କନକ ବ୍ୟୁରୋ : ରାୟଗଡା ଜିଲ୍ଲାରେ ବିଦ୍ୟାଳୟ ଆସୁନାହାନ୍ତି ହଜାର ହଜାର ଛାତ୍ରଛାତ୍ରୀ । ପ୍ରାୟ ୬ ହଜାର ପିଲା ବିଦ୍ୟାଳୟ ମାଟି ମାଡୁନାହାନ୍ତି । କରୋନା କଟକଣା ହଟିବା ପରେ ସ୍କୁଲରେ ଉପସ୍ଥାନ କମି ଯିବାରୁ ଚିନ୍ତାରେ ପଡିଯାଇଛି ଜିଲ୍ଲା ଶିକ୍ଷା ବିଭାଗ । ଛାତ୍ରଛାତ୍ରୀ କାହିଁକି ସ୍କୁଲ ଆସୁନାହାନ୍ତି, କେଉଁଠି ରହିଛି ଅସୁବିଧା, କାରଣ ଖୋଜୁଛି ଜଲ୍ଲା ପ୍ରଶାସନ ?

Advertisment

ରାୟଗଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପାଠପଢା ସ୍ୱାଭାବିକ ହୋଇଥିବା ବେଳେ ପୂର୍ବଭଳି ବିଦ୍ୟାଳୟ ମାଟି ମାଡୁନାହାନ୍ତି ଛାତ୍ରଛାତ୍ରୀ । ଜିଲ୍ଲାରେ ୬ ହଜାର ୩୯୨ ଜଣ ପିଲା ସ୍କୁଲକୁ ଆସୁନଥିବା ଜଣାପଡିଛି । କାଶୀପୁର ବ୍ଳକରେ ସର୍ବାଧିକ ଓ ଗୁଡାରୀ ବ୍ଲକରେ ସର୍ବନିମ୍ନ ଅନୁପସ୍ଥିତ ରହୁଛନ୍ତି । ଜିଲ୍ଲାରେ ଡ୍ରପଆଉଟ୍ ସଂଖ୍ୟା ଶିକ୍ଷା ବିଭାଗର ନିଦ ହଜାଇ ଦେଇଛି । ଶିକ୍ଷକ-ଶିକ୍ଷୟତ୍ରୀ କହୁଛନ୍ତି, ସବୁ ସଚେତନତା ସତ୍ୱେ ଅଭିବାବକମାନେ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି । କରୋନାକୁ ନେଇ କିଛି ଅଭିଭାବକଙ୍କ ମନରେ ଭୟ ରହିଥିବା ବେଳେ ଆଉ କିଛି ଜିଲ୍ଲା ଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି । କିଛି ଛାତ୍ରଛାତ୍ରୀ ଦାଦନ ଖଟୁଥିବା ଜଣାପଡିଛି ।

ଜିଲ୍ଲାର କାଶୀପୁର ବ୍ଳକରେ ସର୍ବାଧିକ ଛାତ୍ରଛାତ୍ରୀ ସ୍କୁଲ ଆସୁନଥିବା ବେଳେ ଗୁଡାରୀ ବ୍ଳକରେ ଅନୁପସ୍ଥିତ ରହୁଛନ୍ତି ସର୍ବନିମ୍ନ ଛାତ୍ରଛାତ୍ରୀ । ମୋଟାମୋଟି ଭାବେ ପ୍ରାଥମିକ ସ୍ତରରେ ୨ହଜାର ୭୦୮ ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସୁନଥିବା ବେଳେ ହାଇସ୍କୁଲ ସ୍ତରରେ ୩ହଜାର ୬୮୪ ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସୁନଥିବା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପିଲାମାନେ କିପରି ପୁଣି ବିଦ୍ୟାଳୟ ମୁହାଁ ହେବେ, ସେଥିପାଇଁ ଏକ ବିଦ୍ୟାଳୟସ୍ତରୀୟ କମିଟି ଗଠନ କରାଯାଇଛି । ଘରକୁ ଯାଇ ଅଭିଭାବକଙ୍କୁ ବୁଝାଉଛି ଏହି କମିଟିରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀ । ଏହାସହ ଜିଲ୍ଲା ଶିକ୍ଷା ବିଭାଗର ଶିକ୍ଷା ସଚେତନତା ରଥ ୧୧ଟି ବ୍ଲକରେ ବୁଲି ପିଲା ଓ ଅଭିଭାବକଙ୍କୁ ସତେଚନ କରାଉଛି ।

କରୋନା ସଂକ୍ରମଣ କମିବା ସତ୍ୱେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଶିକ୍ଷା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପୁନର୍ବାର ଫେରିବେ, ସେନେଇ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି କୁହାଯାଉଛି ।