କାହିଁକି ରୋହିତଙ୍କୁ ବିଶ୍ରାମ? ସୋସିଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା । ପ୍ରଶ୍ନ କଲେ ଗାଭାସ୍କର ଓ ପ୍ରଜ୍ଞାନ ।

1,235

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇ ସାରିଛି ଭାରତୀୟ ଦଳ । ହେଲେ ୩ଟି ଯାକ ଫର୍ମାଟରେ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତଙ୍କୁ ଫିଟନେସ କାରଣରୁ ଦଳରେ ସ୍ଥାନ ମିଳିନଥିବା ଚୟନକର୍ତ୍ତା ମାନେ କହିଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରେମୀ ଓ ପୂର୍ବ ଭାରତୀୟ କ୍ରିକେଟର । ଆହତ ଯୋଗୁଁ ରୋହିତଙ୍କୁ ଆଇପିଏଲର ଗତ କିଛି ମ୍ୟାଚରେ ବିଶ୍ରାମ ଦିଆଯାଇଛି । ହେଲେ ଏବେ ସେ ନେଟରେ ପ୍ରାକ୍ଟିସ କରୁଥିବାର ଦେଖାଯାଇଛି । ଯହାରା ଫଟୋ ମୁମ୍ବାଇ ଇଣ୍ଡିଆନ୍ସ ଟିଜ ଟ୍ୱିଟରରେ ପୋଷ୍ଟ କରିଛି ।

ରୋହିତଙ୍କୁ ୩ଟି ଯାକ ଫର୍ମାଟରେ ବାଦ ଦିଆଯିବା ନିଷ୍ପତ୍ତି ଉପରେ ପୂର୍ବ କ୍ରିକେଟରମାନେ ପ୍ରଶ୍ନ କରିଛନ୍ତି । ତେବେ ଚୟନକର୍ତ୍ତାଙ୍କ ଏଭଳି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଉପରେ କିଛି ଅଲଗା କାରଣ ଥାଇପାରେ ବୋଲି କ୍ରିକେଟ ପ୍ରେମୀମାନେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି । ଅଷ୍ଟ୍ରେଲିଆରେ କଠୋର ପରିବେଶ ଓ ଆହ୍ୱାନଭରା ପରିସ୍ଥିତିରେ ରୋହିତଙ୍କ ଭଳି ଖେଳାଳିଙ୍କୁ ଦଳରେ ସାମିଲ ନକରିବା ନେଇ ଏବେ ସୋସିଆଲ ମିଡିଆରେ ତର୍କ ବିତର୍କ ଆରମ୍ଭ ହୋଇଛି ।

ରୋହିତଙ୍କୁ ଦଳରେ ସାମିଲ ନକରାଯିବା ଯୋଗୁଁ ଚୟନକର୍ତ୍ତାମାନଙ୍କୁ ପ୍ରଶ୍ନ କରିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କାର । ଗାଭାସ୍କର କହିଛନ୍ତି, ରୋହିତ ଶର୍ମାଙ୍କୁ ଦଳରେ ସାମିଲ ନକରିବାର ଅସଲ କାରଣ କୁହାଯାଉ । ଏହାସହ ତାଙ୍କ ସ୍ୱାସ୍ଥ୍୍ୟବସ୍ଥା ନେଇ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉ । ରୋହିତଙ୍କ ବିଷୟରେ ସବୁ କିଛି ଜାଣିବାର ଅଧିକାର ଫ୍ୟାନମାନଙ୍କର ଅଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।
ସେପଟେ ରୋହିତ ଶର୍ମା ଦଳରେ ସାମିଲ ନହେବା ଓଡିଶା ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ପ୍ରଜ୍ଞାନ କହିଛନ୍ତି, ଚୟନକର୍ତ୍ତାଙ୍କ ନିଷ୍ପତ୍ତି ମତେ ଟିକେ ଚକିତ କରିଛି । ମୟଙ୍କ ଅଗ୍ରୱାଲ ଆହତ ହୋଇ ମଧ୍ୟ ୩ଟି ଫର୍ମାଟରେ ସ୍ଥାନ ପାଇଛନ୍ତି ହେଲେ ରୋହିତଙ୍କୁ କଣ ପାଇଁ ବିଶ୍ରାମ ଦିଆଯାଇଛି? ଦଳରେ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଉପଅଧିନାୟକ କରାଯାଇଛି ବୋଲି ସେ କହିଛନ୍ତି ।

ୟୁଏଇରେ ଆଇପିଏଲ ଚାଲିଥିବା ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ୩ଟି ଫର୍ମାଟରେ ଦଳର ମଙ୍ଗ ଧରିଛନ୍ତି ବିରାଟ କୋହଲି । ସେହିପରି ରୋହିତଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।