ନନ୍ଦନକାନନରେ କାହିଁକି ବାରମ୍ବାର ଅଟକୁଛି ଟଏ ଟ୍ରେନ୍ ? ଯନ୍ତ୍ରପାତି କିଣିବାରେ ଟଙ୍କା ହେରଫେର ହୋଇନି ତ ?

140

କନକ ବ୍ୟୁରୋ : ନନ୍ଦନକାନନ ଟୟ ଟ୍ରେନ୍ ଚାଲୁଛି ଅଳ୍ପ, ରହୁଛି ବେଶୀ । ଲୋକାର୍ପିତ ହେବାଠାରୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଆସିଥିବା ଏହି ଟୟ ଟ୍ରେନ ଅନେକ ଥର ଖରାପ ହେଲାଣି । ପ୍ରଶ୍ନ ଉଠୁଛି, ଟୟ ଟ୍ରେନରେ ଲାଗିଥିବା ଯନ୍ତ୍ରାଂଶ ଠିକ୍ ଅଛି ତ । ଅକ୍ଟୋବର ୮ ତାରିଖରେ ଲୋକାର୍ପିତ ଦିନ ହିଁ ଟୟ ଟ୍ରେନ ଗଡାଇବାକୁ ନାକେଦମ ହୋଇଯାଇଥିଲେ ଅଧିକାରୀ । ଗଡିବାର ସସ୍ତାହେ ଭିତରେ ଏହା ବନ୍ଦ ହୋଇଯାଇଥିଲା । ଏବେ ବୁଧବାରଦିନ ପୁଣି ଜଙ୍ଗଲ ମଝିରେ ଅଟକିଯିବା ଫଳରେ ଟ୍ରେନ ଚାଲିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

ଏବେ ପ୍ରଶ୍ନ ଉଠୁଛି, ଟୟ ଟ୍ରେନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି କାହିଁକି । କିଏ ହେବ ଉତ୍ତରଦାୟୀ । ଟ୍ରେନର ଚଳାଚଳ ତଥା ରକ୍ଷାଣବେକ୍ଷଣ ଦାୟିତ୍ୱ ରେଳ ମନ୍ତ୍ରଣାଳୟର “ରାଇଟସ” ନାମକ ସଂସ୍ଥା କରୁଛି । ଏବେ ବାରମ୍ବାର ତ୍ରୁଟି ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି । ନନ୍ଦନକାନନ କର୍ତ୍ତୃପକ୍ଷ ଏ ନେଇ ଦାୟିତ୍ୱରେ ଥିବା ସଂସ୍ଥାକୁ ଦାୟୀ କରିଛନ୍ତି । ଏପରିକି ଟ୍ରେନ ଠିକ ନହେଲେ ପଇସା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି । ଆଉ ଇଞ୍ଜିନିୟର କହୁଛନ୍ତି, ଟ୍ରେନ୍ ଲାଇନରେ ଅଧିକ ଗ୍ରୀସ ଦିଆଯାଇଥିବାରୁ ଟ୍ରେନ ବାରମ୍ବାର ଅଟକୁଛି ।

ନନ୍ଦନକାନନରେ ଟୟ ଟ୍ରେନ ଗଡିବାକୁ ୩ ମାସକୁ ୧୩ ଲକ୍ଷ ୫୦ ହଜାର ଟଙ୍କା ନେଇଛି ‘ରାଇଟସ” । ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ ଚଳାଇବା ପାଇଁ ସାଢେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏବେ ପ୍ରଶ୍ନ ଉଠୁଛି,
-ଏତେ ଟଙ୍କା ଖର୍ଚ୍ଚ ପରେ ବି ଚଳାଚଳ ଠିକ ହେଉନାହିଁ କାହିଁକି ?
– ଯନ୍ତ୍ରପାତି କିଣିବାରେ ଟଙ୍କା ହେରଫେର ହୋଇନି ତ ?
-ଇଞ୍ଜିନରେ ସମସ୍ୟା ରହୁଛି ନା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟି ରହୁଛି  ?
–ପର୍ଯ୍ୟଟକଙ୍କ ସହ କିଛି ଦୁର୍ଘଟଣା ଘଟିଲେ ଦାୟୀ ରହିବ କିଏ ?

ଏବେ ବାରମ୍ବାର ଟୟ ଟ୍ରେନ ଖରାପ ହେବା ପରେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।