କନକ ବ୍ୟୁରୋ : ମାର ସ...ଙ୍କୁ, ପିଟ ସ...ଙ୍କୁ । କୌଣସି ହାର୍ଡକୋର ଅପରାଧୀଙ୍କୁ ନୁହେଁ ବରଂ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଏ ହେଉଛି ପୋଲିସର ବ୍ୟବହାର । ଦାଦାଗିରି ଦେଖାଉଛନ୍ତି ଖାକି ପିନ୍ଧା ବାବୁ । ଦିନକୁ ଦିନ ସାଧାରଣ ଲୋକଙ୍କ ପୋଲିସର ଜୁଲୁମ ବଢି ବଢି ଚାଲିଥିବା ବେଳେ ଏବେ ପୋଲିସର ଟାର୍ଗେଟରେ ରହିଛନ୍ତି ସାମ୍ବାଦିକ । ଗତ ଗୋଟିଏ ସପ୍ତାହ ମଧ୍ୟରେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଲାଣି । ଗତକାଲି କେନ୍ଦ୍ରାପଡା ଏସପି ନୀତି ଶେଖର ନ୍ୟୁଜ ୧୮ ଓଡ଼ିଆର ପ୍ରତିନିଧିଙ୍କୁ ମାଡ ମାରିବାକୁ ହାତ ଉଠାଇବା ଓ ଦୁର୍ବ୍ୟବହାର କରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ଏହାପରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
କେବଳ ଦିନ ଦ୍ୱିପ୍ରହରରେ ନୁହେଁ ବରଂ ରାତି ବଢିବା ସହ ପୋଲିସ ବାବୁଙ୍କ ଦାଦାଗିରି ମଧ୍ୟ ବଢିଚାଲିଛି । ଗତ ୧୪ ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ପଟ୍ଟନାୟକିଆ ଛକରେ । ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର ଭଳି ସମ୍ବେଦନଶୀଳ ଘଟଣାରେ ଖବର ସଂଗ୍ରହ କରିବାକୁ ଯାଇଥିବା କନକ ନ୍ୟୁଜର ପ୍ରତିନିଧି ଅରୁଣ ରାଉତ, ପରେଶ ନାୟକ ଓ ଅଜୟ ଜେନାଙ୍କୁ ମଧ୍ୟ ପୋଲିସ ଜୁଲୁମର ଶିକାର ହେବାକୁ ପଡିଥିଲା ।
ଏ ଘଟଣା ସର୍ମ୍ପକରେ ପୁରୀ ଏସପି, ଏସଡିପିଓ ଏବଂ ସ୍ଥାନୀୟ ଆଇଆଇସିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଇନଥିଲେ । ଆଉ ଏହାର ତିନି ଦିନ ପରେ କେନ୍ଦ୍ରାପଡାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏସପିଙ୍କ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଛି । କିନ୍ତୁ ପ୍ରଶ୍ନ ଉଠୁଛି, ସାମ୍ବାଦିକଙ୍କ ପ୍ରତି ପୋଲିସର ଏଭଳି ଦବଙ୍ଗ ଆଚରଣ କାହିଁକି? ଆଇନର ରକ୍ଷକ ଆଇନର ଭକ୍ଷକ ହୋଇପାରୁଛନ୍ତି କିପରି? ସାମ୍ବାଦିକଙ୍କୁ ଧକ୍କା ମାରିବା, ଖରାପ ବ୍ୟବହାର କରିବାକୁ ଏମାନଙ୍କୁ ସାହସ ଦେଉଛି କିଏ? ଖାକି ବର୍ଦ୍ଦି ପିନ୍ଧିବା ପରେ କଣ ଏମାନେ ଆଇନ କାନୁନ ଭୁଲିଯାଆନ୍ତି ।
ପୁଲିସ ଯେମିତି ତା କାମ କରୁଛି ସାମ୍ବାଦିକ ମଧ୍ୟ ସେମିତି ନିଜ କାମ କରୁଛନ୍ତି । ସୁରକ୍ଷାଦେବା ଯେମିତି ପୁଲିସର କାମ, ଖବର ଦେବା ସାମ୍ବାଦିକର ଦାୟିତ୍ୱ । କୌଣସି ସାମ୍ବାଦିକ ପୁଲିସ୍ ଉପରେ ହାତ ଉଠାଇବାର ସେମିତି ନଜିର ନାହିଁ । ତାହେଲେ ସାମ୍ବାଦିକଙ୍କ ଉପରେ ହାତ ଉଠାଇବା ଓ ଧକ୍କା ମାରି ପୋଲିସ ବାବୁ କି ପ୍ରକାର ଉଦହାରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି? ଯେତେବେଳେ ସାମ୍ବାଦିକ ମାନେ ନିଜ ନିଜ ପରିଧିରେ ରହି କାମ କରୁଛନ୍ତି । ସେତେବେଳେ ପୋଲିସଙ୍କୁ କାହିଁକି ନିଜ ପରିଧି ଉଲଂଘନ କରିବାକୁ ପଡୁଛି? ପ୍ରଶ୍ନ ଉଠୁଛି ସର୍ବସାଧାରଣରେ ସାମ୍ବାଦିକଙ୍କ ପ୍ରତି ପୋଲିସର ଏଭଳି ବ୍ୟବହାର କେତେ ଗ୍ରହଣୀୟ?
Follow Us