ଆମ ବ୍ୟବସ୍ଥାରେ ନେତା ଓ ଜନତାର ସମ୍ପର୍କ । କାହିଁକି ନେତାଙ୍କୁ ଖୋଜନ୍ତି ଜନତା ।

125

ଓଡ଼ିଶାରେ ନିର୍ବାଚନ ସରିଛି । ଆଗକୁ ବଡ଼ଧରଣର ନିର୍ବାଚନ ହେବାକୁ ନାହିଁ । ନେତାଙ୍କ ସଂପର୍କରେ ଲେଖିବା ପାଇଁ ବୋଧହୁଏ, ଏହା ଉପଯୁକ୍ତ ସମୟ । ନିର୍ବାଚନ ବେଳାରେ ଲେଖିଲେ ଅଙ୍ଗୁଳି ଉଠିବାର ଆଶଙ୍କା ଥାଏ । ସେ ଦୃଷ୍ଟିକୋଣରୁ ହୁଏତ, ସମୟଟା ନିରାପଦ! ଦଳଗତ ବିଭେଦତା ଭିତରେ ନିର୍ଦ୍ଧିଷ୍ଟ ନେତା କିମ୍ବା ଦଳ ପ୍ରତି ଆଶକ୍ତି ଥିବାର ଲାଞ୍ଝନା ଟିକେ କମ୍ ।

ଏବେ ପ୍ରସଙ୍ଗକୁ ଆସିବା । ନେତା ଶବ୍ଦଟି ଶୁଣିଲେ, ସାଧାରଣରେ ଯେଉଁ ଧାରଣାଟି ମନକୁ ଆସେ ହୁଏତ, ତାହା ଏତେ ସକରାତ୍ମକ ନୁହେଁ । ନକରାତ୍ମକ ଧାରଣା ଆସିବା ବି ସ୍ୱାଭାବିକ । କାରଣ, ଆମକୁ ପ୍ରତିନିଧିତ୍ୱ କରୁଥିବା ସଂଖ୍ୟାଧିକ ନେତାଙ୍କ ପୋଥି କଳଙ୍କରେ ଭର୍ତି । କାହା ନାଁରେ ଅପରାଧିକ ମାମଲା, ତ ଆଉ କିଏ ଜନସେବାର ଖୋଳପା ଭିତରେ ଆତ୍ମୀୟ ସେବାରେ ଲିପ୍ତ । ଏତେ ସବୁ ତିକ୍ତ ଅଭିଜ୍ଞତା ଭିତରେ ବି, ଯଦି କିଏ ଲୋକଙ୍କ ଅଧିକ ନିକଟତର ସେ ହେଉଛନ୍ତି ନେତା ବା’ ଜନପ୍ରତିନଧି ।

କିଛି ଦିନ ତଳର କଥା । ଜଣେ ବନ୍ଧୁଙ୍କ ଘରେ ଅତିଥି ହେବାର ସୁଯୋଗଟିଏ ମିଳିଲା । ବନ୍ଧୁଙ୍କ ଘରେ ଥିବା ସମୟରେ ପଡୋଶୀ ଘରୁ ବହୁତ ଜୋରରେ ପାଟିତୁଙ୍ଗ ହେବା ଶୁଣିବାକୁ ପାଇଲି । କ’ଣ ହେଲା, ଜାଣିବା ପାଇଁ ବାହାରି ଆସିବାରୁ ବୁଝା ପଡ଼ିଲା, ପଡୋଶୀ ଘରର ଦୁଇ ଭାଇଙ୍କ ମଧ୍ୟରେ ମାରପିଟ୍ ଚାଲିଛି । କାରଣ, ଜମିବାଡ଼ି ଭାଗବଂଟାକୁ ନେଇ । ଘଟଣା ଏତେ ତୀବ୍ର ହେଲା ଯେ, ଗାଁ ଯାକର ଲୋକ ରୁଣ୍ଡ ହୋଇଗଲେ । ସେଠୁ ୱାର୍ଡ ମେମ୍ବରଙ୍କୁ ଡକା ହେଲା । ସମାଧାନ ହେଲାନି ।

ଗାଁର ୩ଜଣ ଯାକ ୱାର୍ଡ ମେମ୍ବର ଏକାଠି ଆସିଲେ । ଆଉ ଶେଷରେ ଗାଁର ସରପଂଚ ମହାଶୟ ଆସିଲେ, ଦୁଇ ଜଣଙ୍କୁ ବୁଝା ସୁଝା କରିବା ସହ ବିଧାୟକଙ୍କ କାନରେ କଥା ପକାଇବେ ବୋଲି କହି ଶାନ୍ତ ରହିବାକୁ ପ୍ରତିଶ୍ରୁତି ଦେଲେ । ସମାଧାନର ପ୍ରତିଶ୍ରୁତି ପାଇବା ପରେ ପରିବେଶ ଶାନ୍ତ ହେଲା । ଗାଁରେ ରହୁଥିବା ଲୋକଙ୍କ ପାଇଁ ହୁଏତ, ଘଟଣାଟି ସାମାନ୍ୟ ଲାଗୁ ଥାଇପାରେ । କିନ୍ତୁ ପ୍ରସଙ୍ଗଟି ହେଉଛି- ସମସ୍ୟା ସମୟରେ ଲୋକଙ୍କ ପାଖରେ କିଏ ଯଦି ପ୍ରଥମେ ପହଂଚେ, ସେ ହେଉଛନ୍ତି ଜନପ୍ରତିନିଧି । ଝଗଡ଼ା ହେଉଥିବା ଦୁଇ ଭାଇ, ପୁଲିସ୍ କିମ୍ବା କୌଣସି ସରକାରୀ ବାବୁଙ୍କୁ ସେଦିନ ପ୍ରଥମେ ଖୋଜି ନଥିଲେ । ବରଂ ଗାଁର ୱାର୍ଡ ମେମ୍ବର ଏବଂ ସରପଂଚଙ୍କୁ ଖୋଜିଥିଲେ ।

ସାମାନ୍ୟ ମନେ ହେଉଥିବା ଏହି ଘଟଣାର ଗୁରୁତ୍ୱକୁ ଆମେ ଯଦି ଦେଖିବା ତେବେ ନେତା ବା ଜନପ୍ରତିନିଧି ହିଁ ସେହି ବ୍ୟକ୍ତି ଯାହାଙ୍କୁ ତୃଣମୁଳସ୍ତରରେ ଅଧିକ ଖୋଜା ପଡନ୍ତି । ଆମ ପୁଲିସ୍ ବ୍ୟବସ୍ଥା ଅନୁସାରେ ଗାଁଗୁଡ଼ିକରେ ଗ୍ରାମରକ୍ଷୀ ଅଛନ୍ତି । ଗାଁ ନିକଟରେ ଫାଣ୍ଡି ଏବଂ ଥାନା ବି ଅଛି । ହେଲେ ଲୋକଙ୍କ ଭରସା ନେତା ବା ଜନପ୍ରତିନିଧିଙ୍କ ଉପରେ ଅଧିକ । କାରଣ, ସବୁ ସୁବିଧା- ଅସୁବିଧାରେ ଯଦି କିଏ ଠିଆ ହୁଏ, ସେ ହେଉଛନ୍ତି ନେତା ।

ନେତା ତଥା ଜନପ୍ରତିନିଧି ଅର୍ଥ ଏହାନୁହେଁ ଯେ, ସବୁବେଳେ ବିଧାୟକ ବା ମନ୍ତ୍ରୀ । ଆପଣ ଲକ୍ଷ୍ୟ କରିଥିବେ, ଗାଁକୁ ପାଣି ଆସୁନି, ତୁରନ୍ତ ଲୋକ ପଚାରିବେ କିଏ ସେ ସରପଂଚ ବା ବିଧାୟକ । କେହି କେବେ ପଚାରିଛନ୍ତି କି’ ପଂଚାୟତି ରାଜ ବିଭାଗ ଅଧିନରେ କାମ କରୁଥିବା ଅଧିକାରୀ କିଏ? ଗାଁର ରାସ୍ତା କାମ ଅଧାପନ୍ତରିଆ ହୋଇପଡ଼ିଛି, କାମ ସାରିବା ପାଇଁ ମଧ୍ୟ ଲୋକ ନେତା-ମନ୍ତ୍ରୀଙ୍କ ପାଖକୁ ଯାଆନ୍ତି । ତୃଣମୁଳସ୍ତରରେ କେବେ ସରକାରୀ ବାବୁ ପାଖକୁ ଯାଇ ରାସ୍ତା କାମ କରିବା ପାଇଁ ଦାବି କରିବାର ନଜିର ଖୁବ୍ କମ୍ ।

ଅର୍ଥାତ୍ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଲୋକଙ୍କ ଆସ୍ଥା ରହିଛି ଏବଂ ରହିବ । ତେଣୁ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ପ୍ରତିନିଧି ଯେତେ ସଶକ୍ତ ହେବେ, ତାହା ଜନତାଙ୍କ ପାଇଁ ସେତେ ଭଲ । ବ୍ୟବସ୍ଥା ପରିଚାଳନା ଦୃଷ୍ଟିରୁ ସରକାରୀ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପରିଚାଳକ ଭାବେ ନେତା ବା ଜନପ୍ରତିନିଧି ମଜବୁତ ହେବା ଆବଶ୍ୟକ ।

ତେବେ ପ୍ରଶ୍ନ ହେଉଛି ଆମେ ଯୋଗ୍ୟ ନେତାଙ୍କୁ ନିର୍ବାଚିତ କରୁଛେ କି? ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ବିଧାୟକ ଏବଂ ସାଂସଦ ଯାଏଁ, ଅନେକ ସମୟରେ ଏମିତି ଜଣେ ଜଣେ ବ୍ୟକ୍ତିଙ୍କୁ ଆମେ ପାଉଛୁ । ଯିଏ ସରକାରୀ ବାବୁଙ୍କ ଭଳି ଠାଣିରେ କାମ କରୁଛନ୍ତି । ତେଣୁ ନେତା ଓ ଜନତାଙ୍କ ମଧ୍ୟରେ ଥିବା ସଂପର୍କରେ ଏକ ସମନ୍ୱୟ ରହିବା ନିହାତି ଜରୁରୀ । ଜନତାଙ୍କୁ ଏମିତି ନେତାଙ୍କୁ ବାଛିବାକୁ ହେବ, ଯିଏ ଜନତାଙ୍କ ଭିତରୁ ନେତା ହୋଇଥିବ । ଯିଏ, ଲୋକଙ୍କ ସୁବିଧା-ଅସୁବିଧାରେ ଠିଆ ହେଉଥିବ ।

ନେତା ବାଛିବାର ପ୍ରକ୍ରିୟା ବିଧାନସଭା କିମ୍ବା ସଂସଦରେ ସୀମିତ ନୁହେଁ । ୱାର୍ଡ ମେମ୍ବରରୁ ଆରମ୍ଭ କରି ସରପଂଚ ଯାଏ, ଜିଲ୍ଲା ପରିଷଦରୁ ଆରମ୍ଭ କରି ସହରାଂଚଳର କାଉସିଲର୍ ଯାଏ । ଆମକୁ ଏଭଳି ଜନପ୍ରତିନିଧିଙ୍କ ବାଛିବାକୁ ହେବ, ଯାହାଙ୍କ ମଥାରେ କଳଙ୍କର ଦାଗ ନଥିବ କି’ ବ୍ୟବସ୍ଥା ପାଇଁ ସଂକଟର ଆଶଙ୍କା ନଥିବ । କାରଣ, ସରକାରୀ ଅଧିକାରୀଙ୍କ ଅପେକ୍ଷା ଆମେ ସେମାନଙ୍କ ଉପରେ ଅଧିକ ନିର୍ଭରଶୀଳ । ସରକାରୀ ବାବୁମାନେ ମଧ୍ୟ ସାଧାରଣ ଲୋକଙ୍କ କଥା ଠିକ୍ ସେତିକି ବେଳେ ଗୁରୁତ୍ୱଦେଇ ଶୁଣନ୍ତି, ଯେତେବେଳେ ଜନତା, ନେତାଙ୍କ ପ୍ରତିନିଧି ଭାବେ ସରକାରୀ ଦପ୍ତରରେ ଠିଆ ହୁଅନ୍ତି । ତେଣୁ ଜନତା ମଜବୁତ ହେବାକୁ ହେଲେ ନେତା ମଜବୁତ ହେବା ନିହାତି ଜରୁରୀ ।

ଗଣତନ୍ତ୍ର ଅର୍ଥ କ’ଣ? ଗଣ ଦ୍ୱାରା ପରିଚାଳିତ ହେଉଥିବା ତନ୍ତ୍ର । ଏଠି ଲୋକ ନିଜ ପ୍ରତିନିଧି ବାଛନ୍ତି । ଆଉ ଏହି ପ୍ରତିନିଧିମାନେ ବ୍ୟବସ୍ଥାର ପରିଚାଳନା କରନ୍ତି । ଲୋକ ପ୍ରତିନିଧି ଆଶାତୀତ ପରିମାଣ ଆଣିବାରେ ବିଫଳ ହେଲେ ଲୋକ ତାଙ୍କୁ ପରିବର୍ତନ କରିବାର ସମାର୍ଥ୍ୟ ରଖନ୍ତି । କିନ୍ତୁ ଏହାରି ଭିତରେ ଯେଉଁ ବ୍ୟବସ୍ଥାକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ତାହା ହେଲା ଅମଲାତାନ୍ତ୍ରିକ ବ୍ୟବସ୍ଥା । ଅର୍ଥାତ ଏହି ବ୍ୟବସ୍ଥାରେ ଜନପ୍ରତିନିଧି ନୁହେଁ, ଅମଲାମାନଙ୍କ ଦ୍ୱାର ବ୍ୟବସ୍ଥା ପରିଚାଳିତ ହୁଏ । ଯାହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ ।

ପ୍ରତ୍ୟୁଷ କୁମାର ସା
ମୋବାଇଲ: ୯୪୩୭୩-୬୬୯୮୪

(ଏହା ବରିଷ୍ଠ ସାମ୍ବାଦିକ ପ୍ରତ୍ୟୁଷ କୁମାର ସାଙ୍କ ବ୍ୟକ୍ତିଗତ ମତ । ଏହା କନକ ନ୍ୟୁଜର ମତ ନୁହେଁ)

Comments are closed.