କନକ ବ୍ୟୁରୋ : ରାଜ୍ୟର ୩୧୩ ବ୍ଲକକୁ ଶନିବାର ନୂଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ମିଳିଛି । କିନ୍ତୁ ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ଶନିବାର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହୋଇପାରି ନାହିଁ । ଭୋଟ ଦାନ ପୂର୍ବରୁ କିଛି ସମିତି ସଭ୍ୟ କୋଭିଡ ପଜିଟିଭ ଚିହ୍ନଟ ହେବାରୁ ଭୋଟଗ୍ରହଣକୁ ସ୍ଥଗିତ ରଖାଯାଇଛି । ତେବେ ନିର୍ବାଚନକୁ ସ୍ଥଗିତ ରଖିବା ପଛରେ ଭିନ୍ନ କାରଣ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Advertisment

ବ୍ଲକ ଚେୟାରମ୍ୟାନ ନିର୍ବାଚନ ହୋଇନପାରିବା ନେଇ ଛତ୍ରପୁରରେ ରାଜନୈତିକ ବିବାଦ ବଢ଼ିଛି । ବ୍ଳକ ଚେୟାରମ୍ୟାନ ନିର୍ବାଚନ ପାଇଁ ପ୍ରଥମେ ଗୋଟିଏ ଗୋଷ୍ଠୀର ୧୨ ସଭ୍ୟ ଓ ପରେ ୬ ସମିତି ସଭ୍ୟ ଆସିଥିଲେ । ହେଲେ ହଠାତ୍ ଏହି ୬ ଜଣ କହିଥିଲେ ଯେ, ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି । ଆଉ ଏହା ପରେ ସେମାନଙ୍କୁ କୋଭିଡ ପରୀକ୍ଷା ପାଇଁ ପଠାଗଲା ଓ ରିପୋର୍ଟ ପଜିଟିଭ୍ ଆସିଲା । ଫଳରେ ନିର୍ବାଚନ ସ୍ଥଗିତ ହୋଇଗଲା । ହେଲେ ଅଭିଯୋଗ ହୋଇଛି ଯେ, କୋଭିଡକୁ ଆଳ କରି ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ହେଲେ ନିର୍ବାଚନ ସ୍ଥଗିତ ହେବା ପଛରେ ଅନ୍ୟ ଏକ କାରଣ ରହିଥିବା ନେଇ ଚର୍ଚ୍ଚା ହେଉଛି । ଏଠାରେ ଅସନ୍ତୁଷ୍ଟ ବିଜେଡିର ୯ ସମିତି ସଭ୍ୟ ଥିବା ବେଳେ ବିଧାୟକଙ୍କ ସମର୍ଥକ ୬ ଜଣ ସମିତି ସଭ୍ୟ ଅଛନ୍ତି । ବାମ ଦଳର ୩ ଜଣ ଅଛନ୍ତି । ହେଲେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ବାମ ଦଳ ସହ ହାତ ମିଳାଇଛି । ଫଳରେ ବ୍ଲକ ଚେୟାରମ୍ୟାନ ପଦବୀ ଏହି ଗୋଷ୍ଠୀ ହାତେଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । ତେଣୁ କୋଭିଡ ବାହାନା କରି ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଅଭିଯୋଗ ହୋଇଛି । ହେଲେ ଏହାକୁ ନିଜେ ବିଧାୟକ ଓ ତାଙ୍କ ସମର୍ଥକ ଖଣ୍ଡନ କରିଛନ୍ତି ।

ପ୍ରକୃତରେ ୬ ଜଣଙ୍କ କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା, ନା ହାରିଯିବା ଭୟରେ ଏପରି ଏକ ଡ୍ରାମା କରାଯାଇଥିଲା, ତା’ଉପରୁ ପରଦା ହଟିବା ଦରକାର ।