ନୂଆ ମିଶୁଛନ୍ତି, ପୁରୁଣା ଛାଡୁଛନ୍ତି । ୩୬ରୁ ୩୦୦ ଆସନରେ ପହଞ୍ଚାଇଥିବା ପୁରୁଖା ନେତାଙ୍କୁ ଅଣଦେଖା କଲା ଭାଜପା

469

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମହାଲଢେଇ ପାଇଁ ମୈଦାନ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଯୋଦ୍ଧା ମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରି ସାରିଲେଣି । ଅପେକ୍ଷା କେବଳ ଯୁଦ୍ଧ ପାଇଁ । ଏଭଳି ସ୍ଥିତିରେ ବିଜେପି ଏବେ ଅନ୍ୟ ଦଳରୁ ନେତା ପୋଚିଂ କରି ମିଶନ ୧୨୦କୁ ବଳ ଦେଉଛି । ବିଜେଡିର ୧୯ ବର୍ଷର ଦୁର୍ଗକୁ ଭେଦ କରି ବିଜେପି ସିଂହାସନ ଆରୋହଣ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଖାସକରି ଚଳିତ ସାଧାରଣ ନିର୍ବାଚନରେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଦୋହରାଇବାକୁ ଲକ୍ଷ୍ୟ ରଖିଛି ଦଳ । ଏପରିକି ପଞ୍ଚାୟତ ନିର୍ବାଚନ ଷ୍ଟ୍ରାଟେଜିରେ ଦଳ ସାଧାରଣ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ବିଜେପି ପଞ୍ଚାୟତ ନିର୍ବାଚନ ଫର୍ମୁଲାରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ପାଗ ଭିଡୁଛି । ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଦଳ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ସ୍ୱପ୍ନ ଦେଖୁଛି । କିନ୍ତୁ ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଦଳକୁ ବଡ ବିଜୟ ଭେଟି ଦେଇଥିବା ହେଭିୱେଟ ନେତା ଏବେ ବିଜେପିରେ ଏକଛତ୍ରବାଦୀ ଶାସନ ଚାଲୁଥିବା ଦର୍ଶାଇ ଜଣକ ପରେ ଜଣେ ଦଳ ପଦ୍ମ ଶିବିର ଛାଡି ବିଜେଡି କ୍ୟାମ୍ପରେ ଏଣ୍ଟ୍ରି ମାରୁଛନ୍ତି । ଯାହା ବିଜେପି ପାଇଁ ଏବେ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

ଗତ ଏକ ସପ୍ତାହ ମଧ୍ୟରେ ବିଜେପିର ପଞ୍ଚାୟତ ନିର୍ବାଚନ ବିଜୟ ପଛର ଦୁଇ ହିରୋ ଦଳରୁ ଇସ୍ତଫା ଦେଇଥିବା ବେଳେ ଆଗକୁ ମଧ୍ୟ ଏହି ତାଲିକା ଲମ୍ବିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ତାଲିକାରେ ପ୍ରଥମେ ମୟୂରଭଞ୍ଜର ରାଜକିଶୋର ଦାଶଙ୍କ ନାଁ ଯୋଡି ହୋଇଥିଲା । ବିଜେପି ସହ ଦୀର୍ଘ ୪୦ ବର୍ଷର ସର୍ମ୍ପକ ଛିନ୍ନ କରି ଦଳକୁ ବାଏ ବାଏ କରିଥିଲେ ରାଜକିଶୋର । ଆଉ ନିଜ ଇସ୍ତଫା ପଛର କାରଣ ଦର୍ଶାଇବାକୁ ଯାଇ ଧର୍ମେନ୍ଦ୍ରଙ୍କୁ ମାରିଥିଲେ ତେରଛା ବାଣ । ତେବେ ରାଜକିଶୋରଙ୍କ ଇସ୍ତଫା ବିଜେପି ପାଇଁ ମୟୂରଭଞ୍ଜରେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜରେ ବିଜେପି ଏକପ୍ରକାର କ୍ଲିନ୍ ସୁଇପ କରିଥିବା ବେଳେ ଏହା ପଛର ମୁଖ୍ୟ ନାୟକ ଥିଲେ ରାଜକିଶୋର ।

ଦୃଢ ସଙ୍ଗଠକ ଭାବେ ଜଣାଶୁଣା ରାଜକିଶୋରଙ୍କ ରାଜନୈତିକ ଗୋଟିଚାଳନା ବଳରେ ମୟୁରଭଞ୍ଜରେ ବିଜେପି ୫୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪୮ଟି ଆସନରେ ବିଜୟ ବାନା ଉଡାଇବାକୁ ସକ୍ଷମ ହୋଇଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ପରେ ଦଳର ଏକ କୁଚକ୍ରୀ ଗୋଷ୍ଠୀର ଶିକାର ହୋଇଥିଲେ ରାଜକିଶୋର । ତେବେ ବାରମ୍ବାର ଦଳୀୟ ଅଣଦେଖା ଅଭିଯୋଗ ଆଣିବା ସହ ବିଜେପିରୁ ଇସ୍ତଫା ଦେଇ ଏବେ ବିଜେଡି କ୍ୟାମ୍ପରେ ରାଜକିଶୋର । ତେବେ ରାଜକିଶୋରଙ୍କ ଇସ୍ତଫା ମୟୂରଭଞ୍ଜରେ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଛି । ରାଜକିଶୋରଙ୍କ ଇସ୍ତଫା କେବଳ ମୟୂରଭଞ୍ଜରେ ଦଳ ଉପରେ ପ୍ରଭାବ ପକାଇବ ତାହା ନୁହେଁ ବରଂ କେଉଁଝର ଓ ବାଲେଶ୍ୱରରେ ମଧ୍ୟ ଦଳକୁ ବଡ କ୍ଷତି ସହିବାକୁ ପଡିବ । ରାଜକିଶୋର ପୂର୍ବରୁ କେଉଁଝରର ପ୍ରଭାରୀ ଥିବାରୁ ଏଠାରେ ମଧ୍ୟ ତାଙ୍କ ଇସ୍ତଫାର ପ୍ରଭାବ ଦେଖିବାକୁ ମିଳିପାରେ ।

ଅନ୍ୟପଟେ ପଶ୍ଚିମ ଓଡିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଦଳକୁ ଫ୍ରଣ୍ଟଫୁଟକୁ ଆଣିଥିବା ସୁବାସ ଚୌହାନ ଏହା ମଧ୍ୟରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦଳ ଛାଡିଛନ୍ତି । ଦୀର୍ଘ ବର୍ଷ ଧରି ଦଳ ପାଇଁ ସଙ୍ଗଠନ କରି ଆସିଥିବା ସୁବାସ ଦଳ ଛାଡିବା ପରେ ଏହାର ପ୍ରଭାବ ପଶ୍ଚିମ ଓଡିଶାରେ ଉଣା ଅଧିକେ ଦେଖିବାକୁ ମିଳିବ । କିନ୍ତୁ ଏହାର ସିଧାସଳଖ ପ୍ରଭାବ ବରଗଡ ଓ ସମ୍ବଲପୁରରେ ଦେଖିବାକୁ ମିଳିବ । ପଞ୍ଚାୟତ ନିର୍ବାଚନରେ ବରଗଡରେ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସୁବାସ ଚୌହାନ ଏଠାରେ ପଦ୍ମ ଫୁଟାଇ ପାରିଥିଲେ । ମୋଟ ୩୪ଟି ଆସନ ମଧ୍ୟରୁ ୨୫ଟି ଆସନରେ ଗେରୁଆ ବାନା ଉଡାଇଥିଲା ବିଜେପି । ଏପରିକି ଦଳ ସମ୍ବଲପୁରରେ ମଧ୍ୟ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା ।

ଏହାପୂର୍ବରୁ ସୁବାସ ନିଜର ସାଙ୍ଗଠନିକ ଦକ୍ଷତାର ଆଉ ଏକ ଝଲକ ୨୦୧୪ ନିର୍ବାଚନରେ ଦେଖାଇଥିଲେ । ସେତେବେଳେ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ସୁବାସ ୩ ଲକ୍ଷରୁ ଅଧିକ ଭୋଟ ପାଇଥିଲେ । ଏବଂ ୨୦୧୯ ନିର୍ବାଚନରେ ପୁଣିଥରେ ବରଗଡ ଆସନରୁ ଲଢିବାକୁ ଆଶା ବାନ୍ଧିଥିଲେ । କିନ୍ତୁ ବରଗଡରେ ସୁରେଶଙ୍କୁ ପ୍ରାର୍ଥୀ କରିବା ପରେ ଏହାକୁ ବିରୋଧ କରି ଦଳରୁ ଇସ୍ତଫା ଦେଇଥିଲେ ସୁବାସ । ଏହାସହ ପଞ୍ଚାୟତ ନିର୍ବାଚନର ଆଉ ଏକ ହିରୋ ମଧ୍ୟ ବିଜେପି ଶିବିରକୁ ବାଏ ବାଏ କରିଥିଲେ ।

କେବଳ ସୁବାସ କିମ୍ବା ରାଜକିଶୋର ନୁହଁନ୍ତି ପଞ୍ଚାୟତ ନିର୍ବାଚନର ହିରୋଙ୍କୁ ବିଜେପି ଅଣଦେଖା କରିଥିବାର ଝଲକ କଳାହାଣ୍ଡିରେ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରଦୀପ୍ତ ନାୟକଙ୍କ ସଙ୍ଗଠନ ବଳରେ କଳାହାଣ୍ଡିରେ ଦଳ ପୁଣିଥରେ ଜୀବନ୍ୟାସ ପାଇଥିଲା । କିନ୍ତୁ ଦଳ କଳାହାଣ୍ଡିରୁ ପ୍ରଦୀପ୍ତଙ୍କୁ ପ୍ରାର୍ଥୀ କରିବା ବଦଳରେ ବସନ୍ତଙ୍କୁ ମୈଦାନକୁ ଓହ୍ଳାଇଛି । ଯାହାକୁ ନେଇ ପ୍ରଦୀପ୍ତ ମଧ୍ୟ କିଛି ମାତ୍ରାରେ ଅସନ୍ତୁଷ୍ଟ ରହିଛନ୍ତି । ତେଣୁ ଏହାର ପ୍ରଭାବ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିପାରେ ।

ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ପାଥେୟ କରି ଦଳ ୨୦୧୯ ରଣଭୂମି ଓହ୍ଲାଉଥିବା ବେଳେ ଅନ୍ୟପଟେ ସେହି ପଞ୍ଚାୟତ ନିର୍ବାଚନ ବିଜୟର ହିରୋଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଯେଉଁଥିପାଇଁ ଏହି ନେତା ମାନେ ବିଜେପି ଶିବିର ଛାଡି ଏବେ ବିଜେଡି କ୍ୟାମ୍ପରେ ଯୋଗ ଦେଇଛନ୍ତି । ଆଉ ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ପୁଣିଥରେ ସାଧାରଣ ନିର୍ବାଚନରେ ଦୋହରାଇବା ବିଜେପି ପାଇଁ ସହଜ ହୋଇନପାରେ ।