କନକ ବ୍ୟୁରୋ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସର କାର୍ଯ୍ୟସମିତି ବୈଠକରେ ଶନିବାର ଦିନ ଜି-୨୩ ନେତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଆଜି କଂଗ୍ରେସର ବସିଥିବା କାର୍ଯ୍ୟସମିତି ବୈଠକରେ କଂଗ୍ରେସର ଅଧ୍ୟକ୍ଷ ପଦ ନେଇ ଜି-୨୩ ନେତାମାନଙ୍କ ବୟାନବାଜିକୁ ନେଇ ସୋନିଆ ପ୍ରବଳ ବର୍ଷିଛନ୍ତି । ସୋନିଆ କହିଛନ୍ତି କି “ମୁଁ ଜାଣିଛି ଦଳର ମୁଁ ଅନ୍ତରୀଣ ଅଧ୍ୟକ୍ଷ, ହେଲେ ପୂର୍ଣ୍ଣ କ୍ଷମତାପ୍ରାପ୍ତ ଅଧ୍ୟକ୍ଷ ନିର୍ବାଚିତ କରିବାକୁ ମୁଁ ବହୁ ପୂର୍ବରୁ ଘୋଷଣା କରିଥିଲେ ବି କରୋନା କଟକଣା ପାଇଁ ତାହା ବିଳମ୍ବିତ ହୋଇଛି । ଏବେ ପାର୍ଟିର ସଂଗଠନ ନିର୍ବାଚନ ପାଇଁ ସିଡ୍ୟୁଲ୍ ଘୋଷଣା କରାଯିବ ” ସୋନିଆ ଆହୁରି କହିଛନ୍ତି କି ମୁଁ ଯେତେବେଳେ ପାର୍ଟି ନେତୃତ୍ୱଙ୍କ ସହ ଖୋଲା ହୃଦୟରେ ଆଲୋଚନା କରିବାକୁ ଚାହୁଁଛି ସେତେବେଳେ କିଛି ନେତା ଗଣମାଧ୍ୟମ ଜରିଆରେ ମୋ ସହିତ କଥା ହେବାକୁ ଚେଷ୍ଟା କରୁଛନ୍ତି । ଜି-୨୩ ନେତାଙ୍କ ପ୍ରଶ୍ନର ଜବାବ୍ ଦେଇ ସେ କହିଥିଲେ କି ଯଦି ଆପଣ ମୋତେ କହିବାର ସୁଯୋଗ ଦେବେ ତେବେ ମୁଁ ହିଁ ଦଳର ପୂର୍ଣ୍ଣକାଳୀନ ଓ କାର୍ଯ୍ୟଶୀଳ ଅଧ୍ୟକ୍ଷ ।

Advertisment

ସୋନିଆ କହିଛନ୍ତି କି, ପୁଣି ଥରେ ଆମେ କଂଗ୍ରେସ ସଂଗଠନକୁ ମଜବୁତ କରିବାକୁ ଚାହୁଁଛୁ , ମାତ୍ର ଏଥିପାଇଁ ଆମ ଭିତରେ ଏକତା ଓ ପାର୍ଟିର ହିତକୁ ସବୁଠୁ ଉପରେ ରଖିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ । ଏଥିପାଇଁ ଆତ୍ମ ନିୟନ୍ତ୍ରଣ ଓ ଅନୁଶାସନର ଆବଶ୍ୟକତା ରହିଛି ।

ଜି-୨୩ ନେତାଙ୍କ ଉପରେ ବର୍ଷିବା ପରେ ସୋନିଆ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ମୋଦି ସରକାରଙ୍କ ଗୋଟିଏ ଏଜେଣ୍ଡା, ତାହା ହେଉଛି ଦେଶର ସରକାରୀ ସାଧନକୁ ବିକ୍ରି କରିବା । ଏହସହ ସେ ଜମ୍ମୁ କାଶ୍ମୀରରେ ହୋଇଥିବା ହତ୍ୟାକୁ ନିନ୍ଦା କରି କହିଥିଲେ କି ଜମ୍ମୁ-କାଶ୍ମୀରରେ ଅଳ୍ପ ସଂଖ୍ୟକଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଉଛି ।