କନକ ବ୍ୟୁରୋ: ଗତକାଲି ଲୋୟର ପିଏଜିରେ ବିଜେପି ଯୁବକର୍ମୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ପରେ ଏନେଇ ଆଜି ବିରୋଧୀ ବିଜେପିକୁ ଟାର୍ଗେଟ କରିଛି ଶାସକ ବିଜୁ ଜନତା ଦଳ । ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସ୍ୱୟଂପ୍ରକାଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିବା ସହିତ ସିଧା ସିଧା ଏଥିପାଇଁ ଦଳର ତୁଙ୍ଗ ନେତାଙ୍କୁ ଦାୟୀ ବୋଲି କହିଛନ୍ତି ।

Advertisment

ବିଜେଡି ପ୍ରେସମିଟ୍ କରି କହିଛି ଯେ, ଆନ୍ଦୋଳନର ଗୋଟିଏ ଲକ୍ଷ୍ମଣରେଖା ରହିଥାଏ । ଯାହାକୁ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଉଲ୍ଲଘଂନ କରିଛନ୍ତି । ତେବେ ଉଦ୍ଦେଶ୍ୟମୂଳକ ଭାବେ ଓ ଯୋଜନାବଦ୍ଧ ଭାବେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଏଭଳି କାମ କରିଛନ୍ତି ବୋଲି ବିଜେଡି କହିଛି ।

ତେବେ ପୋଲିସ କର୍ମୀମାନେ ଗତକାଲି ନିଜ କର୍ତ୍ତବ୍ୟରେ ନ୍ୟସ୍ତ ଥିବାବେଳେ, ସବୁ ସୀମା ପାର କରି ବିଜେପି କର୍ମୀମାନେ ପୋଲିସକୁ ଆକ୍ରମଣ କରିଥିଲେ । ଏମିତି କି ଏହି ଆକ୍ରମଣ ପରେ ବିଜେପିର କର୍ମୀମାନେ ଆହତ ହୋଇଛନ୍ତି ବୋଲି ହସ୍ପିଟାଲରେ କିଛି ସମୟ ଡ୍ରାମା ଚାଲିଥିଲା ବୋଲି ବିଜେଡି ମୁଖପାତ୍ର ଅଭିଯୋଗ କରିଛନ୍ତି । ବିଜେପିର କିଛି ବ୍ୟକ୍ତି ନିଜର ରାଜନୈତିକ ସ୍ୱାର୍ଥ ସାଧନ କରିବା ଏମିତି କରିଛନ୍ତି ବୋଲି କହିବା ବିଜେପିର କର୍ମୀମାନେ ଗତକାଲି ଯେଭଳି ଆକ୍ରମଣ କଲେ ତାହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିଲା ବୋଲି ବିଜେଡି କହିଛି ।

ଅନ୍ୟପଟେ ଏହି ସମ୍ପୂର୍ଣ୍ଣ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କେନ୍ଦ୍ରମନ୍ତ୍ରୀ ଏହି ହିଂସାକାଣ୍ଡ ଘଟଣାରେ ଚୁପ୍ ରହିବା ନିନ୍ଦନୀୟ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ତେବେ ବିଜେପିର ଯୁବ କର୍ମୀଙ୍କୁ ଅନୁରୋଧ କରିବା ସହିତ ସେମାନେ କାହାର ରାଜନୈତିକ ସ୍ୱାର୍ଥ୍ୟ ସାଧନ ପାଇଁ କାହା ପ୍ରରୋଚନାରେ କାମ କରନ୍ତୁ ନାହିଁ ବୋଲି ବିଜେଡି କହିଛି ।