ଏପଟେ ଚାଲିଥିଲା ଛତିଶାନିଯୋଗ ବୈଠକ, ସେପଟେ ବାହାରିଲା ବଦଳି ଅର୍ଡର! ରାତାରାତି କାହିଁକି ବଦଳିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ?

32

କନକ ବ୍ୟୁରୋ : ପ୍ରଦୀପ ଗଲେ ପ୍ରଦୀପ୍ତ ଆସିଲେ । ଗତକାଲି ପୁରୀରେ ଛତିଶାନିଯୋଗ ବୈଠକ ଚାଲିଥିବା ବେଳେ ହଠାତ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ଦାୟିତ୍ୱରୁ ହଟାଇ ତାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ସରକାର ନିଯୁକ୍ତି ଦେଇଥିଲେ । ତରବରିଆ ଭାବେ ପ୍ରଦୀପଙ୍କୁ ବଦଳାଯିବା ପରେ ଆଜି ଜୋର୍ ଧରିଛି ଚର୍ଚା, ରଥଯାତ୍ରା ପୂର୍ବରୁ କାହିଁକି ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ, ସେବାୟତଙ୍କ ଅସନ୍ତୋଷ ଓ ମୁଣ୍ଡ ଉପରେ ରଥଯାତ୍ରା ଭିତରେ ଗୋଟିଏ ପଟେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ଛତିଶାନିଯୋଗ ବୈଠକ । ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବିଦା କରିବାକୁ ବାହାରିସାରିଥିଲା ଅର୍ଡର । ପୁରୀରୁ ଭୁବନେଶ୍ୱର ପହଁଚୁ ପହଁଚୁ ପଦବୀ ଯାଇସାରିଥିଲା ପ୍ରଦୀପ ଜେନାଙ୍କର । ଆଉ, ନୂଆ ପ୍ରଶାସକ ଭାବେ ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଥିଲା ନିଯୁକ୍ତି । ନୂଆ ପ୍ରଶାସକଙ୍କ ସାମ୍ନାରେ ଏବେ ବଡ଼ ଚ୍ୟାଲେଂଜ୍, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।

ରଥଯାତ୍ରା ପୂର୍ବରୁ ଅଚାନକ୍ ପ୍ରଦୀପ ଜେନାଙ୍କୁ ତରବରିଆ ଭାବେ ଦାୟିତ୍ୱରୁ ହଟାଇଦେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା ପରିଚାଳନା କରିବାରେ ପ୍ରଦୀପ ଜେନା ଅସମର୍ଥ ହେବେ ବୋଲି ଆଶଙ୍କା କରୁଥିଲେ କି ସରକାର? ମୁଖ୍ୟ ପ୍ରଶାସକ ନିଯୁକ୍ତ ହେବା ପରେ ଅନେକ ଘଟଣାକୁ ନେଇ ବିବାଦ ଘେରରେ ଥିଲା ପ୍ରଦୀପଙ୍କ ଭୂମିକା ।
– ରତ୍ନଭଣ୍ଡାର ଚାବି ହଜିବା ନେଇ ପ୍ରଦୀପ ଜେନାଙ୍କ ଉପରେ ଉଠିଥିଲା ଅଙ୍ଗୁଳି
– ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭୁଲଭାବେ କାର୍ଯ୍ୟକାରୀ କରିଥିବା ଅଭିଯୋଗ ଥିଲା
– ତାଙ୍କ କାର୍ଯ୍ୟକାଳ ସମୟରେ ଠାକୁର ୩୦ ଘଂଟା ଉପବାସରେ ରହିଥିଲେ
– ସେବାୟତଙ୍କ ସହ ସମନ୍ୱୟ ରକ୍ଷା କରିବାରେ ଆହ୍ୱାନର ସାମ୍ନା କରିଥିଲେ

ଏହାରି ଭିତରେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଏକ ଟ୍ୱିଟକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଲେଖିଛନ୍ତି, ଓଡିଶା ପ୍ରଶାସନର ସବୁଠାରୁ ଆହ୍ୱାନ ଭରା ଓ ଜଟିଳ କାର୍ଯ୍ୟଭାର ହେଉଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବା । ରାଜ୍ୟର ମୁଖ୍ୟ ଶାସନ ସଚିବ ଭଳି ମୁଖ୍ୟ ପ୍ରଶାସକ ପଦବୀ ବୋଲି ଉଲ୍ଲେଖ କରିବା ସହ ଶ୍ରୀମନ୍ଦିରରେ ନିହାତି ସଂସ୍କାର ଆସିବା ଆବଶ୍ୟକ ବୋଲି ଅରବିନ୍ଦ କହିଛନ୍ତି ।