କୁନି ପିଲାଙ୍କୁ କାହିଁକି ଦିଆଯାଉଛି ଏତେ ହୋମୱାର୍କ ? ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଭିଡିଓ ।

2,214

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅର ପ୍ରଶ୍ନ…କାହିଁକି ଦିଆଯାଉଛି ଏତେ ହୋମୱାର୍କ ? ‘ପ୍ରିୟର ପ୍ରଧାନମନ୍ତ୍ରୀ, ମୋଦି ସାହେବ…ମୁଁ ଜାମ୍ମୁକାଶ୍ମୀରର ଜଣେ ୬ ବର୍ଷର ଝିଅ । ଆମ ସ୍କୁଲରେ ଯେଉଁ ହୋମୱାର୍କ ଦିଆଯାଉଛି, ତାକୁ ନେଇ ମୁଁ ଜମା ବି ଖୁସି ନାହିଁ । ମୁଁ ସକାଳ ୧୦ଟା ପୂର୍ବରୁ ଉଠେ, ୨ଟା ପର୍ଯ୍ୟନ୍ତ କ୍ଲାସ ଚାଲିଥାଏ । ପ୍ରଥମେ ଇଂରାଜୀ, ତାପରେ ଗଣିତ ଏବଂ ପରେ କମ୍ପ୍ୟୁଟର । ହୋମୱାର୍କ ଏତେ ଦିଆଯାଉଛି, ପଚାରନ୍ତୁ ନାହିଁ । ଛୋଟ ପିଲାମାନଙ୍କୁ ବଡ ପିଲାଙ୍କ ଭଳି ଏତେ କାମ କାହିଁକି ଦିଆଯାଏ ?’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭିଡିଓ ବାର୍ତା ଜରିଆରେ କିଛି ଏଭଳି ମନର କଥା ଶୁଣାଇଛି ଜଣେ କୁନି ଝିଅଟିଏ । ଜାମ୍ମୁକାଶ୍ମୀରର ଏହି ଝିଅର ଅଭିଯୋଗର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟିଛି । କୁନି ଝିଅଟି ଅତି ନୀରିହ ଢଙ୍ଗରେ ତାଙ୍କ ଶିକ୍ଷକଙ୍କ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରୁଛି ।

କୁନି ଝିଅଟି କହୁଛି ଯେ, ମ୍ୟାଡାମ୍ ବହୁତ ହୋମୱାର୍କ ଦେଉଛନ୍ତି, ଏବଂ ଲମ୍ବା ସମୟ ଧରି କ୍ଲାସ ଚାଲୁଛି, ଏତେ ଚାପ କୁନି ଛୁଆଟି କେମିତି ସହିବ । ତେବେ କୁନି ଝିଅର ଅଭିଯୋଗର ଏହି ଭିଡିଓକୁ ଜାମ୍ମୁକାଶ୍ମୀରର ଏଲଜି ତଥା ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁତର ସହ ନେଇଛନ୍ତି । ଆଉ ଛୋଟ ପିଲାଙ୍କ ହୋମୱାର୍କ ନେଇ ଏକ ନିୟମ ଆଣିବାକୁ ସେ ଜାମ୍ମୁକାଶ୍ମୀର ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପିଲାଟିର ଏଭଳି ମନର କଥା ଶୁଣି ଉପରାଜ୍ୟପାଳ କହିଛନ୍ତି, ଏହା ଅତ୍ୟନ୍ତ ମଧୁର ଅଭିଯୋଗ । ତେବେ କିପରି ଭାବେ ଛୋଟ ପିଲାଙ୍କ ଉପରେ ହୋମୱାର୍କର ଭାର ହ୍ରାସ କରାଯିବ, ସେଦିଗରେ ନୂଆ ଶିକ୍ଷାନୀତି ଆଣିବାକୁ ସେ ଶିକ୍ଷା ବିଭାଗକୁ କହିଛନ୍ତି ।

କରୋନା ମହାମାରୀ ସହ ସାରା ଦେଶ ଲଢୁଥିବା ବେଳେ, ଛୋଟ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସ୍କୁଲଗୁଡିକୁ ବନ୍ଦ ରଖାଯାଇଛି । ତେବେ ପାଠପଢାରେ ଯେମିତି କୌଣସି ପ୍ରଭାବ ନପଡେ, ସେଥିପାଇଁ ଅନଲାଇନ୍ କ୍ଲାସ୍ ଜାରି ରହିଛି । ପିଲାମାନଙ୍କୁ ସକାଳଠାରୁ ଅପରାହ୍ନ ଯାଏଁ ଅନଲାଇନ୍ କ୍ଲାସ କରିବାକୁ ପଡୁଛି । ଆଉ ଏହାରି ଭିତରେ ଜାମ୍ମୁକାଶ୍ମୀରର ଏହି କୁନି ଝିଅଟିର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି ।