କନକ ବ୍ୟୁରୋ : କାହିଁକି ବିଜେପି ଛାଡୁଛନ୍ତି ପୁରୁଣା ନେତା । ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟ ବିଜେପିର ଦୁଇ ଟାଣୁଆ ନେତା ଦଳରୁ ଇସ୍ତଫା ଦେଇଥିବା ବେଳେ ଏହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଉଭୟ ନେତା ଗୋଟିଏ କାରଣ ପାଇଁ ବିଜେପିକୁ ବାଏ ବାଏ କରିଥିବା ବେଳେ ଏବେ ବିଜେଡି କ୍ୟାମ୍ପରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପିରେ ଏକଚାଟିଆ ଔରଙ୍ଗଜେବ ଶାସନ ଚାଲୁଥିବା କହି ଦଳରୁ ଦୁଇ ପୁରୁଖା ନେତା ଇସ୍ତଫା ଦେଇଛନ୍ତି । ଏପରିକି ବିଜେପିରେ କର୍ମୀ ମାନଙ୍କୁ ଅତ୍ୟାଚାର ଓ ଅଣଦେଖା କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦଳ ଛାଡିଥିବା ଦୁଇ ନେତା । ତାହା ବି ପୁଣି ରାଜ୍ୟ ବିଜେପିର କ୍ଷମତାକେନ୍ଦ୍ରଙ୍କ ବିରୋଧରେ ।
ପଶ୍ଚିମରୁ ଉତ୍ତର ଯାଏଁ ଏବେ ବିଜେପିରେ ଦେଖିବାକୁ ମିଳିଛି ବିଦ୍ରୋହ । ରାଜ୍ୟ ବିଜେପିରେ ହେଉଥିବା ଏକଚାଟିଆ ଶାସନରେ ବିରୋଧରେ ଆରମ୍ଭ ହୋଇଛି ବିଦ୍ରୋହ । ଯେଉଁଥିପାଇଁ ପଶ୍ଚିମ ଓଡିଶାର ଟାଣୁଆ ନେତା ସୁବାସ ଚୌହାନ ଓ ମୟୂରଭଞ୍ଜରେ ବିଜେପିକୁ ନୂଆ ପରିଚୟ ଦେଇଥିବା ରାଜକିଶୋର ଦାସ ଦଳରୁ ଇସ୍ତଫା ଦେଇଛନ୍ତି । ଆଉ ଦୁହିଁଙ୍କ ଇସ୍ତଫା ପଛର ମୂଳ କାରଣ ଥିଲା ପାର୍ଟିରେ ଏକ ନିଦ୍ଦିଷ୍ଟ ବ୍ୟକ୍ତିଙ୍କ ଏକଚାଟିଆ ଶାସନ । ଯିଏ ଦଳୀୟ କର୍ମୀଙ୍କୁ ଅତ୍ୟାଚାର କରୁଛନ୍ତି ଓ ନିଜର ଜାଗିରରେ ପାର୍ଟି ଚଳାଉଛନ୍ତି । ଏଭଳି ଅଭିଯୋଗ ଆଣି ଉଭୟ ନେତା ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରୁଥିଲେ ତାହା ବୁଝିବା ବାକି ନଥିଲା ।
ରାଜ୍ୟ ବିଜେପିରେ ଗୋଟିଏ କୁଚକ୍ରୀ ଗୋଷ୍ଠୀ ଯେଉଁଭଳି ଭାବେ ପୁରୁଣା କର୍ମୀଙ୍କୁ ଅଣଦେଖା ଓ ଅତ୍ୟାଚାର କରୁଛନ୍ତି ତାହା ବିରୋଧରେ ଏହି ମହାଲଢେଇର ଆରମ୍ଭ ବୋଲି କହିଛନ୍ତି ସୁବାସ । ଗୋଟିଏ ପଟେ ରାଜ୍ୟ ବିଜେପିର କ୍ଷମତାକେନ୍ଦ୍ର ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆସୁଥିବା ବେଳେ କେନ୍ଦ୍ରୀୟ ବିଜେପିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଯେତେବେଳେ ଲାଲକୃଷ୍ଣ ଆଡଭାଣୀ ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବରିଷ୍ଠ ନେତାଙ୍କ ଟିକେଟ କାଟିଛି ବିଜେପି । ଆଉ ଦଳର ଏଭଳି ନିଷ୍ପତିରେ ମୁରଲୀ ଖପ୍ପା ହୋଇଥିବା ବେଳେ ଆଡଭାଣୀ ଚୁପ୍ ରହିବାକୁ ଶ୍ରେୟସ୍କର ମଣିଛନ୍ତି । ଏପରିକି କେନ୍ଦ୍ରରେ ମୋଦି-ଶାହା ଯୋଡି ଯେଉଁଭଳି ବରିଷ୍ଠ ନେତାଙ୍କୁ ଅଣଦେଖା କରୁଛନ୍ତି ଠିକ୍ ସେହିଭଳି ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଟିମ୍ ମଧ୍ୟ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ପଦ୍ମ ଫୁଲରୁ ଗୋଟିଏ ପରେ ଗୋଟିଏ ପାଖୁଡା ଖସୁଥିବା ଦେଖିବାକୁ ମିଳୁଛି ।
Follow Us