କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ? ଆତ୍ମହତ୍ୟା ଭିତରେ ହତ୍ୟାର ଷଡଯନ୍ତ୍ର ସନ୍ଦେହ କଲେ ସମ୍ପର୍କୀୟ । ସୁଶାନ୍ତଙ୍କ ଭଉଣୀ କହିଲେ, ୬ମାସ ହେଲା ମାନସିକ ବିଷାଦରେ ଥିଲେ, କିଛି ଦିନ ହେଲା ଔଷଧ ଖାଉ ନଥିଲେ

3,104

କନକ ବ୍ୟୁରୋ: ଆତ୍ମହତ୍ୟା ନକରିବାକୁ ବାର୍ତ୍ତା ଦେଉଥିବା ଅଭିନେତା ନିଜେ ଆତ୍ମହତ୍ୟା କରିବା ପରେ ସନ୍ଦେହ ବଢିବା ସ୍ୱାଭାବିକ । ଆଉ ପୋଲିସ ପାଇଁ ଏହି ସନ୍ଦେହ ଅଧିକ ବଢାଇଦେଇଛି କାରଣ, ଘଟଣାସ୍ଥଳରୁ ସୁସାଇଡ୍ ନୋଟ୍ ମିଳିନି । ଏଭଳି ସ୍ଥିତିରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସ୍ପଷ୍ଟ କରିଛି ଯେ, ବେକରେ ରଶି ଲଗାଇବାରୁ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଶରୀରରେ ବିିଷକ୍ରିୟା ହୋଇଛି କି ନାହିଁ ସେନେଇ ପରୀକ୍ଷା ପାଇଁ ନମୁନା ପଠାଯାଇଛି ।

କାହିଁକି ଆତ୍ମହତ୍ୟା କଲେ ସୁଶାନ୍ତ? କଣ କହିଲେ ସୁଶାନ୍ତଙ୍କ ଭଉଣୀ? ଅଳ୍ପ ବୟସ ଓ ବଲିଉଡରେ ୭ ବର୍ଷର ସଫଳ କ୍ୟାରିୟର ପରେ ବି ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ, ତାହା ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି । ପୋଲିସକୁ ସୁଶାନ୍ତଙ୍କ ଭଉଣୀଙ୍କ କହିବା କଥା, ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ । ୬ ମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଗତ କିଛି ଦିନ ହେଲା ସେ ନିୟମିତ ଭାବେ ଔଷଧ ଖାଉନଥିଲେ । ସୁଶାନ୍ତ କ୍ଲିନିକାଲ ଡିପ୍ରେସନର ଶିକାର ହୋଇପାରନ୍ତି । ତେବେ ସେ ସମସ୍ତଙ୍କ ସହ ସ୍ୱାଭାବିକ ବ୍ୟବହାର କରୁଥିଲେ । ସୁଶାନ୍ତଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା ବୋଲି ତାଙ୍କ ଭଉଣୀ ପୋଲିସକୁ ବୟାନ ଦେଇଛନ୍ତି ।

ସେପଟେ ଆତ୍ମହତ୍ୟା ଭିତରେ ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ । ମାମୁ କହିଲେ, ଆତ୍ମହତ୍ୟା କରିନଥିବେ ସୁଶାନ୍ତ । ମୃତ୍ୟୁକୁ ନେଇ ସସପେନ୍ସ ମଧ୍ୟରେ ତାଙ୍କ ମାମୁ କହିଛନ୍ତି, ସୁଶାନ୍ତ କେବେବି ଆତ୍ମହତ୍ୟା କରିନଥିବେ । ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି , ତାଙ୍କୁ ହତ୍ୟା କରାଯାଇ ଥାଇପାରେ । ସୁଶାନ୍ତଙ୍କ ଦୁଇଟି ମୋବାଇଲ ଫୋନ୍ ଓ ଲାପଟପକୁ ତଦନ୍ତ ପାଇଁ ଫରେନସିକ୍ ଟିମ୍କୁ ହସ୍ତାନ୍ତର କରାଯାଇଛି । ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ସୁଶାନ୍ତଙ୍କ ଘରୋଇ ସହାୟିକା ବି ପୋଲିସକୁ ସମାନ କଥା କହିଛନ୍ତି । ସୁଶାନ୍ତ ଦୀର୍ଘଦିନ ଧରି ଅବସାଦଗ୍ରସ୍ତ ଥିଲେ । ମେଡିକାଲ ପ୍ରେସକ୍ରିପସନ ଓ ମେଡିସିନ୍ ବି ତାହା ପ୍ରମାଣିତ କରୁଛି । ତେବେ ୬ ଦିନ ତଳେ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେତେବେଳେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ ସୁଶାନ୍ତ ସିଂ ରାଜପୁତ । ଏବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି ।