କାହିକି ବିଳମ୍ବ ହେଉଛି ପ୍ରାର୍ଥୀଙ୍କ ନାଁ ଘୋଷଣା? ଦଳ ଡିଆଁକୁ ଅପେକ୍ଷା କରିଛନ୍ତି ତିନି ଦଳ?

267

କନକ ବ୍ୟୁରୋ : ଆଶାୟୀ ପ୍ରାର୍ଥୀ ଟିକେଟକୁ ଚାହିଁ ରହିଥିବାବେଳେ, ରାଜନୈତିକ ଦଳ ମାନେ ତାଲିକା ପ୍ରକାଶ କରିବାର ସମୟକୁ ଗଡାଇ ଗଡାଇ ଚାଲିଛନ୍ତି । ଆଜି ଆସିବ, କାଲି ଆସିବ, ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଆସିବ କହି ଗଣମାଧ୍ୟମରେ ହଟଚମଟ ସୃଷ୍ଟି କରୁଛନ୍ତି । କିନ୍ତୁ ତାରିଖ ଘୋଷଣାର ୧୫ଦିନ ପରେ ବି ତାଲିକା ନଆସିବା ଚର୍ଚ୍ଚାର ବିଷୟ ହୋଇଛି । କାରଣ ମେଂଟକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା । ହେଲେ, ଏବେ ସେ ଦ୍ୱନ୍ଦ୍ୱ ହଟି ଯାଇଛି । ତେଣୁ ରାଜନୈତିକ ଦଳମାନେ କାହିଁକି ପ୍ରାର୍ଥୀଙ୍କ ନାଁ ଘୋଷଣା କରୁନାହାନ୍ତି ସେ ନେଇ ଭିନ୍ନ ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ । ସମୀକ୍ଷକଙ୍କ ମତରେ

କାହିଁକି ବିଳମ୍ବ ହେଉଛି ପ୍ରାର୍ଥୀ ତାଲିକା?
– ‘ଗୋଟିଏ ଦଳ ଆଉ ଗୋଟିଏ ଦଳର ତାଲିକାକୁ ଅପେକ୍ଷା କରିଛି’
– ‘ଦଳ ଡିଆଁ ନେତାଙ୍କୁ ଥଇଥାନ ଚିନ୍ତା’
– ‘ସଂଗଠନ ଅପେକ୍ଷା, ସମୀକରଣକୁ ଗୁରୁତ୍ୱ’

ବଡ କଥା ହେଉଛି ବିଜେଡି, ବିଜେପି ନେତାଙ୍କର ଦୃଢ଼ ସଂଗଠନ ରହିଛି । ତଥାପି ଉଭୟ ଦଳ ସବୁ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରି ନାହାନ୍ତି । ବିଜେଡି ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ, ବିଜେପି ୧୮ଟି ଲୋକସଭା ଆସନ ପାଇଁ ତାଲିକା ପ୍ରକାଶ କରିଛି । କିନ୍ତୁ ବିଜେଡି ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବି ବିଜେପି ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ସେହିପରି କଂଗ୍ରେସ ଜଣେ ହେଲ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ । ଯାହା ଫଳରେ ନେତା ମଇଦାନକୁ ଓହ୍ଲାଇ ପାରୁନାହାନ୍ତି । ତେବେ ପ୍ରାର୍ଥୀ ଘୋଷଣାରେ ସେଭଳି ବିଳମ୍ବ ହୋଇନଥିବା କହିଛନ୍ତି ନେତା ।

ପ୍ରାର୍ଥୀ ଘୋଷଣା ଯେତିକି ଯେତିକି ବିଳମ୍ବ ହେଉଛି, ନେତାଙ୍କ ଛାତିରେ ସେତିକି ସେତିକି ଛନକା ପଶିବାରେ ଲାଗିଛି । ଆଉ ଟିକେଟ ନେଇ ଲୋକଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି ।