ଯଦି ବିଧାୟକ ଭାବେ ପ୍ରଶ୍ନ ପଚାରିବାର ଅଧିକାର ପାଇବୁନି, ତେବେ ପ୍ରଶ୍ନକାଳରେ କାହିଁକି ରହିବୁ? ମୋହନଙ୍କ ପ୍ରଶ୍ନ, ଆମ ପ୍ରଶ୍ନକୁ କାହିଁକି କରାଯାଉଛି ବାରମ୍ବାର ଅଗ୍ରାହ୍ୟ?

152

କନକ ବ୍ୟୁରୋ : ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନକୁ ଅଗ୍ରାହ୍ୟ କରିଦେବାକୁ ନେଇ ଗୃହରେ ଜୋରଦାର ହଟ୍ଟଗୋଳ କରିଛନ୍ତି ବିରୋଧୀ । ବାରମ୍ବାର ହୋ-ହଲ୍ଲା କାରଣରୁ ଗୃହକାର୍ଯ୍ୟକୁ ଦିନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ଯାହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକ ମାନେ ପଚାରିଥାନ୍ତି । ପ୍ରଶ୍ନ କାଳରେ ପ୍ରଶ୍ନ ପଚାରିବାର ଅଧିକାର ବିଧାୟକଙ୍କର ରହିଛି । କିନ୍ତୁ ଆମ ପ୍ରଶ୍ନ କୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ । ଗତକାଲି ମୁକେଶ ମହାଲିଙ୍ଗ, ନାଉରୀ ନାଏକଙ୍କ ପ୍ରଶ୍ନକୁ ରିଜେକ୍ଟ କରାଗଲା । କିନ୍ତୁ ପ୍ରଶ୍ନକୁ କାହିଁକି ଅଗ୍ରାହ୍ୟ କରାଗଲା ତାହାର କାରଣ କହିଲେନି ।

ଆଜି ମଧ୍ୟ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନକୁ ରିଜେକ୍ଟ କରାଯାଇଛି । ଯଦି ପ୍ରଶ୍ନକୁ ଅଗ୍ରାହ୍ୟ କଲେ ତେବେ ପ୍ରଶ୍ନପତ୍ର ପାଇବାର ୫ ଦିନ ମଧ୍ୟରେ ତାହାର କାରଣ ଦର୍ଶାଇବା କଥା । କିନ୍ତୁ ତାହା କରାଯାଇନାହିଁ । ଯାହା ଲାଗୁଛି ସରକାରଙ୍କର ଡର ରହୁଛି ଏବଂ ମନମୁଖୀ କାମ କରିବାକୁ ସେମାନେ ଏଭଳି ନିଷ୍ପତ୍ତି ନେଉଛନ୍ତି । ଗତକାଲି ବିରୋଧୀ ଦଳ ପ୍ରଶ୍ନ ପଚାରିନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମନମୁତାବକ ଉତ୍ତର ରଖିଥିଲେ । ମନ୍ତ୍ରୀ ବଡ ନା ସଚିବ ବଡ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆସିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗରେ ମନମୁତାବକ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । ସଚିବଙ୍କ ଜିଲ୍ଲାରୁ ଜିଲ୍ଲା ଗସ୍ତ ସମୟରେ ହୋଇଥିବା ଖର୍ଚ୍ଚ ବାବଦରେ ଜାଣିବାକୁ ଚାହୁଁଥିଲେ ମଧ୍ୟ କେବଳ ବିମାନ ଖର୍ଚ୍ଚ ବାବଦରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ ।ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାର ଭୟଭୀତ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ଗ୍ରହଣ କରୁନାହାନ୍ତି ।

ମୋହନ କହିଛନ୍ତି, ଯଦି ବିଧାୟକ ହୋଇ ପ୍ରଶ୍ନ ପଚାରିବାର ଅଧିକାର ପାଇବୁନି, ତେବେ ପ୍ରଶ୍ନକାଳରେ ରହିବୁ କାହିଁକି? ଏହାକୁ ବିରୋଧ କରି ଆମେ କଳାବ୍ୟାଚ୍ ପିନ୍ଧିଛୁ । ବାଚସ୍ପତି ନୂଆ ଦାୟିତ୍ୱ ନେବା ପରେ ବାଟବଣା ହେବା ସହ ସରକାରଙ୍କ ଚାପରେ ରହିଛନ୍ତି । ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଗଣତନ୍ତ୍ର ଭୁଶୁଡି ପଡିଥିବା ପ୍ରସଙ୍ଗକୁ କଂଗ୍ରେସ ମୁଲତବି ପ୍ରସ୍ତାବ ଭାବେ ଆଣିବ । କିନ୍ତୁ କଂଗ୍ରେସ ମଧ୍ୟ ବିଜେଡି ସହ ମିଶି ଏହି ପ୍ରସଙ୍ଗ ବଦଳରେ ଅନ୍ୟ ପ୍ରସଙ୍ଗକୁ ମୁଲତବି ପ୍ରସ୍ତାବ ଭାବେ ଆଣିଛି । ଯାହାକୁ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି ବିରୋଧ କରୁଛି ବୋଲି କହିଛନ୍ତି ମୋହନ ମାଝୀ ।