ସୁଧାଂଶୁଙ୍କ ବଦଳରେ ସୌମେନ୍ଦ୍ର ହେଲେ ନୂଆ ପୋଲିସ କମିଶନର । ପ୍ରଶ୍ନ ଉଠିଲା, କାହିଁକି ବଦଳିଲେ ଟ୍ୱିନ-ସିଟି ପୋଲିସ କମିଶନର?

3,106

କନକ ବ୍ୟୁରୋ: ପୁଲିସ୍ କମିଶନର ଦାୟିତ୍ୱରୁ ଯାଇଛନ୍ତି ସୁଧାଂଶୁ ଷଡଙ୍ଗୀ । ଆଉ ନୂଆ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦେଲେ ସରକାର । ହଠାତ୍ କମିଶନରେଟ୍ ପୋଲିସର ସର୍ବୋର୍ଚ୍ଚ ସ୍ତରରେ ବଦଳି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକି ନା, ନିକଟରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ସୁଧାଂଶୁ ଷଡଙ୍ଗୀ । ଗୋଟିଏ ଥିଲା ୧୯୯୯ ମସିିହା ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ପରେ ବିବନ ବିଶ୍ୱାଳକୁ ଗିରଫ କରିବାର ସଫଳତା ଏବଂ ଆଉ ଗୋଟିଏ ଥିଲା ଶନିବାର ଦିନ ସିଆରପି ଛକରେ, ଦିନ ଦ୍ୱିପ୍ରହରରେ ଗାଡି ଭିତରେ ହତ୍ୟାକାଣ୍ଡ ଓ ପୁଲିସ ଗାଡି ଭିତରୁ ଟାଣି ଆଣି ଅଭିଯୁକ୍ତଙ୍କୁ ମାଡ ।

ଗୋଟିଏ ଥିଲା ସଫଳତାର ନିଦର୍ଶନ ଆଉ ଗୋଟିଏ ବଡ ବିଫଳତା । ବିବନ ବିଶ୍ୱାଳକୁ ଧରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସୁଧାଂଶୁ କହିଥିଲେ, ଯାହା ସିବିଆଇ କରିପାରିଲାନାହିଁ ତାହା କମିଶନରେଟ୍ ପୋଲିସ୍ ସହଜରେ କରି ଦେଖାଇଦେଲା । ଏହାକୁ ନେଇ ବିଜେପି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲା ।

ଏହି ବୟାନକୁ ନେଇ ବିବାଦ ହୋଇଥିଲେ ମଧ୍ୟ ଏହା ପୂର୍ବରୁ କଟାମୁଣ୍ଡକୁ ନେଇ କମିଶନରେଟ ପୋଲିସକୁ ବଡ ସଫଳତା ମିଳିଥିଲା । ଏହାଛଡା କଟକ ଆଇଆଇଏଫଏଲ୍ ସୁନା ଲୁଟ୍ ଘଟଣାରେ ମଧ୍ୟ ଅପରାଧୀ ଧରିବାରେ ସଫଳ ହୋଇଥିଲା ପୋଲିସ୍ । ଏଥିସହ କରୋନା ସମୟରେ ଲକ୍ଡାଉନ୍ ଭଳି କାମକୁ ଭଲଭାବେ ତୁଲାଇଥିଲେ ସୁଧାଂଶୁ । କିନ୍ତୁ ଏସବୁ ସଫଳତା ଭିତରେ ରାସ୍ତା ଉପରେ ସୁନା ଚେନ୍ ଓ ମୋବାଇଲ୍ ଚୋରି ଭଳି ଘଟଣା ବି କଟକ, ଭୁବନେଶ୍ୱରରେ ବଢି ଚାଲିଥିଲା । ସଫଳତା ଓ ବିଫଳତା ଭିତରେ କାହାର ଓଜନ କେତେବେଳେ ବେଶୀ ହୋଇଯିବ ତାହା କହିବା ମୁସ୍କିଲ । ଠିକ୍ ସେହିଭଳି ସୁଧାଂଶୁଙ୍କ ବଦଳି ପଛର କାରଣ କଣ ତାହା କେବଳ ସରକାରଙ୍କୁ ଜଣା ।

ଏବେ ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ବିଭାଗର କାମ ହେଉଛି ପୁଲିସ୍ କର୍ମଚାରୀଙ୍କ ପାଇଁ ଘର, ଥାନା ଆଦି ବିଭିନ୍ନ ନିର୍ମାଣ କାମର ତଦାରଖ କରିବା । ପୁଲିସ୍ କମିଶନର ଭଳି ଏକ ହାଇ ପ୍ରୋଫାଇଲ୍ ଦାୟିତ୍ୱରୁ ହଠାତ୍ ଏହି ବିଭାଗକୁ ବଦଳି ନେଇ ସୁଧାଂଶୁ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ପରେ ଜଣାପଡିବ ।