ଜାଣନ୍ତୁ ୪୫ଟଙ୍କାର ପେଟ୍ରୋଲ ପାଇଁ କାହିଁକି ଆପଣ ଗଣୁଛନ୍ତି ୧୦୬ଟଙ୍କା ।

466

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ କିଣିଲେ ପୋଡୁଛି ପକେଟ୍ । ଦେଶର ତେଲ ଚାହିଦା ପାଇଁ ମୁଖ୍ୟତଃ ବିଦେଶୀ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଥିବାରୁ କିଛିଦିନ ହେଲା ନିୟମିତ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ବିଶ୍ୱ ବଜାରରେ ଅଶୋଧିତ ତୈଳମୂଲ୍ୟ ବୃଦ୍ଧିର ସିଧାସିଧା ପ୍ରଭାବ ଭାରତୀୟ ଖୁଚୁରା ବଜାର ଉପରେ ପଡୁଛି । ଯଦିଓ କ୍ରମାଗତ ୪ ଦିନ ବଢିବା ପରେ ଆଜି ତେଲଦର ସ୍ଥିର ରହିଛି, ତଥାପି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କା ୭୭ ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା ୧୦୩ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି ।

ତେବେ ତୈଳର ମୂଳ ଦର ଅପେକ୍ଷା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଅଧିକ ରହୁଥିବାରୁ ବଢୁଛି ତେଲଦର । ନଜର ପକାନ୍ତୁ ପେଟ୍ରୋଲ ଓ ଡିଜେଲ ଉପରେ କେତେ ରହିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଏବଂ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟିରେ ସଂଶୋଧନ କରିବା ପରେ କିଭଳି ତେଲ ଦରକୁ ମହଙ୍ଗା କରୁଛି ।

ଭୁବନେଶ୍ୱରରେ ପେଟ୍ରୋଲ ଦର
ପ୍ରକୃତ ମୂଲ୍ୟ – ୪୫.୪୪ ଟଙ୍କା
କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି – ୩୨.୯୦ ଟଙ୍କା
୩୨% ହିସାବରେ ରାଜ୍ୟ ସରକାରଙ୍କ ଭାଟ୍ – ୨୫.୦୪ ଟଙ୍କା
ଡିଲର କମିଶନ – ୩.୩୯ ଟଙ୍କା
ଲିଟର ପିଛା ଗ୍ରାହକ ଗଣୁଛି – ୧୦୬ ଟଙ୍କା ୭୭ ପଇସା

ଭୁବନେଶ୍ୱରରେ ଡିଜେଲ ଦର
ପ୍ରକୃତ ମୂଲ୍ୟ – ୪୭.୧୭ ଟଙ୍କା
କେନ୍ଦ୍ରୀୟ ଏକସାଇଜ୍ ଡ୍ୟୁଟି – ୩୧.୮୦ ଟଙ୍କା
୨୮% ହିସାବରେ ରାଜ୍ୟର ଭାଟ – ୨୨.୦୭ ଟଙ୍କା
ଡିଲର କମିଶନ ୨.୧୩ ଟଙ୍କା
ଏହିପରି ଲିଟର ପିଛା ଗ୍ରାହକ ଗଣୁଛି ମୋଟ୍ ୧୦୩ ଟଙ୍କା ୧୭ ପଇସା

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ୟୁନିଟ ୨ ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟର ଚିରିଦେଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରି ବିକ୍ଷୋଭ କରିଛନ୍ତି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଲି କରିଛି ଛାତ୍ର କଂଗ୍ରେସ ।