ଆମେରିକା ଚାହୁଁନି ଭାରତ ଋଷିଆଠାରୁ କିଣୁ ଏସ-୪୦୦ ! ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ ।

35

ଋଷିଆର ଅତ୍ୟାଧୁନିକ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ଚିନ୍ତାରେ ପଡିଯାଇଛି ଆମେରିକା । ଆମେରିକାର ଭୟ ଯେ ଯେଉଁ ଦେଶ ଏହି ଏସ-୪୦୦କୁ ବ୍ୟବହାର କରିବ ସେମାନେ ଆମେରିକୀୟ ଲଢୁଆ ବିମାନର ଦୁର୍ବଳତାଗୁଡ଼ିକୁ ଧରିପାରିବ । ଏହି କାରଣରୁ ଯେଉଁ ଦେଶ ଏହାକୁ କିଣିବ ସେ ଦେଶ ବିରୋଧରେ ଆମେରିକା କଟକଣା ଲଗାଇବାର ଧମକ ଦେଉଛି । ଚୀନ ଉପରେ ଆମେରିକା ଏଥିପାଇଁ କଟକଣା ଲଗାଇସାରିଛି ।

ଭାରତ ଯଦି ଏହା କିଣେ ଏହା ଉପରେ ବି କଟକଣା ଲଗାଇବ ବୋଲି ଆମେରିକା କହିଛି । କେତେକ ବିଶେଷଜ୍ଞ କହିଛନ୍ତି ଯେ ଭାରତ ହାତକୁ ଏସ-୪୦୦ ଆସିଲେ ଭାରତ ନିଜ ପାଖରେ ଥିବା (ବା ଆମେରିକାଠାରୁ ପାଇବାକୁ ଥିବା) ଲଢୁଆ ବିମାନକୁ ବ୍ୟବହାର କରି ତାହାର ପରୀକ୍ଷଣ କରିବ । ଏହା ଫଳରେ ଆମେରିକୀୟ ବିମାନର ଗୋପନୀୟ ବୈଷୟିକ ତଥ୍ୟ ଓ ଦୁର୍ବଳତା ଏସ-୪୦୦ ରେକର୍ଡ କରିପାରିବ ଓ ଚାହିଁଲେ ତାହାକୁ ଋଷିଆକୁ ମଧ୍ୟ ଦେଇପାରିବ । ଏହା ହିଁ ଆମେରିକା ଚାହୁଁନାହିଁ, ସେଥିପାଇଁ କଟକଣା ଲଗାଉଛି ।

ସୂଚନାଯୋଗ୍ୟ ଯେ ଋଷିଆରୁ ସାମରିକ ଉପକରଣ କିଣିଥିବାରୁ ଚୀନ ସେନା ଉପରେ କଟକଣା ଲଗାଇଛି ଯୁକ୍ତରାଷ୍ଟ୍ର ଆମେରିକା । ବିଶେଷ କରି ଚୀନ ଋଷିଆରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଓ ଲଢୁଆ ବିମାନ କିଣିଥିବାରୁ ଆମେରିକା ଚୀନ ଉପରେ ଏହି କଟକଣା ଲଗାଇଛି ।