ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ନାରା । ରାମମନ୍ଦିର ଭୂମିପୂଜନ ଉତ୍ସବରେ କାହିଁକି ଜୟ ଶ୍ରୀରାମ ବଦଳରେ ଜୟ ସିଆ ରାମ କହିଲେ ମୋଦି ?

853

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶ୍ରୀ ରାମ ବଦଳରେ ଜୟ ସିଆ ରାମ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏଭଳି ନାରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ନାରା । ଜୟ ଶ୍ରୀରାମ ନୁହେଁ, ଜୟ ସିଆ ରାମ ! କାହିଁକି ଜୟ ଶ୍ରୀରାମ ବଦଳରେ ଜୟ ସିଆ ରାମ କହିଲେ ପ୍ରଧାନମନ୍ତ୍ରୀ ? ଜୟ ସିୟା ରାମ ନାରା ଦେଇ ମୋଦି କେଉଁ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ? ଚିରାଚରିତ ନାରାଠାରୁ ଯେତେବେଳେ ଟିକେ ଭିନ୍ନ ଢ଼ଙ୍ଗରେ ନାରା ଆସିଛି, ତାକୁ ନେଇ ସ୍ୱାଭାବିକ ଭାବେ ଚର୍ଚ୍ଚା ବଢ଼ିବ, ଆଉ ବଢ଼ିଛି ।

ଯେବେଠୁ ରାମ ମନ୍ଦିର ଏକ ଆନ୍ଦୋଳନର ରୂପ ନେଲା ଏବଂ ରାମଜନ୍ମଭୂମିର ମୁକ୍ତି ପାଇଁ ଗେରୁଆ ବାନା ଧରି ଶହ ଶହ ଲୋକ, ହଜାର ହଜାର ଲୋକ ଏକତ୍ରିତ ହେଉଥିଲେ, ସେତେବେଳେ ନାରା ଦିଆଯାଉଥିଲା-ଜୟ ଶ୍ରୀରାମ । ଅର୍ଥାତ୍ ଜୟ ଶ୍ରୀରାମ ନାରା ଦେଇ, ଏକ ଲଢ଼େଇ ପାଇଁ ଆହ୍ୱାନ ଦିଆଯାଉଥିଲା । ଅନ୍ୟ ଅର୍ଥରେ କହିଲେ, ଲଢ଼େଇ କରୁଥିବା ଲୋକଙ୍କ ଭିତରେ ଉର୍ଜ୍ଜା ଆଣିବା ପାଇଁ ଜୟ ଶ୍ରୀରାମ ନାରାକୁ ବ୍ୟବହାର କରାଯାଉଥିଲା ବୋଲି ଅନେକ ବିଶ୍ୱାସ କରନ୍ତି ।

ହୁଏତ ପ୍ରଧାନମନ୍ତ୍ରୀ ଏଭଳି ଏକ ବାର୍ତ୍ତା ଦେବାକୁ ଚାହୁଁନଥିଲେ ଯାହା, ଲଢ଼େଇକୁ ଇଙ୍ଗିତ କରୁଥିବ କିମ୍ବା ଭିନ୍ନମତ ରଖୁଥିବା ଲୋକଙ୍କୁ ଅସନ୍ତୁଷ୍ଟ କରିବ । ସେଇଥିପାଇଁ ପ୍ରଧାନମନ୍ତ୍ରୀ କହିଲେ, ରାମ ସମସ୍ତଙ୍କର ଏବଂ ସମସ୍ତଙ୍କ ଭିତରେ ରାମ ଅଛନ୍ତି । ଆଉ ମୋଦି ଦେଇଥିଲେ ଜୟ ସିଆ ରାମ ନାରା ।

ପ୍ରଭୁ ରାମଙ୍କୁ ସ୍ମରଣ କରିବା ସହ ମାତା ଜାନକୀଙ୍କୁ ମନେ ପକାଇଥିଲେ ମୋଦି । ଆଉ ନାରା ଦେଇଥିଲେ ଜୟ ସିଆ ରାମ । ଜୟ ସିଆ ରାମ, ପ୍ରେମ ଓ ସମର୍ପଣ, ଶ୍ରଦ୍ଧା ଓ ସାଧନାର ପ୍ରତୀକ ଭାବେ ବିଚାର କରାଯାଏ । କାରଣ ମାତା ସୀତା ହେଉଛନ୍ତି, ଦେବୀ ଲକ୍ଷ୍ମୀଙ୍କ ଅବତାର । ଯିଏ ଶାନ୍ତି ଓ ସମୃଦ୍ଧିର ପ୍ରତୀକ । ଅବଶ୍ୟ ସନାତନ ଧର୍ମରେ ବିଶ୍ୱାସ କରୁଥିବା ଏବଂ ରାମଙ୍କୁ ଆରାଧନା କରୁଥିବା ଅନେକ କୁହନ୍ତି, ଜୟ ଶ୍ରୀରାମ ଏବଂ ଜୟ ସିଆରାମ ଭିତରେ ବିଶେଷ ତଫାଦ୍ ନାହିଁ । କାରଣ, ଉଭୟ ନାରା, ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରିବା ପାଇଁ ଉଚ୍ଚାରଣ କରାଯାଏ ।