିବାକୁ ହେଲେ ୩ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି ’  । ଏହାସହ ସେ ଆହୁରି କହିଛନ୍ତି କି ୩ ହଜାର କୋଟି ଟଙ୍କା କୌଣସି ଛୋଟ ପରିମାଣ ନୁହେଁ । ପ୍ରଥମରୁ ସେ ୧ ହଜାର କୋଟି ଟଙ୍କା ନିବେଶ କରିସାରିଛନ୍ତି । ତେଣୁ ଏହି ଟଙ୍କା ଯୋଗାଡ କରିବାକୁ ଅନ୍ୟ ଉପାୟ ଦେଖିବାକୁ ହେବ । ଏହାସହ ଜୁନ୍ ମାସରୁ କିଭଳି ପ୍ରତି ମାସରେ ୧୧ କୋଟି ଟିକା ଉତ୍ପାଦନ କରାଯାଇ ପାରିବ ସେ ନେଇ ଯୋଜନା କରୁଥିବା କଥା ପୁନାୱାଲା କହିଛନ୍ତି । ଏହାସହ ଏବେ ଦୈନିକ ୨୦ ଲକ୍ଷ ଡୋଜ ଉତ୍ପାଦନ କରାଯାଉଛି । ଏହା ମଧ୍ୟରେ କୋଭିସିଲ୍ଡର ୧୦ କୋଟି ଡୋଜ ଭାରତକୁ ଦିଆଯାଇଥିବା ବେଳେ ୬ କୋଟି ଡୋଜ ଅନ୍ୟଦେଶକୁ ଦିଆଯାଇଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ସେ ଦାବି କରିଛନ୍ତି କି ବିଶ୍ୱରେ ଅନ୍ୟ କୌଣସି ଟିକା କମ୍ପାନୀ ଏତେ କମ୍ ଦାମରେ ଟିକା ଯୋଗାଉ ନାହାନ୍ତି ।