କାହିଁକି ମାରାତ୍ମକ ହେଉଛି କରୋନା ପରର ଜଟିଳତା? ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଏଯାଏଁ ଆସିନି ନିର୍ଦ୍ଦିଷ୍ଟ ଚିକିତ୍ସା । ସୁସ୍ଥ୍ ନହେଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ ।

125

କନକ ବ୍ୟୁରୋ : କରୋନା ନିୟନ୍ତ୍ରଣକୁ ଆସୁଥିବା ବେଳେ ଏବେ ଓମିକ୍ରନ ଭାରିଆଣ୍ଟ ପୂରା ବିଶ୍ୱର ଚିନ୍ତା ବଢାଇଛି । ଓମିକ୍ରନ ଭାଇରସ କେତେ ଘାତକ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହା ଉପରେ ଏବେ ପରୀକ୍ଷା ନିରୀକ୍ଷା ଚାଲିଛି । ତେବେ ଓମିକ୍ରନ ଠାରୁ ଅଧିକ ଘାତକ ସାବ୍ୟସ୍ତ ହେଉଛି କରୋନା ପରର ଜଟିଳତା । କୋଭିଡ ପରବର୍ତ୍ତୀ ଜଟିଳତାକୁ ପୋଷ୍ଟ କୋଭିଡ ବା ଲଙ୍ଗ କୋଭିଡ କମ୍ପ୍ଲେକ୍ସିଟି ବୋଲି କୁହାଯାଉଛି ।ଏହା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । କୋଭିଡ ପରେ କିଛି ମାତ୍ରାରେ ଦୁର୍ବଳତା, କାଶ ଲାଗି ରହିବା, ମାନସିକ ଚାପ ରହିବା ଆଦି ଲକ୍ଷଣ ଦେଖାଦେଉଛି । ତା ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି । ନୂଆ ନୂଆ ତଥ୍ୟ ଆସୁଛି । କୋଭିଡ ପରେ ଏସବୁ ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ଲକ୍ଷଣ ଅନୁସାରେ ଚିକିତ୍ସା କରନ୍ତୁ । ତେବେ ଏଥିପାଇଁ କିଛି ନିର୍ଦିଷ୍ଟ ଟ୍ରିଟମେଣ୍ଟ ନାହିଁ । ତେଣୁ କରୋନା ପରର ଜଟିଳତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଏହାସହ ଓମିକ୍ରନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ତକତା ଅବଲମ୍ବନ କରାଯାଉଛି । ନିୟମିତ ଭାବେ ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ତର୍ଜମା କରାଯାଉଛି । କେତେ ଲୋକ ରାଜ୍ୟକୁ ଆସୁଛନ୍ତି, ଜିଲ୍ଲାମାନଙ୍କୁ ଜଣାଯାଉଛି । ଜିଲ୍ଲାମାନଙ୍କୁ ନିର୍ଦେଶ ରହିଛି, ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବାକୁ । ଅଷ୍ଟମ ଦିନରେ ସେମାନଙ୍କର ଟେଷ୍ଟିଂ କରାଯିବ, ପଜିଟିଭ ବାହାରିଲେ, ଜିନମ ସିକ୍ୱେନ୍ସିଂ ମଧ୍ୟ କରାଯିବ । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ଆମ ରାଜ୍ୟରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଅନ୍ୟ ରାଜ୍ୟରେ ଓମିକ୍ରନ ଥିବା ଜଣାପଡିଛି, ଆମକୁ ସତର୍କ ରହିବାକୁ ପଡ଼ିବ ।

ଯେଉଁମାନେ ଅନ୍ୟ ରାଷ୍ଟ୍ରରୁ ଆସୁଛନ୍ତି ଓ ଗାଁ ଗଣ୍ଡାରେ ପହଞ୍ଚିଛନ୍ତି, ସେଠାକାର ସ୍ଥାନୀୟ ଲୋକମାନେ ସେମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାନ୍ତୁ । ସେମାନଙ୍କ ନିବେଦନ ରହିବ, ସଂଗରୋଧରେ ରୁହନ୍ତୁ ।ଅତିକମରେ ୭ ଦିନ ସଂଗରୋଧ ଓ ଆଉ ୭ ଦିନ ନିଜସ୍ୱ ଅବଜରଭେସନରେ ରୁହନ୍ତୁ । ଏହି ୧୪ ଦିନ ଭିତରେ କିଛି ଲକ୍ଷଣ ଦେଖାଗଲେ, ଟେଷ୍ଟ କରାନ୍ତୁ ।ଟେଷ୍ଟ ପଜିଟିଭ ଆସିଲେ, ଜିନାମ ସିକ୍ୱେନ୍ସିଂ କଲେ, ଜଣା ପଡ଼ିବ, ଓମିକ୍ରନ ଅଛି ନା ନାହିଁ । ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି ଏହା ସତ୍ୟ ଯେ ଓମିକ୍ରନର ସଂକ୍ରମଣ ହାର ଅଧିକ । ନଭେମ୍ବର ୨୪ ପରଠାରୁ ଅଳ୍ପ ଦିନ ଭିତରେ ଏହା ୩୬ ରାଷ୍ଟ୍ରକୁ ବ୍ୟାପିଗଲାଣି ।କିନ୍ତୁ ଯେଉଁ ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ଅଧିକ ଅଛି, ତାହା ରୋଗ ଅଧିକ କରୁଥିବା, ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହୁଛି, ମୃତ୍ୟୁ ବା ଗୁରୁତର ହାର ବହୁତ କମ । ଟୀକା କାମ କରୁଛି ନା ନାହିଁ, ସେନେଇ ବି ତଥ୍ୟ ନାହିଁ । କିନ୍ତୁ ଟୀକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରନ ଉପରେ ଟୀକା କାମ କରୁଛି ।ତେଣୁ ଆତଙ୍କିତ ନ ହୋଇ ଟୀକାକରଣ ଜାରି ରଖିବା ଓ କୋଭିଡ ଅନୁରୂପ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।