କନକ ବ୍ୟୁରୋ : ଗତକାଲି ରତ୍ନଭଣ୍ଡାରକୁ ନେଇ ରହସ୍ୟ ଆହୁରି ବଢିଯିବା ପରେ ଏବେ ଗୋଟିଏ ପ୍ରଶ୍ନକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲିଛି । ସେ ପ୍ରଶ୍ନଟି ହେଉଛି, ଭିତର ଭଣ୍ଡାରକୁ କାହିଁକି ଖୋଲିଲେ ନାହିଁ ଯାଞ୍ଚ କମିିିଟି । ସେଠାରେ କଣ ଘଟିଥିଲା ଏବଂ କେଉଁ ପରିସ୍ଥିତିରେ ଯାଂଚ୍ କମିଟି ଏଭଳି ନିଷ୍ପତି ନେଲା, ତାହା ବର୍ତମାନ ଆଉ ଏକ ରହସ୍ୟ ବନିଯାଇଛି । କୁହାଯାଉଛି, ଦୁଇଟି କାରଣ ପାଇଁ ଭିତର ଭଣ୍ଡାର ଖୋଲିଲେ ନାହିଁ ଯାଂଚ୍ କମିଟି । ଗୋଟିଏ ହେଉଛି, ଭୟ ଏବଂ ଅନ୍ୟଟି ହେଉଛି ସେବାୟତଙ୍କ ପ୍ରବଳ ବିରୋଧ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭିତର ଭଣ୍ଡାରକୁ କାହିଁକି ଯାଂଚ କମିଟିର ସଦସ୍ୟମାନେ ପ୍ରବେଶ କଲେ ନାହିଁ ସେହି ପ୍ରଶ୍ନ ଏବେ ବି ପ୍ରଶ୍ନ ହୋଇ ରହି ଯାଇଛି । ବାହାରେ ବିରୋଧ ଏବଂ ଭିତରେ ଆଶା-ଆଶଙ୍କା, ଏହାରି ଭିତରେ ବାହାର ରତ୍ନଭଣ୍ଡାରର ଯାଂଚ୍ ସରିଥାଏ । ଆଉ ଠିକ୍ ଭିତର ଭଣ୍ଡାରକୁ ଅଗ୍ରସର ହେଉଥିବା ବେଳେ ଉପୁଜିଥିଲା ବଡ ଧରଣର ଦ୍ୱନ୍ଦ । କେଇ ପାଦ ଆଗରେ ଭିତର ଭଣ୍ଡାର, ସାମ୍ନାରେ ଜଉମୁଦ ମରା ହୋଇଥିବା ରତ୍ନଭଣ୍ଡାର କବାଟ । ପାଦ ଆଗକୁ ବଢ଼ିବା ଆଗରୁ ହଠାତ୍ ଅଟକି ଗଲା । ଭିତର ଭଣ୍ଡାରରେ ପ୍ରବେଶ କରିବେ କି ନାହିଁ ? ଖୋଲିବ ନା’ ନାହିଁ ଭିତର କବାଟ ? ଏହି ସବୁ ଦ୍ୱନ୍ଦ ଭିତରେ ଭଣ୍ଡାରଗୃହରେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯାଂଚ କମିଟିର ସଦସ୍ୟ ଏଏସଆଇର ଯନ୍ତ୍ରୀ- ଜିସି ମିତ୍ର ହଠାତ୍ ଝୁଂଟି ଯାଇ ପଡ଼ି ଯାଇଥିଲେ ।
ବାହାରକୁ ଖବର ଆସିଲା-ରତ୍ନଭଣ୍ଡାର ଗୃହରେ ଝୁଂଟି ପଡ଼ିଛନ୍ତି-ଜିସି ମିତ୍ର । ବଢ଼ିଗଲା ଘଟଣାର ଗୁରୁତ୍ୱ । ରତ୍ନଭଣ୍ଡାର ଭିତରେ କ’ଣ ଚାଲିଛି, କେହି କିଛି ବୁଝିବା ବି ସମ୍ଭବ ହେଉ ନଥିଲା । ଉତ୍ସାହ ଓ ଉକ୍ରଣ୍ଠା ଭିତରେ ସେମିତି ସମସ୍ତେ ଚାହିଁ ରହିଥାନ୍ତି ।ଅନ୍ୟପଟେ ରତ୍ନଭଣ୍ଡାରକୁ ଯାଇଥିବା ୧୫ଜଣିଆ କମିଟିର ସଦସ୍ୟମାନେ କିଛି ନିଷ୍ପତି ନେବା ପୂର୍ବରୁ ଜଣେ ସଦସ୍ୟ ଝୁଂଟି ପଡ଼ିବା ଘଟଣା, ହୁଏତ ସେମାନଙ୍କୁ ବିଚଳିତ କରି ସାରିଥାଏ । ଗୋଟିଏ ପଟେ ଲୋକକଥା ଓ କିମ୍ବଦନ୍ତୀର କାହାଣୀ, ଅନ୍ୟପଟେ ମନସ୍ଥାତ୍ୱତିକ ଚାପ । ନିଷ୍ପତି ହେଲା-ଖୋଲିବ ନାହିଁ ଭିତର ଭଣ୍ଡାର । ଟର୍ଚ୍ଚମାରି ଜାଲି କବାଟ ଭିତରୁ ଯାଞ୍ଚ କରିବାକୁ ନିଷ୍ପତି ନେଇଥିଲେ କମିଟିର ସଦସ୍ୟ ।
ଶ୍ରୀମନ୍ଦିରକୁ ପ୍ରବେଶ କରିବାର ଅଧଘଂଟାରୁ ଘଂଟାଏ ଭିତରେ ଯାଂଚ କରି ଫେରିଲେ କମିଟି ସଦସ୍ୟ । କ୍ୟାମେରା ସାମ୍ନାରେ କୁହାଗଲା-ଯାଂଚ ସରିଗଲା । ଆଉ ସେତେବେଳେ ଜଣାପଡ଼ିଲା- ଭିତର ଭଣ୍ଡାରକୁ ପ୍ରବେଶ ବି କରି ନାହାଁନ୍ତି କମିଟି ସଦସ୍ୟ । ବାହାରେ ଥାଇ ଦେଖିଛନ୍ତି ଭିତର ଭଣ୍ଡାର । ଏହା ଉପରେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି- ଗଜପତି ମହାରାଜ ଉପସ୍ଥିତ ନଥିବାରୁ ତାଲା ଖୋଲିବାକୁ ମଙ୍ଗିନଥିଲେ କମିଟି ସଦସ୍ୟ ।
ସେହିପରି ର୍ଦୁବ୍ୟବହାର ଏବଂ ଠେଲାପେଲାର ଶିକାର ହୋଇଥିବା ଟେକନିକାଲ କମିଟି ସଦସ୍ୟ ଏନ. ସି ପାଲ ମାନିଛନ୍ତି-ଶ୍ରୀମନ୍ଦିର ସୁରକ୍ଷା ପାଇଁ ଭିତର ଭଣ୍ଡାର ଖୋଲିବାକୁ ପଡ଼ିବ । ତେବେ ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ଏବଂ ବାହାରୁ ଯାଂଚ ସମ୍ଭବ ଥିବାରୁ ଭିତର ଭଣ୍ଡାର ନଖୋଲିବାକୁ ନିଷ୍ପତି ହୋଇଥିଲା ।ଏସବୁ ଭିତରେ କିନ୍ତୁ ରହସ୍ୟରେ ରହିଗଲା ରତ୍ନଭଣ୍ଡାରର ରହସ୍ୟ । ଏବେ ଦେଖିବାର କଥା ଯାଂଚ କମିଟିର ରିପୋର୍ଟ କ’ଣ କହୁଛି ଏବଂ ଏହାକୁ ନେଇ ହାଇକୋର୍ଟ କ’ଣ ନିଷ୍ପତି ନେଉଛନ୍ତି ।