ବାଘ ମୃତ୍ୟୁ ନେଇ ମିଛ କହୁଥିଲା ବନବିଭାଗ । ଶେଷରେ ଧରାପଡିଗଲା ଜଙ୍ଗଲବିଭାଗର ସତ

କଲରାପତରିଆ ନୁହେଁ ଡେବ୍ରୀଗଡରେ ମରିଥିଲା ରୟାଲ ଟାଇଗର? ହେଲେ କାହିଁକି ମିଛ କହୁଥିଲା ବନବିଭାଗ

128

କନକ ବ୍ୟୁରୋ : କଲରାପତରିଆ ବାଘ ନୁହେଁ ଡେବ୍ରୀଗଡ ଜଙ୍ଗଲରେ ମରିଥିଲା ମହାବଳ ବାଘ । ଗତ କିଛିଦିନ ଧରି ଡେବ୍ରୀଗଡ ଜଙ୍ଗଲରେ ମହାବଳ ନା କଲରାପତରିଆ ବାଘ ମରିଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର । କଲରାପତରିଆ ନୁହେଁ ମହାବଳ ବାଘ ମରିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୁରେଶ ମହାପାତ୍ର ।

ଏହି ମାମଲାରେ ୪ ଶିକାରୀଙ୍କୁ ଗିରଫ କରିବା ପରେ ଏହା ଉପରୁ ପରଦା ହଟିଛି । ମହାବାଳ ବାଘ ମରିଥିବା ନେଇ ଗିରଫ ୪ ଅଭିଯୁକ୍ତ ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ନିଶ ଓ ପଞ୍ଝା ଜବତ କରିଛି ବନବିଭାଗ । ସଂଗୃହିତ ନମୁନାରୁ ଏହା ମହାବଳ ବାଘର ବୋଲି ଜଣାପଡିଛି । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ କହିଛନ୍ତି, ଗିରଫ୪ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ମହାବଳ ମରିଥିଲେ ମଧ୍ୟ ଏତେଦିନ ହେଲା ଜଙ୍ଗଲ ବିଭାଗ କାହିଁକି ମିଛ କହି ଚାଲିଥିଲା ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି । ମହାବଳ ବାଘକୁ କଳାପତରିଆ ବାଘର ରୂପ ଦେବା ପଛରେ ବନବିଭାଗର କେଉଁ ଉଦ୍ଦେଶ୍ୟ ରହିଛି । କାହା ସ୍ୱାର୍ଥରେ ଏତେ ବଡ କଥାକୁ ଚାପି ଦେବାକୁ ଚେଷ୍ଟା କରୁଥିଲା ବନବିଭାଗ । ଏସବୁର ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

କାରଣ ଏହା ପୂର୍ବରୁ ଡେବ୍ରୀଗଡ ଜଙ୍ଗଲରେ ଥିବା ମହାବଳ ବାଘର ମୃତ୍ୟୁ ହୋଇଥିବା ଖବର ପ୍ରଥମେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଅଭୟାରଣ୍ୟରୁ ମାଟିତଳୁ କେବଳ ବାଘର ମୃତଦେହ ମିଳିଥିଲା । ମୃତଦେହ ଜବତ କରାଯିବା ପରେ ଏହା ମହାବଳ ବାଘ ନୁହେଁ ବରଂ କଲରାପତରିଆ ବାଘର ବୋଲି କହିଥିଲେ ଡିଏଫଓ । ଏପରିକି ପିସିସିଏଫ ମଧ୍ୟ ସମାନ କଥା କହିଥିଲେ । କଲରାପତରିଆ ବାଘକୁ ପ୍ରାୟ ୧୫ ଦିନ ତଳେ ମାରି ଦିଆଯାଇଥିବା କହିଥିଲେ ପିସିସିଏଫ୍ ।

ଏପରିକି ମହାବଳ ବାଘର ମୃତ୍ୟୁକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ମଧ୍ୟ ଅନ୍ଧାରରେ ରଖିଥିଲା ବନବିଭାଗ । ଅନୁଧ୍ୟାନ ବିନା ବିଭାଗର ମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଇଥିଲେ ଆରସିସିଏଫ । ଜଙ୍ଗଲ ବିଭାଗ ମନ୍ତ୍ରୀ ମଧ୍ୟ ମହାବଳ ନୁହେଁ କଲରାପତରିଆ ବାଘ ମରିଥିବା ଗଣମାଧ୍ୟମକୁ କହିଥିଲେ । ତେବେ ଏହି ମାମଲାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ସଙ୍ଗୀନ ଘଟଣାରେ ବନବିଭାଗ ଭୁଲ ତଥ୍ୟ ଦେଉଥିଲା ତାହା ପୂରା ଘଟଣାକୁ ରହସ୍ୟାବୃତ୍ତ କରିଛି । ଗୋଟିଏ ପଟେ ବନ ବିଭାଗ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ସୁନ୍ଦରୀକୁ ଆଣିଥିବା ବେଳେ ଡେବ୍ରୀଗଡରେ ମହାବଳ ବାଘ ମରିଯିବା ଘଟଣାରେ ବାରମ୍ବାର ମିଛ କହିବା ପଛରେ ପ୍ରକୃତ କାରଣ କଣ ରହିଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ପ୍ରାୟ ଦେଢ ମାସ ଆଗରୁ ଦେବ୍ରୀଗଡ ଅଭୟାରଣ୍ୟରେ ମହାବଳର ଫଟୋ ଜଙ୍ଗଲ ବିଭାଗର ଟ୍ରାପ କ୍ୟାମେରାରେ ଆସିବା ପରେ ଏହି ଅଭୟାରଣ୍ୟରେ ମହାବଳ ଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳିଲା । ଏତେବର୍ଷ ଭିତରେ ମହାବଳର ଏହି ଫଟୋ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା । ବିଭିନ୍ନ ମହଲରେ ଖୁସି ବି ଖେଳିଗଲା ଯେ, ଦେବ୍ରିଗଡ ଅଭୟାରଣ୍ୟରେ ମହାବଳ ଅଛି । ଡେବ୍ରୀଗଡ ଅଭୟାରଣ୍ୟରେ ଥିବା ମହାବଳ ବାଘ ସାହାର୍ଯ୍ୟରେ ବାଘ ବଂଶ ବୃଦ୍ଧି କରାଯାଇପାରିବ ବୋଲି ସେତେବେଳେ କୁହାଯାଇଥିଲା । କିନ୍ତୁ ଦିନ କେଇଟାରେ ଏହି ଆଶା ମଉଳି ଯାଇଛି । ଡେବ୍ରୀଗଡ ଜଙ୍ଗଲରେ ବାଘ ବଂଶ ବୃଦ୍ଧି ତ ଦୂରର କଥା ବରଂ ସୁରକ୍ଷା ଦେଇ ନ ପାରିବା କାରଣରୁ ମହାବଳ ବାଘର ମୃତ୍ୟୁ ବନବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।