କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ?

396

କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଖାସକରି କଂଗ୍ରେସ ରାଜନୀତିରେ କନ୍ଦଳ କମିବାର ନାଁ ନେଉନାହିଁ । ଆଉ ଏସବୁ ଭିତରେ ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସିଦ୍ଧୁ କହିଛନ୍ତି, ପଞ୍ଜାବର ଭବିଷ୍ୟତ ସହ କୌଣସି ସାଲିସ କରିପାରିବି ନାହିଁ । ତେଣୁ ପଞ୍ଜାବ ସଭାପତି ପଦରୁ ଇସ୍ତଫା ଦେଉଛି ବୋଲି କାରଣ ଦର୍ଶାଇଛନ୍ତି ସିଦ୍ଧୁ । ତେବେ କଂଗ୍ରେସ ପାଇଁ କାମ କରିବି ବୋଲି କହିଛନ୍ତି ସିଦ୍ଧୁ । ମାତ୍ର ୭୨ ଦିନ ପଞ୍ଜାବ କଂଗ୍ରେସର ସଭାପତି ଦାୟିତ୍ୱରେ ରହିବା ପରେ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ । ତେବେ ହଠାତ୍ ସିଦ୍ଧୁ ଏଭଳି କାହିଁକି ନିଷ୍ପତ୍ତି ନେଲେ ଏବଂ କାହାକୁ ଇଙ୍ଗିତ କରି ସିଦ୍ଧୁ ଚିଠି ଲେଖିଛନ୍ତି ତାହା ଉପରୁ ପରଦା ହଟିନି ।

ତେବେ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ସହ ସିଦ୍ଧୁଙ୍କ ସର୍ମ୍ପକ ଏତେଟା ଭଲ ନଥିବା ବେଳେ ତାଙ୍କର ବିଭିନ୍ନ ନିଷ୍ପତ୍ତିକୁ ନେଇ ମଧ୍ୟ ସେ ଖୁସିନଥିବା ଜାଣିବାକୁ ମିଳିଛି । ଏହାଛଡା ଚନ୍ନିଙ୍କ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନର ଦିନ କେଇଟା ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ ।

ମିଳିଥିବା ସୂଚନା ମୁତାବକ, ଚନ୍ନିଙ୍କ କ୍ୟାବିନେଟରେ ଯେଉଁଭଳି ବିଭାଗର ବଣ୍ଟନ ହୋଇଛି ତାହାକୁ ନେଇ ଖୁସି ନଥିଲେ ସିଦ୍ଧୁ । ଏହାଛଡା ନୂଆ କ୍ୟାବିନେଟରେ ସୁଖବିନ୍ଦର ସିଂ ରନ୍ଧୱାଙ୍କୁ ଗୃହମନ୍ତ୍ରୀ କରାଯାଇଛି । ଯାହାକୁ ସିଦ୍ଧୁ ଓ ତାଙ୍କ ଟିମ୍ ବିରୋଧ କରୁଛନ୍ତି । ଏହାଛଡା କିଛି ଅଫିସରଙ୍କ ବଦଳି ନିଷ୍ପତ୍ତିକୁ ନେଇ ସିଦ୍ଧୁ ଖୁସିନଥିବା କୁହାଯାଉଛି । ଏହାବାଦ୍ ଯେତେବେଳେ ପଞ୍ଜାବ କଂଗ୍ରେସ ସରକାରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ଚନ୍ନି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରୁଥିଲେ ସେତେବେଳେ ସିଦ୍ଧୁଙ୍କୁ ଡକାଯାଇ ନଥିଲା । ଏନେଇ ପ୍ରଥମ ଦିନ ବୈଠକରେ ତାଙ୍କୁ ଡକାଯାଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ମନ୍ତ୍ରୀମାନଙ୍କର ନାମ ଯେତେବେଳେ ନିଷ୍ପତ୍ତି ନିଆଗଲା ସେତେବେଳେ ସିଦ୍ଧୁଙ୍କୁ ଡକାଯାଇ ନଥିଲା ।

ଏହାପୂର୍ବରୁ ସିଦ୍ଧୁଙ୍କ ସହ ବିବାଦ କାରଣରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ ଅମରିନ୍ଦର ସିଂ । ଆଉ ଏହାପରେ ଚରଣଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଥିଲା । ରବିବାର ଚନ୍ନିଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଥିବା ବେଳେ ୧୫ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି, ଯେଉଁଥିରେ ୭ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି ।