ସୀମାରେ ଭାରତ-ଚୀନ୍ ମୁହାଁମୁହିଁ ହେଉଥିଲେ ମଧ୍ୟ କାହିଁକି ହୁଏ ନାହିଁ ଫାୟରିଂ? ୧୯୯୩ ମସିହାର ଚୁକ୍ତିରେ ଏମିତି କଣ ଥିଲା ଉଲ୍ଲେଖ? 

1,560

ଗଲୱାନ ଘାଟିରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଚୀନ୍ ସେନାର ଆକ୍ରମଣରେ ଭାରତର ଦୁଇ ଯବାନ ଓ ଜଣେ ଅଫିସର ସହିଦ ହୋଇଛନ୍ତି । ସେହିଭଳି ଡ୍ରାଗନବାହିନୀର ମଧ୍ୟ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା କିଛି ଗଣମାଧ୍ୟମ ରିପୋର୍ଟରେ ସାମ୍ନାକୁ ଆସିଛି । ବିଳମ୍ବିତ ରାତ୍ରିରେ ଉଭୟ ସେନା ମଧ୍ୟରେ ପଛକୁ ହଟିବା ପାଇଁ ଆଲୋଚନା ହୋଇଥିଲା । କିନ୍ତୁ ଡ୍ରାଗନବାହିନୀ ପଛକୁ ହଟିବା ପରିବର୍ତ୍ତେ ଭାରତୀୟ ସେନା ଉପରେ ଲୁହା ରଡ ଓ ପଥରରେ ଆକ୍ରମଣ କରିଥିଲା । ପରେ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ ଉଭୟ ଦେଶର ସେନା । କିନ୍ତୁ ଉତ୍ତେଜନାମୂଳକ ସ୍ଥିତି ଥିଲେ ମଧ୍ୟ ଉଭୟ ଦେଶର ସେନା ପକ୍ଷରୁ ଗୁଳି ଚାଲିନଥିଲା । ତେବେ ଏହା ପଛରେ ଏକ ବଡ କାରଣ ରହିଛି ।

ଭାରତ-ଚୀନ୍ ମଧ୍ୟରେ ୩୪୮୮ କିଲୋମିଟର ପର୍ଯ୍ୟନ୍ତ ଏଲଏସି ସୀମା ପରିବ୍ୟାପ୍ତ ରହିଛି । କିନ୍ତୁ ଚୀନର ଦାବି ଯେ, ଏଲଏସି ମାତ୍ର ୨ ହଜାର କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ । ତେବେ ୧୯୯୩ରେ ଭାରତର ପ୍ରଧାନମନ୍ତ୍ରୀ ନରସିମା ରାଓ ଚୀନରେ ଗସ୍ତରେ ଯାଇଥିବା ବେଳେ ଏଲଏସିରେ ଶାନ୍ତି ବଜାୟ ରଖିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।  ଏହି ଚୁକ୍ତିରେ ଦର୍ଶାଯାଇଥିଲା ଯେ, ଭାରତ-ଚୀନ୍ ମଧ୍ୟରେ ଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରାଯିବ । ପ୍ରତିପକ୍ଷଙ୍କ ବିରୋଧରେ କେହି ବଳ କିମ୍ବା ସେନା ପ୍ରୟୋଗ କରିବାକୁ ଧମକ ଦେବେ ନାହିଁ । ସେହିଭଳି  ଏଲଏସିରେ ଉଭୟ ଦେଶର ସେନା ଗତିବିଧି ଆଗକୁ ବଢାଇବେ ନାହିଁ । ଯଦି କୌଣସି ପକ୍ଷର ସେନା ଏଲଏସିରୁ ଆଗକୁ ବଢେ ତେବେ ପ୍ରତିପକ୍ଷର ସଂକେତ ମିଳିବା ମାତ୍ରେ ପଛକୁ ଫେରିଯିବେ ।

ସେହିଭଳି ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଏଲଏସିରେ ଉଭୟ ପକ୍ଷରୁ କମ ସୈନ୍ୟ ମୁତୟନ କରାଯିବ । ଏପରିକି ଉଭୟ ଦେଶ ଆଲୋଚନା କରିବା ପରେ ଏଲଏସିରେ ସୈନ୍ୟ ବଳ ବଢାଇପାରିବେ ବୋଲି ଚୁକ୍ତିରେ ସ୍ଥିରୀକୃତ ହୋଇଥିଲା । ସେହିଭଳି କୌଣସି ଦେଶ ସୈନ୍ୟ ଅଭ୍ୟାସ କରିବା ପୂର୍ବରୁ ଅନ୍ୟ ଦେଶକୁ ସୂଚନା ଦେବେ । ଏଲଏସି ଅଞ୍ଚଳରେ ଆକାଶପଥରେ ଯେପରି କୌଣସି ଉତ୍ତେଜନାମୂଳକ ସ୍ଥିତି ନ ଉପୁଜେ ସେଥିପାଇଁ ଉଭୟ ଦେଶର ବାୟୁସେନା ଏଲଏସି ଅତିକ୍ରମ କରିବେ ନାହିଁ ବୋଲି ଚୁକ୍ତି ହୋଇଥିଲା ।