୭୦ ବର୍ଷ ଧରି ସାଉଦି ଆରବରେ କାହିଁକି ବନ୍ଦ ଥିଲା ମଦ ବିକ୍ରି ?

134

ଦୀର୍ଘ ୭୦ ବର୍ଷ ପରେ ଇସଲାମର ଗଡ଼ ବୋଲି କୁହାଯାଉଥିବା ସାଉଦି ଆରବରେ ଏବେ ମଦ ଦୋକାନ ଖୋଲିବାକୁ ଯାଉଛି । ଏ ବାବଦରେ ସାଉଦି ଆରବ କହିଛି ଯେ କେବଳ ଅଣ-ମୁସଲମାନ ଗୋଷ୍ଠୀ ପାଇଁ ରିୟାଦରେ ମଦ ଦୋକାନ ଖୋଲିବ । ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ୭୦ ବର୍ଷ ପୂର୍ବେ ସାଉଦି ଆରବରେ ମଦ ନିଷେଧ କାହିଁକି ହେଇଥିଲା ?  ଏଠାରେ ଏଥିପାଇଁ କ’ଣ ଦଣ୍ଡ ଦିଆଯାଉଛି ଏବଂ ଏବେ  ମଦ ଦୋକାନ କାହିଁକି ଖୋଲୁଛି ?

୭୦ ବର୍ଷ ପରେ ଇସଲାମର ଗଡ଼ ସାଉଦି ଆରବରେ ଏବେ ମଦ ଦୋକାନ ଖୋଲିବାକୁ ଯାଉଛି । ସାଉଦି ଆରବ କହିଛି ଯେ ଏହା କେବଳ ଅଣ-ମୁସଲମାନ କୂଟନୈତିକ ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ହେବ । ଏହାର ଗ୍ରାହକ କେବଳ କୂଟନୈତିକ କର୍ମଚାରୀଙ୍କ ମଧ୍ୟରେ ସୀମିତ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ କୂଟନୈତିକ କର୍ମଚାରୀଙ୍କ ପାଇଁ ସିଲ୍ ପ୍ୟାକେଜରେ ମଦ ଆମଦାନୀ କରାଯାଉଥିଲା । ଯାହାକୁ କୂଟନୈତିକ ପାଉଚ୍ ବୋଲି କୁହାଯାଏ । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ନୂଆ ଷ୍ଟୋର ରିୟାଦର କୂଟନୈତିକ କ୍ୱାର୍ଟରରେ ରହିବ । ଯେଉଁଠାରେ କୂଟନୀତିଜ୍ଞ ମାନଙ୍କ କ୍ୱାର୍ଟର ଅଛି ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ୭୦ ବର୍ଷ ପୂର୍ବେ ସାଉଦି ଆରବରେ ମଦ କାହିଁକି ନିଷେଧ କରାଯାଇଥିଲା । ଏଥିପାଇଁ କ’ଣ କଣ ଦଣ୍ଡର ବ୍ୟବସ୍ତା ଥିଲା ? ଏବଂ ଏବେ କଣ ପାଇଁ ମଦ ଦୋକାନ କାହିଁକି ଖୋଲୁଛି ?

୭୦ ବର୍ଷ ପୂର୍ବେ କାହିଁକି ମଦ ଉପରେ ପ୍ରତିବନ୍ଧ ଲଗାଯାଇଥିଲା ।

ଇସଲାମରେ ମଦ୍ୟପାନକୁ ହାରାମ ବୋଲି ଘୋଷଣା କରାଯାଇଛି । ସାଉଦି ଆରବ ସେହି ଅଳ୍ପ କେତେକ ଇସଲାମ ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ଏହାକୁ ନିଷେଧ କରାଯାଇଛି । ଏଥି ମଧ୍ୟରେ ଗଲ୍ଫ ଦେଶ କୁଏତ ଏବଂ ୟୁଏଇର ଶାରଜାହା ଅନ୍ତର୍ଭୁକ୍ତ । ୧୯୫୨  ମସିହାରେ ସାଉଦିରେ ମଦ୍ୟପାନ ନିଷେଧ କରାଯାଇଥିଲା । ଏହା ପଛରେ ଏକ କାରଣ ମଧ୍ୟ ଥିଲା ।

ସାଉଦି ଆରବର ତତ୍କାଳୀନ ରାଜା ତଥା ପ୍ରତିଷ୍ଠାତା ସମ୍ରାଟ ଅବଦୁଲ୍ ଅଜିଜ୍ ମଦ୍ୟପାନ ଉପରେ ସେତେବେଳେ ପ୍ରତିବନ୍ଧ ଲଗାଇଥିଲେ ଯେତେବେଳେ  ତାଙ୍କ ପୁଅ ପ୍ରିନ୍ସ ମିସାରୀ ମଦ୍ୟପାନ କରି ଜେଦ୍ଦାରେ  ଜଣେ  ବ୍ରିଟିଶ କୂଟନୀତିଜ୍ଞ ସିରିଲ ଓସମାନଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ପ୍ରିନ୍ସ ମିସାରୀ ଗୋଟେ ପାର୍ଟିରେ  ମଦ ପିଇ ନିଶାରେ ଚୂର ହେଇ ଆହୁରି ମଦ ପିଇବାକୁ ମାଗିଥିଲେ । କୌଣସି କାରଣ ବଶତଃ ତାଙ୍କୁ ଆଉ ମଦ ଦିଆ ଯାଇନଥିଲା । ଏହାକୁ ନେଇ ସେ ପାର୍ଟିରେ ତୁମୁଳକାଣ୍ଡ କରିଥିଲେ ଏବଂ ରାଗିଯାଇ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଏହି ଗୁଳି ବ୍ରିଟିଶ କୂଟନୀତିଜ୍ଞ ସିରିଲ ଓସମାନଙ୍କ ଦେହରେ ବାଜିଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ଯୁବରଣ କରିଥିଲେ ।  ଏହି ଘଟଣାର ମାତ୍ର ଗୋଟିଏ ବର୍ଷ ପରେ ସମ୍ରାଟ ଅବଦୁଲ୍ ଅଜିଜ୍ ମଦ ଉପରେ ନିଷେଧାଦେଶ ଜାରି କରିଥିଲେ ।  ଏହି ମାମଲାରେସେ ପ୍ରିନ୍ସ ମିସାରୀକୁ ମଧ୍ୟ ଦୋଷୀ ଘୋଷଣା କରାଯାଇଥିଲା ।

ସମୟ ସହିତ ସାଉଦି ଆରବ ପରିବାରର ଆଦର୍ଶ ବହୁତ ଇସଲାମ ମୌଲବାଦ ଆଡକୁ ଢଳିଥିଲା । ଗତ କିଛି ବର୍ଷ ମଧ୍ୟରେ ସାଉଦି ଆରବ ଏପରି କିଛି ପଦକ୍ଷେପ ନେଇଛି ଯାହା ସାରା ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ବଦଳାଇପାରିଛି । ଏବେ ନେଉଥିବା ଅଧିକାଂଶ ନିଷ୍ପତ୍ତି ତାଙ୍କର ଅର୍ଥବ୍ୟବସ୍ଥାକୁ ମଧ୍ୟ ଉତ୍ସାହିତ କରୁଛି । ଏଭଳି ନିଷ୍ପତି ନେବାର କାରଣ  ହେଉଛି ବର୍ତ୍ତମାନ ସାଉଦି ନିଜର ତୈଳ ଅର୍ଥନୀତିର ନିର୍ଭରଶୀଳତାକୁ ହ୍ରାସ କରି ପର୍ଯ୍ୟଟନ ଓ ଶିଳ୍ପ ଆଡକୁ ନେବାକୁ ଚେଷ୍ଟା କରୁଛି । ଏଥିପାଇଁ ଏହିସବୁ ମୌଳିକ ସିଦ୍ଧାନ୍ତକୁ ସେ ବଦଳେଇ ବିଶ୍ୱକୁ ନିଜ ଆଡକୁ ଅକୃଷ୍ଠ କରିବାକୁ ଚେଷ୍ଟା କରୁଛି ।

ମଦ ଦୋକାନ କାହିଁକି ଖୋଲିବାକୁ ପଡିଲା ?

ସାଉଦିରେ ମଦ ବିକ୍ରିକୁ ଏକ ପରୀକ୍ଷଣ ମଧ୍ୟ କୁହାଯାଇପାରେ, ଯାହା ଦେଶର ଅର୍ଥନୀତିକୁ ସିଧାସଳଖ ବୃଦ୍ଧି କରିବ ବୋଲି ବିଶ୍ଵାସ କରୁଛି ।  ତେବେ ଏଠାରେ ଥିବା ଅଧିକାରୀମାନେ କହିଛନ୍ତି ଯେ ଏହି ପଦକ୍ଷେପ ମଦର କଳାବଜାରକୁ ରୋକିବାରେ ସହାୟକ ହେବ । ଖୁବ ଶୀଘ୍ର ମଦ ଦୋକାନ ଖୋଲିବ ବୋଲି ସୂତ୍ରରୁ ପ୍ରକାଶ ।

ମଦ ଏତେ ସହଜରେ ଉପଲବ୍ଧ ହେବ ନାହିଁ । ନିୟମ କଣ ରହିଛି ?

ଯଦିଓ ଏହି ଘୋଷଣା କରାଯାଇଛି କିନ୍ତୁ ଦୋକାନ ଖୋଲିବା ପରେ ମଦ ଏତେ ସହଜରେ ଉପଲବ୍ଧ ହେବ ନାହିଁ ।  ଏଥିପାଇଁ କୂଟନୀତିଜ୍ଞଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ। ତେବେ ସରକାରଙ୍କ ଅନୁମତି ପରେ ଯାଇ  ମଦ ଉପଲବ୍ଧ ହେବ । ୨୧ ବର୍ଷରୁ କମ୍ ପିଲାଙ୍କୁ  ଦୋକାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଜଣଙ୍କ ପାଇଁ କେତେ ମଦ ଉପଲବ୍ଧ ହେବ ତାହାର ଏକ ସୀମା ମଧ୍ୟ ରହିବ । ରିପୋର୍ଟ ଅନୁଯାୟୀ, କୂଟନୀତିଜ୍ଞମାନେ ପ୍ରତି ମାସରେ ୨୪୦ ପଏଣ୍ଟ ମଦ ପାଇପାରିବେ । ଗୋଟିଏ ଲିଟର ମଦରେ ତିନି ପଏଣ୍ଟ ଏବଂ ଗୋଟିଏ ଲିଟର ବିୟରରେ ଗୋଟିଏ ପଏଣ୍ଟ ବୋଲି ହିସାବ କରାଯିବ ।

ମଦ୍ୟପାନ ଏବଂ ମଦ ରଖିବା ପାଇଁ ସାଉଦିରେ ଦଣ୍ଡ କ’ଣ ରହିଛି ?

ଅନେକ ଇସଲାମ ଦେଶରେ ମଦ୍ୟପାନ ନିଷେଧ, ତେଣୁ ସାଉଦିରେ ମଧ୍ୟ ଏହାକୁ ରଖିବା ଏବଂ ପିଇବା ପାଇଁ ଦଣ୍ଡ ଅଛି । ଜୋରିମାନା, ଜେଲ, ସର୍ବସାଧାରଣରେ ଚାବୁକ ମାଡ଼ ଭଳି ବ୍ୟବସ୍ତା ଅଛି  ଏବଂ ବିଦେଶୀ ମାନଙ୍କ ପାଇଁ ସେମାନଙ୍କୁ ଜୋରଜବରଦସ୍ତ ତାଙ୍କ ଦେଶକୁ ପଠାଇଦେବାର ମଧ୍ୟ ନିୟମ ରହିଛି । ତେବେ ଏବେ ଏହା ଆଲୋଚନା ହୋଇଛି ଯେ ସାଉଦି ଏହି ସମ୍ବନ୍ଧୀୟ ନିୟମରେ କିଛି କୋହଳ କରିପାରନ୍ତି । ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଯଦିଓ ଏଠାରେ ମଦ ନିଷେଧାଦେଶ ରହିଛି, ତଥାପି ଏଠାରେ କଳାବଜାରରେ ବ୍ୟାପକ ମାତ୍ରାରେ ମଦ ବିକ୍ରି ହେଉଛି ।