କନକ ବ୍ୟୁରୋ : ମିଜୋରାମ ନିର୍ବାଚନ ଭାରତ ଅନ୍ୟ ରାଜ୍ୟର ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନିର୍ବାଚନ ବେଳେ ସେଠାରେ କୌଣସି ବଡ ବଡ ରାଲି ହୁଏନାହିଁ କି ବଡ ଆୟୋଜନ କରିବାର ପରମ୍ପରା ମଧ୍ୟ ନାହିଁ । ଏବଂ ସେଠାରେ ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳମାନଙ୍କ ମଧ୍ୟରେ ଗଣ୍ଡଗୋଳ କି ମାତ୍ରାଧିକ ପ୍ରଚାର ହୋଇ ନଥାଏ । ସେଠାରେ ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ଲାଗି ରହିଥାଏ କିନ୍ତୁ ସେଠାରେ ଘୃଣା ଭାଷଣ ନାହିଁ, କିମ୍ବା ରାଜନୀତିକ ହିଂସାର ଇତିହାସ ମଧ୍ୟ ନାହିଁ । ଏହି କାରଣ ପାଇଁ ମିଜୋରାମର ଲୋକମାନେ ଗଣତନ୍ତ୍ରର ଏହି ଭୋଟଦାନ ଉତ୍ସବରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତି ।
କେବଳ ଏତିକି ନୁହେଁ ମିଜୋରାମରେ ନିର୍ବାଚନ ଜିତିବା ପାଇଁ ଜଣେ ଆମେରିକାର ରାଷ୍ଟ୍ରପତିଙ୍କ ଭଳି ପରିକ୍ଷା ଦେଇ ଗତି କାରିବା ପାଇଁ ପଡିଥାଏ । ସେଠାରେ ଭୋଟରମାନେ କୌଣସି ଦଳର ନେତାମାନଙ୍କ ସହ କଥାବାର୍ତ୍ତା କରିପାରିବେ ଏବଂ ନେତାମାନଙ୍କୁ ଭୋଟର ମାନଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ଅଛି । ଏହି ବର୍ଷ ମଧ୍ୟ ସେଠାରେ କୌଣସି ପ୍ରକାର ହିଂସାର ଖବର ସାମ୍ନାକୁ ଆସିନଥିଲା ଓ ସେଠାକାର ସମସ୍ତ ରାଜନୈତିକ ଦଳର ଲୋକମାନେ ଭାଷଣରେ ଭାଷାର ସଂଯମତା ପ୍ରଦର୍ଶନ କରିଥିଲେ ।
ରାଜନୈତିକ ଦଳଗୁଡିକ ଦ୍ୱାରା ଅନୁଶାସନ ବଜାୟ ରଖିବାରେ ମିଜୋରାମର ଏକ ସମୃଦ୍ଧ ପରମ୍ପରା ରହିଛି । ଏବଂ ପ୍ରତ୍ୟେକ ଦଳର ନେତାମାନେ ଏହାକୁ ଅନୁସରଣ ମଧ୍ୟ କରିଥାନ୍ତି । ଏଥର ମଧ୍ୟ ମିଜୋରାମରେ ହୋଇଥିବା ଶାନ୍ତି ପୂର୍ଣ୍ଣ ନିର୍ବାଚନକୁ ପୁରା ଦେଶ ଦେଖିଛି । ଭୟମୁକ୍ତ ନିର୍ବାଚନ ଦ୍ୱାରା ଅନ୍ୟରାଜ୍ୟ ତୁଳନାରେ ମିଜୋରାମରେ ଭୋଟ ପ୍ରତିଶତ ସଂଖ୍ୟା ମଧ୍ୟ ଅଧୀକ । ଦେଶର ଅନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଛାଡି ପଂଚାୟତ ନିର୍ବାଚନରେ ମଧ୍ୟ ବହୁତ ମାତ୍ରାରେ ହିଂସା ଘଟୁଛି ଏବଂ ଅନେକ ଲୋକ ପ୍ରାଣ ହରାଉଛନ୍ତି ମଧ୍ୟ ।
ମିଜୋରାମରେ ଶାନ୍ତିପୂର୍ଣ୍ଣ ନିର୍ବାଚନର କାରଣ ହେଉଛି ସେଠାକାର ଲୋକମାନେ । ନିର୍ବାଚନ ଆଚରଣବିଧୀକୁ ମିଜୋରାମର ପ୍ରତ୍ୟେକ ଲୋକ ପାଳନ କରନ୍ତି । ସ୍ଥାନୀୟ ସାମାଜିକ ସଂଗଠନ ମିଜୋରାମ ପିପୁଲ୍ସ ଫୋରମ୍ ନିର୍ବାଚନ ଘଷଣା ପରେ ଦଳଗୁଡିକ ଉପରେ ନଜର ରଖିଥାଏ । ଏବଂ ସେମାଙ୍କ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଥାଏ । ଏହାର ଏକ ମାତ୍ର ଲକ୍ଷ୍ୟ ହେଉଛି ଅର୍ଥ, ଶକ୍ତି କିମ୍ବା ଅପବ୍ୟବହାରର ଅଯଥା ପ୍ରଭାବ ବିନା ନିର୍ବାଚନ ମୁକ୍ତ ଏବଂ ସ୍ୱଚ୍ଛ ହେବ ।