ଯାଜପୁରର ରାସ୍ତା କଡରେ କାହିଁକି ଝରାଫୁଲଙ୍କ ମୃତଦେହ ଫୋପାଡି ଦିଆଗଲା । ପୋଲିସର ପଚରାଉଚରା ସମୟରେ ଏନେଇ ତଥ୍ୟ ଦେଇଛି ରାକେଶ

8,597

କନକ ବ୍ୟୁରୋ: ଝରାଫୁଲଙ୍କ ମୃତଦେହ ଯାଜପୁରର ରାଜେନ୍ଦ୍ରପୁର ରାସ୍ତାକଡରୁ ମିଳିବା ପରେ ସିସିଟିଭି ଫୁଟେଜ ସାମନାକୁ ଆସିଛିା ଆଉ ଏହି ଫୁଟେଜ ଆଧାରରେ ଯାଜପୁର ପୋଲିସ ଝରାଫୁଲ ହତ୍ୟା ଘଟଣାରେ କିଛି ବାଟ ଆଗେଇ ପାରିଛି । ଏହି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଗାଡିର ମଝିରେ ଝରାଫୁଲ ବସିଛନ୍ତି, ଗାଡି ଚଳାଉଛନ୍ତି ରାକେଶ ସ୍ୱାଇଁଙ୍କ ସାଙ୍ଗ, ନିଜେ ରାକେଶ ସ୍ୱାଇଁ ପଛରେ ଝରାଫୁଲଙ୍କୁ ଧରି ବସିଛନ୍ତି । ଝରାଫୁଲଙ୍କ ଗୋଡ ଝୁଲିଛି ଏବଂ ମୁଣ୍ଡ ମଧ୍ୟ ଗୋଟିଏ ପଟକୁ ଢ଼ଳି ପଡିଛି ।

ଝରାଫୁଲଙ୍କୁ ସେମାନେ ସ୍କୁଟିରେ ବସାଇ ଆଣିବାବେଳେ ଝରାଫୁଲଙ୍କ ଗୋଡ ଝୁଲି ରହିବା ଏବଂ ମୁଣ୍ଡ ଗୋଟିଏ ପଟକୁ ଢ଼ଳିବା, ଏହି ଦୃଶ୍ୟକୁ ରାସ୍ତାରେ ଯାଉଥିବା ଲୋକେ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ । ଏକ କାର ଏହି ସ୍କୁଟିକୁ ଫଲୋ କରୁଥିଲା । କାରରେ ବସିଥିବା ଲୋକେ ବୁଝି ପାରୁନଥିଲେ ମଝିରେ ଜଣେ ଯୁବତୀଙ୍କୁ ଏମିତି କାହିଁକି ନିଆଯାଉଛି । ସେମାନେ ନିଜ ଭିତରେ ମଧ୍ୟ କଥା ହେଉଥିଲେ । ଶେଷରେ କାରର କାଚ ଖୋଲି ରାକେଶ ଓ ତାଙ୍କ ବନ୍ଧୁଙ୍କୁ ଏନେଇ ପଚାରି ଥିଲେ । କିନ୍ତୁ ଏମାନେ ସ୍କୁଟି ଠିଆ କରୁନଥିଲେ । ତେଣୁ ସେହିଭଳି ଚାଲିବା ଅବସ୍ଥାରେ ପଚାରୁଥିଲେ ।

ରାକେଶ ଓ ତାଙ୍କ ବନ୍ଧୁ କହିଥିଲେ, ଝିଅ ଜଣଙ୍କ ଅସୁସ୍ଥ ଅଛନ୍ତି । ଏତିକି କହି ସ୍କୁଟିକୁ ଜୋରରେ ନେବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ କାରରେ ବସିଥିବା ଲୋକେ ଏହାକୁ ବିଶ୍ୱାସ କରୁନଥିଲେ । ପଚାରିବା ସମୟରେ ସେମାନେ ପାଖରୁ ମଧ୍ୟ ଝରାଫୁଲଙ୍କ ମୁହଁ ଦେଖିଥିଲେ । ସେଥିରେ ତାଙ୍କର ସନ୍ଦେହ ଆହୁରି ବଢ଼ି ଯାଇଥିଲା । ପୁଣି ସେମାନେ ସ୍କୁଟିକୁ ପିଛା କରିଥିଲେ । ସ୍କୁଟି ଓ କାର କିଛି ବାଟ ପର୍ଯ୍ୟନ୍ତ ଆଗପଛ ହୋଇ ଚାଲିଥିଲେ । ରାକେଶ ଓ ତାଙ୍କ ବନ୍ଧୁ ଧରାପଡିଯିବେ ବୋଲି ଭୟ ବଢ଼ୁଥିଲା । ଆଉ ଏପଟେ କାରରେ ବସିଥିବା ଲୋକଙ୍କ ସନ୍ଦେହ ଆହୁରି ଘନିଭୂତ ହେଉଥିଲା । ସେମାନେ କିଛି ବୁଝିପାରୁନଥିଲେ, ରାକେଶ ଓ ତାଙ୍କ ବନ୍ଧୁ କାହିଁକି ଖସି ଯିବାକୁ ଚାହୁଁଛନ୍ତି ।

ଏଭଳି କିଛି ସମୟ ଧରି ଚାଲିବା ପରେ କାରଟି ଆଗକୁ ବଢ଼ିଯାଇଥିଲା । ବୋଧହୁଏ ସେମାନେ ଆଗରେ ସ୍କୁଟିକୁ ଅଟକାଇବା ପାଇଁ ଉଦ୍ୟମ କରିବାକୁ ଚାହୁଁଥିଲେ । କିମ୍ବା ପୋଲିସକୁ ଏବିଷୟରେ ସୂଚନା ଦେଇ ସ୍କୁଟିକୁ ଅଟକାଇଥାନ୍ତେ । ଏପଟେ ରାକେଶ ଓ ତାଙ୍କ ବନ୍ଧୁ ମଧ୍ୟ ଠିକ୍ ଏହି ଆଶଙ୍କା କଲେ । ତେଣୁ ଏମାନେ ଆଉ ବେଶି ଦୂର ଯିବା ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଭାବି ରାଜେନ୍ଦ୍ରପୁର ନିକଟରେ, ରାସ୍ତାକଡରେ ଝରାଫୁଲଙ୍କ ମୃତ ଦେହକୁ ଫୋପାଡି ଦେଲେ । ଏବଂ ସେଠାରୁ ଭୁବନେଶ୍ୱର ଆଡକୁ ଫେରି ଆସିଥିଲେ । ପୁଲିସର ପଚରାଉଚରା ସମୟରେ ରାକେଶ ସ୍ୱାଇଁ ଏଭଳି ସୂଚନା ଦେଇଥିବା ଜଣାପଡିଛି ।