କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳୁଛି ରାଜନୀତିର ଅନେକ ବିଚିତ୍ର ଦୃଶ୍ୟ । ଲଢେଇ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏକାଧିକ ବିରୋଧୀ ପ୍ରାର୍ଥୀ ମଇଦାନରୁ ଓହରି ଯାଇଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଯାହାକି ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ବାଟ ଖୋଲି ଦେଇଛି । ଏହି ଖବର ଆଜି ରାଜ୍ୟ ରାଜନୀତିକୁ ସରଗରମ କରିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିବା ସହ ବିଜେପି କହିଛି,ଶାସକ ଦଳ ଅର୍ଥ ବଳ ଓ ବାହୁ ବଳ ଖଟାଇ ଚାପ ପକାଇ ଏମିତି କରିଛି । ଅନ୍ୟପଟେ ବିଜେଡି କହିଛି, ବିରୋଧୀଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି ।

Advertisment

ନିର୍ବାଚନ ପୂର୍ବରୁ ମଇଦାନ ଛାଡିଲେ ନେତା । ବିଜେଡି ପ୍ରାର୍ଥୀଙ୍କୁ ଛାଡିଦେଲେ କି ବାଟ ।  ରିନା କବାସୀ  । ମାଲକାନଗିରି କାଲିମେଳା ଜୋନ -୨ରୁ ବିଜେପି ଟିକେଟରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ଉଚ୍ଚ ଶିକ୍ଷିତ ଓ ରେଳବାଇ ଚାକିରୀ ଛାଡି ପ୍ରାର୍ଥୀ ହୋଇଥିବାରୁ ନାମାଙ୍କନ ଦାଖଲ ଚର୍ଚ୍ଚାକୁ ଆସିଥିଲେ ରିନା । ହେଲେ, ୨୩ ତାରିଖ ସନ୍ଧ୍ୟାରେ ବିଜେପିର ଅଜାଣତରେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ କେଉଁଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି ପକ୍ଷରୁ କାଲିମେଳା ଥାନାରେ ଏତଲା ଦିଆଯାଇଛି ।

ଭାସ୍କର ଚନ୍ଦ୍ର ଜେନା । ଯାଜପୁର ଜିଲ୍ଲାର ୨୯ ନମ୍ବର ଜିଲ୍ଲା ପରିଷଦ ଜୋନରୁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ସମସ୍ତଙ୍କୁ ଚମକାଇ ଦେଇ ଅଚାନକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଭାସ୍କର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ ବି ବିଜେପି ଏହା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛି ଓ ତାଙ୍କୁ ଦଳରୁ ବହିଷ୍କାର କରିଛି ।  ବରଗଡରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ବିନୋଦିନୀ ରାୟ ଓ କଂଗ୍ରେସର ପ୍ରାର୍ଥୀ ପଦ୍ମିନୀ ଭୂୟାଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଆଉ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପାଇଁ ବାଟ ଫିଟିଯାଇଛି ।

ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ଓ ନିଖୋଜ ହେବାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଭାରତୀୟ ଜନତା ପାର୍ଟି । ବିିରୋଧୀ ଦଳର ପ୍ରାର୍ଥୀଙ୍କୁ ଧମକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଛି । ଅଭିଯୋଗକୁ ଖଣ୍ଡନ କରିବା ସହ ହୀନ ମନ୍ୟତା କହିଛି ବିଜେଡି । ନିର୍ବାଚନ ପୂର୍ବରୁ ବିରୋଧୀ ଦଳରୁ ପ୍ରାର୍ଥୀ ହୋଇଥିବା ନେତାମାନଙ୍କ ଏଭଳି ଆଚରଣ ଆଗାମୀ ଦିନରେ ଦଳ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି ।