କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଏକ ଚିଠି ପ୍ରସ୍ତୁତ କରିବାରେ ଲାଗିଛି ଉତ୍ତର ପ୍ରଦେଶ ରାଜ୍ୟ ସରକାର । କୁହାଯାଉଛି କି ଏହି ନିମନ୍ତ୍ରଣ ପତ୍ର ସାରା ଦେଶରେ ଥିବା ସନ୍ଥମାନଙ୍କ ନିକଟକୁ ପଠାଯିବ ଓ ସେମାନଙ୍କୁ ଗୋଟିଏ ସ୍ଥାନକୁ ନିମନ୍ତ୍ରଣ କରାଯିବ ।
ସୂଚନା ମୁତାବକ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ ‘କାଶୀ ବିଶ୍ୱନାଥ ଧାମ’ ର ଲୋକାର୍ପଣ ପାଇଁ ସାରା ଦେଶର ସନ୍ଥମାନଙ୍କୁ ଚିଠି ଲେଖି ନିମନ୍ତ୍ରଣ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ୨୫ ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ କାଶୀରେ ହୋଇଥିବା ପରିବର୍ତ୍ତନ ବାବଦରେ ଦେଖାଯିବାର ଏକ ଯୋଜନା ବି କରାଯାଇଛି ।
ଚିଠି ମାଧ୍ୟମରେ ସନ୍ଥ ମାନଙ୍କୁ କୁହାଯିବ ଯେ କିଭଳି ଏକ ସଂକୀର୍ଣ୍ଣ ଗଳିରୁ ବାହାର କରାଯାଇ ବାବା ବିଶ୍ୱନାଥଙ୍କ ଏକ ଭବ୍ୟ ଧାମ ପ୍ରସ୍ତୁତ କରାଯାଇଛି । ଏହାସହ ଏହି ଧାମ ନିର୍ମାଣ ନେଇ ସମ୍ପୂର୍ଣ୍ଣ ତଥ୍ୟ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ ତାରିଖରେ ଶ୍ରୀ କାଶୀ ବିଶ୍ୱନାଥ ଧାମକୁ ଲୋକାର୍ପଣ କରିବେ । ଏହି କ୍ରମରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦୦ରୁ ଅଧିକ ମେୟର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ସନ୍ଥ, ଆଖଡାର ମହନ୍ତ,ମହାମଣ୍ଡଳେଶ୍ୱର,ମନ୍ଦିର ଓ ମଠର ପ୍ରମୁଖଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିବାକୁ ଏକ ସୂଚୀ ପ୍ରସ୍ତୁତ କରୁଛି । ସାରା ଦେଶରେ ଥିବା ସନ୍ଥମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ପ୍ରୟାସ ରହିଛି ।
ସନ୍ଥଙ୍କୁ ନିମନ୍ତ୍ରଣ ଦେବା ସହ ସେମାନଙ୍କୁ ଅନୁରୋଧ କରାଯିବ କି, ସେମାନେ ତାଙ୍କର ଭକ୍ତଙ୍କୁ ସାଂଗରେ ଧରି ଆସନ୍ତୁ । ଏହାଦ୍ୱାରା ସେମାନଙ୍କର କାଶୀ ଆସିବାର ସ୍ୱପ୍ନ ପୂରଣ ହେବା ସହ ଏଠିକାର ଇତିହାସ ବାବଦରେ ଜାଣିବାର ସୁଯୋଗ ପାଇବେ ।