କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକବର୍ଷ ପରେ ପୁଣି ବିଦେଶ ଯାତ୍ରା କରିବେ । କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଯାତ୍ରା । ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାଂଗ୍ଲାଦେଶ ଯାତ୍ରା ଏକ ରାଜନୈତିକ ଅଭିସନ୍ଧି ବୋଲି ଆଲୋଚନା ହେଉଛି । ଏହାରି ମଧ୍ୟରେ କୁହାଯାଇଛି କି ପଶ୍ଚିମବଙ୍ଗ ଓ ଆସାମରେ ଯେଉଁଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ ସେଦିନ ପ୍ରଧାନମନ୍ତ୍ରୀ ବାଂଗ୍ଲାଦେଶରେ ଗସ୍ତରେ ଥିବେ ।
ପ୍ରଧାନମନ୍ତ୍ରୀ ଚଳିତ ମାସ ୨୬ ଓ ୨୭ ତାରିଖ ଦୁଇଦିନିଆ ବାଂଗ୍ଲାଦେଶ ଗସ୍ତରେ ଯିବେ । ବାଂଗ୍ଲାଦେଶର ୫୦ ତମ ସ୍ୱାଧୀନତା ଦିବସରେ ମୋଦି ସେଠାରେ ଉପସ୍ଥିତ ରହିବେ । କରୋନା ମହାମାରୀ ବେଳେ ବାଂଗ୍ଲାଦେଶକୁ ଟିକା ଦେଇ ଭାରତ ଓ ବାଂଗ୍ଲାଦେଶ ମଧ୍ୟରେ ସଂପର୍କର ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ । କୁହାଯାଉଛି କି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମତୁଆ ସଂପ୍ରଦାୟର ଧର୍ମଗୁରୁ ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମସ୍ଥଳୀ ବି ଗସ୍ତ କରିବେ । ଏହାସହ ସୁଗନ୍ଧା ଶକ୍ତିପୀଠ, ଔରଫଣ୍ଡି ମନ୍ଦିର ଆଦି ଯିବାର କାର୍ଯ୍ୟକ୍ରମ ରହିଛି ।
କହିରଖୁ କି ବାଂଗ୍ଲାଦେଶ ସ୍ୱାଧୀନ ହେବା ପୂର୍ବରୁ ଦେଶର ଏକ ବଡ ଜନସଂଖ୍ୟା ପଶ୍ଚିମବଙ୍ଗରେ ବାସ କରୁଥିଲେ । ଏହା ମଧ୍ୟରେ ସବୁଠାରେ ବେସି ସଂଖ୍ୟା ଥିଲା ମତୁଆ ସଂପ୍ରଦାୟର । ତେଣୁ ପ୍ରଧାନମନ୍ତ୍ରୀ ବାଂଗ୍ଲାଦେଶ ଗସ୍ତ କରି ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ମାଷ୍ଟର କାର୍ଡ ମତୁଆ ସଂପ୍ରଦାୟର ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି ।
୨୦୧୬ ମସିହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମତୁଆ ସଂପ୍ରଦାୟର ଭୋଟକୁ ନିଜ ସପକ୍ଷରେ ରଖିଥିଲେ ମମତା ବାନାର୍ଜୀ । ମତୁଆ ସଂପ୍ରଦୟ ବହୁଳ ଅଞ୍ଚଳରେ ଥିବା ୨୧ ଟି ଆସନରୁ ତୃଣମୂଳ କଂଗ୍ରେସକୁ ୧୮ ଆସନ ମିଳିଥିଲା । ତେଣୁ ପ୍ରଧାନମନ୍ତ୍ରୀ ଏହାକୁ ନଜରରେ ରଖି ବାଂଗ୍ଲାଦେଶ ଗସ୍ତ କରୁଥିବା କୁହାଯାଉଛି ।