ବାଧୁଛି ପିଆଜ ଦର: ଦେଶର ଦରବୃଦ୍ଧି ପଛରେ ସରକାରଙ୍କ ଭୁଲ୍ ନୀତିକୁ ଦୋଷ ଦେଲା ବ୍ୟବସାୟୀ ସଂଘ; କିଲୋ ପିଛା ହେଲାଣି ୮୦ ଟଙ୍କା, ଖାଉଟିଙ୍କ ଭିତରେ ଅସନ୍ତୋଷ

157

କନକ ବ୍ୟୁରୋ: ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ମାତ୍ର ମାସକ ତଳେ କିଲୋପିଛା ୩୦ ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଏବେ ୮୦ଟଙ୍କା ଛୁଇଁଛି । ଏହା ଖାଉଟିଙ୍କୁ ସିଧାସଳଖ ପ୍ରଭାବିତ କରିଛି । ତେବେ ଦର ବୃଦ୍ଧିର ପ୍ରକୃତ କାରଣ କଣ । ଏନେଇ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ବଡ ବଡ ବ୍ୟବସାୟୀ ଯାହାଙ୍କ ପାଖରେ ମହଜୁଦ ରହିଛି ସେମାନେ ମନଇଛା ଦର ବଢ଼ାଉଛନ୍ତି । ଆଉ ଏଥିରେ ସେମାନଙ୍କୁ ସରକାର ଓ ପ୍ରଶାସନର ସହଯୋଗ କରୁଥିବା ଅଭିଯୋଗ କରିଛି ବ୍ୟବସାୟୀ ସଂଘ ।

ଏଥି ସହ ବିକ୍ରି ଦର ଧାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି । ଏପରିକି ସରକାରଙ୍କ ନୂଆ ନିୟମ ଯୋଗୁଁ ଖୁଚୁରା ବ୍ୟବସାୟରେ ବଡ ବଡ କର୍ପୋରେଟରମାନେ ସାମିଲ ହେବା ସହ ସେମାନଙ୍କ ମନମାନୀ କାରବାର ବଜାରକୁ ପ୍ରଭାବିତ କରୁଛି ବୋଲି ବ୍ୟବସାୟୀ ସଂଘ ଅଭିଯୋଗ କରିଛି । ଓଡ଼ିଶାରେ କ୍ରମାଗତ ଭାବରେ ପିଆଜ ଦର ବଢ଼ିବାରେ ଲାଗିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଏବେ ରାଜ୍ୟରେ ପିଆଜ ୭୫ରୁ ୮୦ ଟଙ୍କାରେ ବିକ୍ରି ହେଉଛି ।